ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ୱାମୀ ଘରେ ନଥିବାବେଳେ ଓଢଣୀ ଦେଇ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି-ରାୟଗଡା ସୀମାନ୍ତ ତଥା ଅମ୍ବାଦଳା ଥାନା, ଇଛାପୁର ପଞ୍ଚାୟତ କାଡଘାଟି ଗାଁରେ। ଏହି ଗାଁର ବାବୁଲି କରୁଆଁ ନାମକ ଜଣେ ଯୁବକ ଗତ ତିନିବର୍ଷ ତଳେ ଭଲ ପାଇ ବାହା ହୋଇଥିଲା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗଜରାଜପୁର ଗାଁର ମୀରା ଓରଫ ନିକିତା କରୁଆଁକୁ। ତିନିବର୍ଷର ଗୃହସ୍ତ ଜୀବନ ମଧ୍ୟରେ ଦୁହେଁ ନିଜର କୁଡିଆ ଘରେ ଏକ ଛୋଟିଆ କିରାନା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ତେବେ ସେଥିରେ ପେଟ ପୋଷିବା ସମ୍ଭବ ନହେବାରୁ ବାବୁଲି ଦାଦନ ଖଟିବାକୁ କେରଳ ଯାଇଥିଲା। ସେଠାରେ ସେ ଦୁଇ ପଇସା ରୋଜଗାର କରୁଥିବାବେଳେ ଘରେ ଏକୁଟିଆ ଥିଲା ନିକିତା। ତେବେ ଦୋକାନ ସାମଗ୍ରୀ ଆଣିବା ପାଇଁ ତାକୁ ଗାଁର ଜଣେ ଯୁବକ ସହାୟତା କରୁଥିବାବେଳେ ତାକୁ ନେଇ କେରଳରେ ଥିବା ତା’ର ସ୍ୱାମୀ ଓ ଶାଶୁ ଘର ଲୋକେ ଝଗଡା କରୁଥିଲେ। ସଂପୃକ୍ତ ଯୁବକଙ୍କ ସହିତ ନିକିତାର ଅବୈଧ ସଂପର୍କ ଥିବା ଅଭିଯୋଗ କରି ସ୍ୱାମୀ-ସ୍ତ୍ରୀ ଫୋନରେ ପାଟିତୁଣ୍ଡ କରୁଥିବାବେଳେ ଏଇ ସନ୍ଦେହ ନିଆଁରେ ଘିଅ ଢାଳୁଥିଲେ ନିକିତାର ଶାଶୁ, ନଣନ୍ଦ ଓ ବଡବାପା ଶ୍ୱଶୁର। ଯାହାକୁ ନେଇ ବାବୁଲି ଓ ନିକିତା ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିବାବେଳେ ମଙ୍ଗଳବାର ରାତିରେ ନିକିତାକୁ ଫୋନ୍ କରି ବାବୁଲି ପାଟିତୁଣ୍ଡ କରିବା ସହିତ ନିକିତାର ମାଆ ସହିତ କନଫରେନ୍ସ କଲ୍ କରି ଝିଅକୁ ଆସିକି ନେଇଯାଅ, ନହେଲେ ମୁଁ ଘରେ ନଥିଲେ କଣ ହେଲା, ଲୋକ ଲଗାଇ ତାକୁ ଜୀବନରେ ମାରିଦେବି ବୋଲି ଧମକ ଦେଇଥିବା ନିକିତାର ମାଆ ଲୟ କୁମାର କହିଛନ୍ତି। ତେବେ ରାତିକ ମଧ୍ୟରେ କ’ଣ ହେଲା କେଜାଣି, ନିକିତା ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ତାକୁ ଉସୁକାଇଲା କିଏ? କିମ୍ବା ତାକୁ କିଏ ମାରିକି ଆତ୍ମହତ୍ୟାର ରୂପ ଦେଇଛି ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବିଷମକଟକ ଏସଡିପିଓ ସନ୍ତୋଷିନୀ ଓରାମଙ୍କ ସହିତ ଅମ୍ବାଦଳା ଥାନାଧିକାରୀ କଳ୍ପନା ବେହେରା, ଏସଆଇ ଉର୍ମିଳା ସେଠୀ ଏବଂ ସାଇଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ପୁଲିସ ସନ୍ଦେହରେ ଜଣେ ଯୁବକକୁ ଉଠାଇ ନେଇଥିବାବେଳେ ମୃତ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ମାମଲାକୁ ଆହୁରି ଅଡୁଆ କରିଦେଇଛି। ଏବେ ନିକିତାର ଆତ୍ମହତ୍ୟା ସନ୍ଦେହର କୁହେଳିକା ଭିତରେ ଥିବାବେଳେ ପୁଲିସ ମାମଲାର ଖିଅ ଧରିବାକୁ ତଦନ୍ତକୁ ଆହୁରି ଜୋରଦାର କରିଛି। ଏନେଇ ଅମ୍ବାଦଳା ଥାନା କେସ ନଂ ୧୪୨/୦୨୪ ଅନୁଯାୟୀ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।