ଆସନ୍ତାକାଲି ଫକୀରମୋହନ ବିଶ୍ବବିଦ୍ୟାଳୟର ସ୍ଥାପନା ଦିବସରେ ପ୍ରଦାନ କରାଯିବ ଅନ୍ୟାନ୍ୟ ପୁରସ୍କାର
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୬ତମ ସ୍ଥାପନା ଦିବସ ଅବସରରେ ସୁପ୍ରସିଦ୍ଧ ଲେଖକ ତଥା କେନ୍ଦ୍ର ସାହିତ୍ଯ ଏକାଡେମୀର ସଭାପତି ମାଧବ କୌଶିକଙ୍କୁ ୨୦୨୪ ମସିହା ପାଇଁ ଫକୀରମୋହନ ଜାତୀୟ ସାହିତ୍ଯ ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ଘୋଷଣା କରାଯାଇଛି। ବିଭିନ୍ନ ପ୍ରତିଷ୍ଠା ଦିବସ ତଥା ରୌପ୍ଯଜୟନ୍ତୀ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ବର୍ଣ୍ଣାଢ୍ଯ କାର୍ଯ୍ୟକ୍ରମରେ ଶ୍ରୀ କୌଶିକଙ୍କୁ ଭାଷା ଓ ସାହିତ୍ୟ କ୍ଷେତ୍ରରେ ସାମଗ୍ରିକ କୃତି ପାଇଁ ଏହି ସାରସ୍ବତ ପୁରସ୍କାର ପ୍ରଦାନ କରାଯିବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସୂଚୀତ କରିଛନ୍ତି। ମାଧବ କୌଶିକଙ୍କ ରଚିତ ପୁସ୍ତକ ମଧ୍ଯରେ , ‘ଉଡନେ କୋ ଆକାଶ ମିଲେ’, ‘ଠିକ୍ ଉସି ୱକ୍ତ’ , ‘କଡି ଧୂପ ମଁ ନଙ୍ଗେ ପୈରୋଁ’, ‘ମେରୀ ଚୁନିନ୍ଦା କାହାନିଆଁ’, ‘ରୋଶନୀ ୱାଲି ଖିଡକୀ’ ଇତ୍ୟାଦି ଖୁବ ପ୍ରସିଦ୍ଧି ଲାଭ କରିଛି। ସେ ପାଇଥିବା ପୁରସ୍କାର ମଧ୍ଯରେ ‘ଅଖିଲ୍ ଭାରତୀୟ ବଲରାଜ ସାହାନୀ ପୁରସ୍କାର’, ‘ମହାକବି ସୁରଦାସ ସମ୍ମାନ’, ‘ସୁବ୍ରମଣ୍ୟମ ଭାରତୀ ଜାତୀୟ ପୁରସ୍କାର’ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ସୂଚନାଯୋଗ୍ଯ ଯେ ଶ୍ରୀ କୌଶିକ ବର୍ତ୍ତମାନ ଜ୍ଞାନପୀଠ ପୁରସ୍କାର ଚୟନ କମିଟିର ସଦସ୍ଯ ଭାବେ ମଧ୍ଯ ରହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟର ପ୍ରାତଃସ୍ମରଣୀୟ ସାହିତ୍ୟିକ ଫକୀରମୋହନ ସେନାପତିଙ୍କ ନାମରେ ନାମିତ ଏହି ପୁରସ୍କାର ଏଥି ପୂର୍ବରୁ ୟୁ.ଆର ଅନନ୍ତମୂର୍ତ୍ତୀ, ପେରୁମଲ ମୁରୁଗନ ଓ ଅଳକା ସରାଗୋଇଙ୍କୁ ପ୍ରଦାନ କରାଯାଇଛି । ମାନପତ୍ର ସମ୍ମାନ ସହ ଶ୍ରୀ କୌଶିକଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।