ବ୍ଳକସ୍ତରୀୟ ମନରେଗା ଜନଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଶୁକ୍ରବାର ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପିଏମ୍ ପୋଷଣ ଯୋଜନାର ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ମହାରଣା, ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀ, କୋକସରା ବିଏସ୍ଏ ଆଲୋକ କୁମାର ପ୍ରଧାନୀ, ଜୟପାଟଣା ବିଏସ୍ଏ ଜୟକୃଷ୍ଣ ତାଣ୍ଡି ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ପ୍ରଥମେ ବ୍ଳକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କିତ ତଥ୍ୟ ରଖିବା ପରେ ବ୍ଳକର ୨୨ ଗୋଟି ପଞ୍ଚାୟତର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ରହି ମନରେଗା ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ତଥ୍ୟ ରଖିଥିଲେ। ୨୦୨୩/୨୪ ଆର୍ଥିକ ବର୍ଷରେ ବ୍ଳକରେ ମୋଟ ୯ ହଜାର ୮୧ ଟି ପ୍ରକଳ୍ପ ଅନୁମୋଦନ ହୋଇଥିବାବେଳେ ୪ ହଜାର ୧୬୨ଟି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସେଥି ମଧ୍ୟରୁ ୯୬୧ ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ସମୁଦାୟ ୧୭ ହଜାର ୫୫୯ ଜବ୍ କାର୍ଡ଼ ରହିଥିବାବେଳେ ୨୧୮ ଜଣ ଜବ୍ କାର୍ଡ଼ ହିତାଧିକାରୀ ଶହେ ଦିନ ଶ୍ରମ ଦିବସ ପାଇଥିବା ସୂଚନା ମିଳିଛି। ଶିବିରକୁ କୋକସରା ଏପିଓ ସତିଶ୍ ରଞ୍ଜନ ବେହେରା ସଂଯୋଜନା କରିଥିଲାବେଳେ ଉଦ୍ୟାନ ବିଭାଗ, ବନ ବିଭାଗ ଆଦି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.