ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରେ ଦେଶରେ ଶେଷ ପର୍ଯ୍ୟାୟ ମତଦାନ ହେବ । ପ୍ରଚାର ଶେଷ ହେବା ପରେ ଗୁରୁବାର ଠାରୁ ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲ୍ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଦୀର୍ଘ ୪୮ ଘଣ୍ଟା ଧରି ସେ ଧ୍ୟାନ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନକୁ ଦୃଷ୍ଟିରେ ରଖି କନ୍ୟାକୁମାରୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ବିଶେଷ କରି ବିବେକାନନ୍ଦ ଶିଳା ଆଖପାଖ ଅଞ୍ଚଳକୁ ଶିବିରରେ ପରିଣତ କରାଯାଇଛି । ସେ ଏଠାରେ ଥିବା ଭଗବତୀ ଅମନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେ ଏଠାରେ ଦୁଇଦିନ ଧ୍ୟାନ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଏଠାରୁ ଯିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ୨୦୦୦ ଯବାନ ଙ୍କୁ ମୁତୟନ କରାଯାଇଛି । ବିବେକାନନ୍ଦ ଶିଳା ଉପରେ ୫ଟି ପର୍ଯ୍ୟାୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ସନ୍ଧ୍ୟାରୁ ଧ୍ୟାନରେ ବସିଥିବା ବେଳେ ଏହା ଜୁନ ୧ ତାରିଖ ଅପାରାହ୍ନ ପ୍ରାୟ ୩ଟାରେ ଶେଷ ହେବ । ଦେଶର ଭୋଟ ପ୍ରକ୍ରିୟା ମଧ୍ୟ ୧ ତାରିଖ ସନ୍ଧ୍ୟାରେ ସରିବା ସହ ଏକଜିଟ ପୋଲ ରେଜଲ୍ଟ ପ୍ରକାଶ ପାଇବ । ଧ୍ୟାନରୁ ଉଠିବା ପରେ ମୋଦି ସିଧା ଦିଲ୍ଲୀ ଆସିବେ । କନ୍ୟାକୁମାରୀର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ହେଉଛି ବିବେକାନନ୍ଦ ରକ୍ ମେମୋରିଆଲ୍ । ଏହା ୧୯ଶ ଶତାବ୍ୱୀର ଦର୍ଶନିକ ଓ ଲେଖକ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତିରେ ନିର୍ମାଣ ହୋଇଛି । ଏହି ସ୍ମାରକୀ ନିକଟରେ ତାମିଲ ସନ୍ଥ ତିରୁଭାଲ୍ଲୁବାର ପ୍ରତିମୂର୍ତ୍ତି ନିକଟରେ ରହିଛି ।