ଜଗତସିଂହପୁର ଜିଲ୍ଲାସ୍ତରୀୟ ବିଶ୍ଵ ମତ୍ସ୍ୟ ଦିବସ-୨୦୨୪ ପାଳିତ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର:  ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ‘ବିଶ୍ଵ ମତ୍ସ୍ୟ ଦିବସ-୨୦୨୪’ ପାଳିତ ହୋଇଯାଇଛି। ଏହି ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ସୁଶ୍ରୀ ରେଶମା ରାଣୀ ସିଂ ମତ୍ସ୍ୟ ପାଳନକୁ ଅର୍ଥନୈତିକ ସମୃଦ୍ଧିର ଅନ୍ୟତମ ପନ୍ଥା ବୋଲି କହିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ଲାଭ ନେବା ପାଇଁ ଏଵଂ ଏହା ଦ୍ବାରା ଜିଲ୍ଲା ତଥା ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ଆଗୁଆ କରିବା ପାଇଁ ପରାମର୍ଶ ଦେଇଥିଲେ। ନୂତନ ଜ୍ଞାନ କୌଶଳର ବ୍ୟବହାର କରି ଅଳ୍ପ ଜାଗାରେ ଅଧିକ ଉତ୍ପାଦନ ପାଇଁ ସେ ଉପସ୍ଥିତ ମତ୍ସ୍ୟ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ।

Omkar Vasthu
Omkar Vasthu

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ମଲ୍ଲିକ ଆର୍ଥିକ ଉନ୍ନତି ସହ ଦେଶର ପ୍ରଗତିରେ ସହଭାଗିତା ଦିଗରେ ମତ୍ସ୍ୟ ଚାଷର ଗୁରୁତ୍ଵ ପ୍ରତିପାଦିତ କରିଥିଲେ ଏଵଂ ପ୍ରାକୃତିକ ଉପାୟରେ ମତ୍ସ୍ୟ ଚାଷ ପାଇଁ ବାର୍ତ୍ତା ଦେଇଥିଲେ। ସେ ମଧ୍ଯ ଚାଷୀମାନଙ୍କୁ ଉଦ୍ୟାନ କୃଷିଭିତ୍ତିକ ଯୋଜନା ଗୁଡ଼ିକ ବିଷୟରେ ଆଲୋକପାତ କରାଇଥିଲେ। ସେ କହିଥିଲେ ଯେ, ଆଜି ଭାରତ ମତ୍ସ୍ୟ ଉତ୍ପାଦନରେ ସାରା ବିଶ୍ଵରେ ତୃତୀୟ ସ୍ଥାନ ଅଧିକାର କରିଛି ଏବଂ ଓଡିଶା ମଧ୍ଯ ରାଜ୍ୟ ମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିପାରିଛି। ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ଓ କୃଷି ବିଭାଗ ଶ୍ରୀ ଅନିଲ କୁମାର ସେଠୀ ମତ୍ସ୍ୟ ସମ୍ପଦକୁ ସୁବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ କରି ଉନ୍ନତି କରିବା ପାଇଁ କହିଥିଲେ। ଜଗତସିଂହପୁର ଜିଲ୍ଲାର ପରିବେଶ ମତ୍ସ୍ୟ ଉତ୍ପାଦନ ନିମନ୍ତେ ଉପଯୋଗୀ ହୋଇଥିବାରୁ ଏହାର ସଠିକ୍ ଉପଯୋଗ କରିବା ପାଇଁ ସେ ଉପଦେଶ ଦେଇଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର ସଭାରେ ଉପସ୍ଥିତ ରହି ମତ୍ସ୍ୟ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ କହିଥିଲେ। ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବିଶେଷଜ୍ଞ ଶ୍ରୀମତୀ ସରିତା ଦାସ ବୈଜ୍ଞାନିକ ଜ୍ଞାନ କୌଶଳ ତଥା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ସଷ୍ଟେନେବଲ୍ ଆକ୍ୱାକଲ୍ଚର୍ ଉପରେ ଗୁରୁତ୍ୱ ଦେଇଥିଲେ। ସେ ଉପସ୍ଥିତ ଚାଷୀ ମାନଙ୍କୁ ମାଛଚାଷ ସହ ସମନ୍ବୟରେ ଅନ୍ୟାନ୍ୟ ଚାଷ ଯେପରିକି ମହୁମାଛି