ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟ ଅତିଥି ଭବନ ଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀକ୍ଷେତ୍ର ପୁରୀ ଛତିଶା ନିଯୋଗର ସଦସ୍ୟମାନଙ୍କ ସହ ଆଗାମୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମାପନ କରିବା ପାଇଁ ଆଲୋଚନା କରିଛନ୍ତି। ଚଳିତ ବର୍ଷ ରଥଯାତ୍ରା ଏକ ବିରଳ ସଂଯୋଗ। ଗୋଟିଏ ଦିନରେ ୩ଟି ନୀତି ସହ ରଥଯାତ୍ରା କାର୍ଯ୍ଯ ସମ୍ପନ୍ନ ହେବ। ଏହାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ମୁଖ୍ୟମନ୍ତ୍ରୀ ଛତିଶା ନିଯୋଗର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ଛତିଶା ନିଯୋଗର ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ କହିଲେ ଯେ, ଆମ ସେବକମାନଙ୍କ ପ୍ରତି ନୂଆ ସରକାରଙ୍କ ଆତ୍ମୀୟତା ଭାବ ଯୋଗୁ ଆମେ ବହୁତ ଖୁସି ଓ ଆନନ୍ଦିତ। ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବୈଠକରେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ମଧ୍ଯ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସେବାୟତମାନଙ୍କୁ ବୈଠକରେ ସ୍ବାଗତ କରିଥିଲେ।