ସେହିପରି ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଦତ୍ତ ‘ବ୍ଯାସଗୌରବ ସମ୍ମାନ-୨୦୨୪’ ବିଶିଷ୍ଟ ଲେଖକ ଓ ପ୍ରଶାସକ ଶ୍ରୀ ବିଜୟ ନାୟକ ଓ ପ୍ରଖ୍ୟାତ ନାଟ୍ୟକାର ଶ୍ରୀ ହେମେନ୍ଦ୍ର ମହାପାତ୍ରଙ୍କୁ ମାନପତ୍ର ସହ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ। ତରୁଣ କଥାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ କବିତା ବାରିକ ପ୍ରଦତ୍ତ ‘ଫକୀରମୋହନ ବିଶ୍ୱବିଦ୍ୟାଳୟ ଯୁବଗାଳ୍ପିକ ପୁରସ୍କାର’ ଯୁବଗାଳ୍ପିକା ସୁଶ୍ରୀ ଲୋପାମୁଦ୍ରା ମିଶ୍ରଙ୍କୁ ପ୍ରଦାନ କରାଯିବ।ଏଥିସହିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଗଳ୍ପ ଲିଖନ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ଯରେ ପ୍ରଚଳିତ ‘ମନୋଜାୟନ’ ସଂଗଠନ ଦ୍ବାରା ‘ମନୋଜ ନବପ୍ରତିଭା କଥା ପୁରସ୍କାର’ ପାଇଁ ବିଶ୍ବବିଦ୍ୟାଳୟ ଛାତ୍ରୀ ରଞ୍ଜିତା ବେହେରା ମନୋନୀତ ହୋଇଥିବା ବେଳେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ କବିତା ଲିଖନକୁ ପ୍ରୋତ୍ସାହିତ କରିବା ପାଇଁ ସୁମନ୍ତ ମଲ୍ଲିକଙ୍କୁ ‘ଜୟନ୍ତ ମହାପାତ୍ର କବିତା ପୁରସ୍କାର’ ଦିଆଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପୁରସ୍କାରଟି ‘ଦି ଓଡ଼ିଶା ଆସୋସିଏସନ ଫର୍ ଇଂଲିଶ ଷ୍ଟଡିଜ’ ଦ୍ବାରା ପ୍ରୋତ୍ସାହିତ ହୋଇଛି। ବିଶ୍ୱବିଦ୍ୟାଳୟ ୨୬ତମ ପ୍ରତିଷ୍ଠା ଦିବସ ସମାରୋହରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟି ଓ ସଂସ୍କୃତି, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ତତସହିତ ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମରେ ସ୍ଥାନୀୟ ତିନି ଜଣ ବିଧାୟକ ବିଶେଷ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ବିଶିଷ୍ଟ ଲେଖକ ତଥା ସାହିତ୍ଯ ଏକାଡେମୀର ସଭାପତି ଶ୍ରୀ ମାଧବ କୌଶିକ ମୁଖ୍ଯବକ୍ତା ଭାବେ ଯୋଗଦେବେ। ବିଶିଷ୍ଟ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀ ହେମେନ୍ଦ୍ର ମହାପାତ୍ର ତଥା ବିଶିଷ୍ଟ ଲେଖକ, ଅତିରିକ୍ତ ସଚିବ, ରାଷ୍ଟ୍ରପତି ଭବନ, ନୂଆଦିଲ୍ଲୀରୁ ଆମନ୍ତ୍ରିତ ଶ୍ରୀ ବିଜୟ ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେବେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଏହି ୨୬ତମ ପ୍ରତିଷ୍ଠା ଦିବସର ମୁଖ୍ଯ କାର୍ଯ୍ୟକ୍ରମ ଆସନ୍ତା କାଲି ଜୁଲାଇ ୧୧ ତାରିଖ ପୂର୍ବାହ୍ନ ୧୦ଟାରେ ସମ୍ପାଦିତ ହେବ ବୋଲି ଜଣାପଡିଛି।