ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ : ପ୍ରଗତି ମହାବିଦ୍ୟାଳୟର ହିମାଂଶୁ ଶେଖର ସାହୁ ବିଶ୍ୱବିଦ୍ୟାଳୟ ଟପ୍ପର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ)ର ଶେଷ ବର୍ଷ ସ୍ନାତକ ପରୀକ୍ଷାରେ ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି ମହାବିଦ୍ୟାଳୟ ଐତିହାସିକ ସଫଳତା ହାସଲ କରିଛି। 

ଚଳିତ ବର୍ଷ ସ୍ନାତକ ପରୀକ୍ଷାରେ ପ୍ରଗତି ମହାବିଦ୍ୟାଳୟର ହିମାଂଶୁ ଶେଖର ସାହୁ ପଦାର୍ଥ ବିଜ୍ଞାନ ବିଭାଗରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଇନ୍ଦିରା ପ୍ରିୟଦର୍ଶିନୀ ରାଉତ ରାସାୟନିକ ବିଜ୍ଞାନ ବିଭାଗରେ, ପ୍ରତ୍ୟାଶା ବେହେରା ଉଦ୍ଭିଦ ବିଜ୍ଞାନରେ, ସାଗରିକା ପ୍ରଧାନ ପ୍ରାଣୀ ବିଜ୍ଞାନରେ, ମୃତ୍ୟୁଞ୍ଜୟ କେଶରୀ ସିଂ ଗଣିତ ବିଭାଗରେ ସମୁଦାୟ ପାଞ୍ଚ ଜଣ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ଛାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। 

ହିମାଂଶୁ ସମସ୍ତ ବିଭାଗରେ ବିଜ୍ଞାନ, କଳା ଓ ବାଣିଜ୍ୟର ଟପ୍ପରମାନଙ୍କ ମଧ୍ୟରେ ସବୁଠାରୁ ସର୍ବୋଚ୍ଚ ୯.୭୩ ସିଜିପିଏ ମାର୍କ ରଖି କୃତକାର୍ଯ୍ୟ ହେବା ସହିତ ବେଷ୍ଟ ଗ୍ରେଜୁଏଟ ହେବାର ସଫଳତା ଅର୍ଜନ କରିପାରିଛନ୍ତି।

ହିମାଂଶୁ ଶେଖର ସାହୁ ଜୟପାଟଣା ଅନ୍ତର୍ଗତ ଉମେର ଗ୍ରାମର ଯଦୁମଣି ସାହୁ ଓ ଆଲାଦିନୀ ସାହୁଙ୍କ ପୁଅ। ସେହିଭଳି ମୃତ୍ୟୁଞ୍ଜୟ କେଶରୀ ସିଂ ମେଦିନିପୁର, ମାଲିପଡା ଗ୍ରାମର ହରି ଅର୍ଜୁନ ସିଂ ଓ ଗୀତାଞ୍ଜଳୀ ସିଂ ଦେଓଙ୍କ ପୁଅ, ଇନ୍ଦିରା ପ୍ରିୟଦର୍ଶିନୀ ହେଉଛନ୍ତି ଭବାନୀପାଟଣା ମହାବୀର ପଡାର ମଦନ ମୋହନ ରାଉତ ଓ ନୀଳିମା ରାଉତଙ୍କ ଝିଅ, ସାଗରିକା ପ୍ରଧାନ ହେଉଛନ୍ତି ଉତ୍କେଲା ଫଟକାମାଲ ଗ୍ରାମର ପଲ୍ଲବ କୁମାର ପ୍ରଧାନ ଓ ଉର୍ବଶୀ ସା’ଙ୍କ ଝିଅ ହୋଇଥିବା ବେଳେ ପ୍ରତ୍ୟାଶା ବେହେରା ହେଉଛନ୍ତି ଇଚ୍ଛାପୁର ଗ୍ରାମର ପୀତବାସ ବେହେରା ଓ ଆଲ୍ଲାଦିନୀ ବେହେରାଙ୍କ ଝିଅ। 

ଛାତ୍ରଛାତ୍ରୀମାନଙ୍କର ପ୍ରଚେଷ୍ଟା ଓ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଉଦ୍ୟମରେ ପ୍ରଗତି ଶିକ୍ଷାନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିଛି। ସେହିପରି ସମସ୍ତ ଛାତ୍ରଛାତ୍ରୀ ଆଗକୁ ଜାମ୍ ପରୀକ୍ଷା ଦେଇ ଏବଂ ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷାରେ ଅଧ୍ୟୟନ କରି ବୈଜ୍ଞାନିକ ହେବାର ସ୍ବପ୍ନ ରଖିଛନ୍ତି। 

ବର୍ତ୍ତମାନ ସମୟରେ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ରାଜ୍ୟ ଓ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅନେକ ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ରହି ନିଜକୁ ପ୍ରତିଷ୍ଠିତ କରିଛନ୍ତି।  

ଛାତ୍ରଛାତ୍ରୀମାନଙ୍କର ସଫଳତାରେ ଅଭିଭାବକଗଣ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିବା ବେଳେ ଚଳିତ ବର୍ଷର ଉକ୍ତ ଫଳାଫଳକୁ ନେଇ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା ଓ ଅଧ୍ୟକ୍ଷ ତାପସ ପରିମାଣିକ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିଭଳି ଅନୁଷ୍ଠାନର ଚେୟାରପରସନ ସୁଶ୍ରୀ ସଙ୍ଗୀତା ପଣ୍ଡା ଫଳାଫଳକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଶ୍ରେୟ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.