ପାଳନ, ଗୋପାଳନ, କୁକୁଡ଼ା ଓ ଛେଳି ଚାଷ ଇତ୍ୟାଦି ପାଇଁ ଉପଦେଶ ଦେଇଥିଲେ। ସଭାରେ ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ସୁଶ୍ରୀ ରେଶମା ରାଣୀ ସିଂ ବିଶ୍ଵ ଅର୍ଥନୀତିରେ ମତ୍ସ୍ୟ ଚାଷର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ଓଡିଶା ସରକାରଙ୍କ ତରଫରୁ ମତ୍ସ୍ୟଜୀବିମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବାର ସୂଚନା ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଯୋଜନାରେ ମାଛ ଚାଷ ପାଇଁ ନୂତନ ପୋଖରୀ ଖୋଳା, ଗ୍ରାମ ପଞ୍ଚାୟତ ପୋଖରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମାଛ ଚାଷ ପାଇଁ ସହାୟତା ଓ ସେମାନଙ୍କ ପାଇଁ ପୁଞ୍ଜି ବ୍ୟବସ୍ଥା, ଜୈବ ପୁଞ୍ଜ ପଦ୍ଧତିରେ ସଘନ ମାଛ ଓ ଚିଙ୍ଗୁଡି ଚାଷ, ଜାଆଁଳ ଉତ୍ପାଦନକାରୀଙ୍କୁ ଇନପୁଟ ସହାୟତା, ଚାଷ ନିମନ୍ତେ ଯନ୍ତ୍ରପାତି ବ୍ୟବହାର ପାଇଁ ପ୍ରୋତ୍ସାହନ, ମତ୍ସ୍ୟଜୀବୀ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି, ସ୍ୱୟଂ ସହାୟକ ଗୋଷ୍ଠୀର ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ ପାଇଁ ପ୍ରୋତ୍ସାହନ, ମତ୍ସ୍ୟ ସମବାୟ ସମିତି ର ପୁନଃ ଭ୍ରମଣ, ଫାର୍ମ ପୋଖରୀରେ ମାଛ ଚାଷ, ଜାଆଁଳ ଉତ୍ପାଦନ କେନ୍ଦ୍ରରେ ଆଗୁଆ ପ୍ରଜନନ କାର୍ଯ୍ୟ ଆଦି ଏହି ଯୋଜନା ଅନ୍ତର୍ଗତ। ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ସୁଶ୍ରୀ ରେଶମା ରାଣୀ ସିଂ ବିଲୁପ୍ତ ପ୍ରାୟ ମତ୍ସ୍ୟ ପ୍ରଜାତିର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସଭାରେ ଜିଲ୍ଲାର ସଫଳ ମତ୍ସ୍ୟ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜୈବ ପୁଞ୍ଜରେ ମାଛ ଚାଷ ପାଇଁ ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତର ମିର୍ଜାପୂର ଗ୍ରାମର ଶ୍ରୀ ସୁନାକର ତରାଇ, ମଧୁର ଜଳ ମାଛ ଚାଷ ପାଇଁ ବାଲିକୁଦା ବ୍ଲକ ତଣ୍ଡିକୁଳ ଗ୍ରାମର ଶ୍ରୀମତୀ ସୁପ୍ରିୟା ଦାସ ଏଵଂ ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ କୁଜଙ୍ଗ ବ୍ଲକ ଗୋପିଆକୁଦ ଗ୍ରାମର ଶ୍ରୀ ଓମ୍ ସତ୍ୟ ସାଇ ବାବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ସଫଳ ଚାଷୀମାନେ ମଧ୍ଯ ନିଜ ସଫଳତାର କାହାଣୀ ଶୁଣାଇଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ସୁଶ୍ରୀ ରେଶମା ରାଣୀ ସିଂ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କର୍ମକର୍ତ୍ତା, ମତ୍ସ୍ୟଜୀବୀ, ସାମୁଦ୍ରିକ ମତ୍ସ୍ୟଜୀବୀ, ପ୍ରାଥମିକ ମତ୍ସ୍ୟଜୀବୀ ସମିତିର ସଭ୍ୟ/ ସଭ୍ୟା, ସାଗର ମିତ୍ର, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.