ସିକେରକୁପା-ପଖୋରୀବନ୍ଧ ରାସ୍ତା : ପୋଲ ଉପରେ ବିପଦଜନକ ଖାଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଅଧିନରେ ଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ନିକଟସ୍ଥ ପୋଲ ଉପରେ ଏକ ବିପଦଜନକ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଏହା ପଥଚାରୀଙ୍କ ପାଇଁ ବିପଦ ପାଲଟିଛି। ପିଚୁ ଓ କଂକ୍ରିଟ ଉଠିଯାଇ ଗର୍ତ୍ତରେ ବର୍ଷାପାଣି ଭର୍ତ୍ତି ରହୁଥିବା ଯୋଗୁଁ ଗାଡ଼ିଚାଳକ ମାନେ ଜାଣି ନପାରି ଦୁର୍ଘଟଣାର ଶିକାର ହେଉଛନ୍ତି। ପୋଲଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଦୁଇ ପାର୍ଶ୍ଵର ବାଡ଼ ଅବସ୍ଥା ମଧ୍ୟ ଠିକ୍ ନାହିଁ। ଏହି ଗର୍ତ୍ତ ଯୋଗୁଁ ଯେକୌଣସି ମୁହୁର୍ତ୍ତରେ ବଡ଼ ଧରଣର ଅଘଟଣ ଘଟିବା ଆଶଙ୍କା ରହିଛି। ତଥାପି ଏହାର ମରାମତି ପାଇଁ ବିଭାଗୀୟ କତୃପକ୍ଷ ଆଦୈ ଦୃଷ୍ଟି ଦେଉନାହାନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ଏହି ରାଜ୍ୟ ରାଜପଥରେ ପ୍ରତ୍ୟହ ଶହ ଶହ ମାଲବାହୀ ଭାରିଯାନ ସହ ଅନେକ ଛୋଟ ବଡ଼ ଗାଡ଼ି ଯାତାୟାତ କରୁଛି।

କିଛି ବର୍ଷ ପୂର୍ବରୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ହୋଇଥିଲା ବେଳେ ଏହି ପୋଲ ନିର୍ମାଣ ପାଇଁ ବିଭାଗୀୟ କତୃପକ୍ଷ ତଥା ଠିକା ସଂସ୍ଥା ଗୁରୁତ୍ଵ ନଦେଇ ତରବରିଆ ଭାବେ କାମ ସାରିଦେଇଥିଲେ। କିଛି ଦିନ ପରେ ଏହା ଉପରେ ଏକ ଗର୍ତ୍ତ ସୃଷ୍ଟି ହୋଇଥିବାବେଳେ ସାମାନ୍ୟ ପଥରଗୁଣ୍ଡ ଢାଙ୍କି ଛାଡ଼ି ଦେଇଥିଲେ। ତେବେ ଏହି ଯାଗାରେ ଏବେ ପଥରଗୁଣ୍ଡ ଉଠିଯାଇ ଗର୍ତ୍ତଟି ବଢିବାରେ ଲାଗିଛି। ଏଥିଯୋଗୁଁ ଦିନପ୍ରତିଦିନ ଏଠାରେ ଛୋଟବଡ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆ ଖାବରା ହେଉଛନ୍ତି। ଏହାକୁ ନେଇ ଅଞ୍ଚଳବାସୀ ତଥା ପଥଚାରୀ ମାନଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଏହି ରାସ୍ତାର ଏକାଧିକ ସ୍ଥାନରେ ଗର୍ତ୍ତ ଓ ଫାଟ ସୃଷ୍ଟି ହୋଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବା ପାଇଁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.