ଦୁର୍ନୀତିର ଗନ୍ତାଘର ପାଲଟିଛି ଜିଲ୍ଲାପାଳଙ୍କ ଅଫିସ

ଅଭିଯୋଗ ଆଣିଲେ ବରିଷ୍ଠ ଆଇନଜିବୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଐତିହାସିକ ସୁବର୍ଣ୍ଣପୁର ଜିଲ୍ଲା ବର୍ତ୍ତମାନ ଏକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ବରିଷ୍ଠ ଆଇନଜିବୀ ବଳଦେବ ପ୍ରସାଦ ବେଦବାକ। ଏହି ଦୁର୍ନୀତି ରୂପକ ଖଜୁରୀ ଗଛର ମୂଳ ହେଉଛି ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ ନେଇ ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାର ଡବ୍ଲୁଓଡିସି ଗ୍ରାଣ୍ଟ, ଏମଜିଏନଆରଇଜିଏ ଗ୍ରାଣ୍ଟ, ଇଲେଭେନ ଏଫସି ଗ୍ରାଣ୍ଟ ଓଏସଏଫସି ଗ୍ରାଣ୍ଟ ତଥା ଜିଲାର ପ୍ରତ୍ୟେକ ବିଭାଗର ଅଧ୍ଯକ୍ଷ ସ୍ବୟଂ ଜିଲାପାଳ ହୋଇଥିବାରୁ ସମସ୍ତ ବିଭାଗୀୟ ଅନୁଦାନ ରିଲିଜ ପାଇଁ ବିଭାଗୀୟ ଫାଇଲ ଗୁଡିକୁ ଜିଲ୍ଲାପାଳଙ୍କ ସ୍ବାକ୍ଷର ନିମନ୍ତେ ଜିଲ୍ଲାପାଳ ଅଫିସ ପଠାଯାଉଛି। ତେବେ ସମସ୍ତ ଗ୍ରାଣ୍ଟ ରିଲିଜ କରାଇଦେବା ପାଇଁ ଜିଲ୍ଲାପାଳଙ୍କ ଅଫିସ ର କେହି ଜଣେ ଅଫିସର ୨% ରୁ ୧୦% ପର୍ଯ୍ୟନ୍ତ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଥିଲା ବେଳେ ତେବେ ଏହାର ସତ୍ୟତା ବିଷୟରେ ଆମ୍ଭେ ଅନୁସନ୍ଧାନ କରି କେତେକ ଉଦାହରଣ ଜାଣିବାକୁ ପାଇଲୁ ଯେ, ସୋନପୁର ଜିଲ୍ଲା ସଦର ମହକୁମାର ଲାଇବ୍ରେରୀ କୋଠା ପାଇଁ ୬୦ ଲକ୍ଷ ଟଙ୍କା ଡବ୍ଲୁଓଡିସି ଠାରୁ ପ୍ରଶାସନିକ ମଞ୍ଜୁରୀ ଲାଭ କରିଥିଲା। ପୁଣି ଚଳିତ ବର୍ଷ ଜାନୁୟାରୀ ୩୦ ରୁ ଅନୁଦାନ ମଧ୍ୟ ଆସି ସାରିଥିଲା।

ଅନୁଦାନ ପ୍ରାପ୍ତି ପରେ ପୂର୍ତ୍ତ ବିଭାଗ ତରଫରୁ ଏହାର ଟେଣ୍ଡର ପ୍ରକ୍ରିୟା ସାରି କାର୍ଯ୍ୟ ଆରମ୍ଭ କରି ଛାତ ଲେବେଲ ପର୍ଯ୍ୟନ୍ତ କାମ ସରି ସାରିଥିଲା ପରେ ମଧ୍ଯ ଟଙ୍କା ରିଲିଜ ହୋଇପାରି ନାହିଁ। ଅନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରୁ ଭଲୁଣ୍ଡା ମେଟାକାନି ପୀଠରେ କଲ୍ୟାଣ ମଣ୍ଡପ ପାଇଁ ୪୦,୦୦,୦୦୦ ଟଙ୍କା, ସୋନପୁର ନଗରରେ କଲ୍ୟାଣ ମଣ୍ଡପ ପାଇଁ ୪୦,୦୦,୦୦୦ ଟଙ୍କା, ମେଣ୍ଡା କଲେଜ କୋଠା ନିର୍ମାଣ, ଜାଲୋଏ କଲେଜ କୋଠା ନିର୍ମାଣ ଓ ଜିଲ୍ଲାର ଅନେକ ଗୁଡିଏ ପର୍ଯ୍ୟଟନ ସ୍ଥଳୀ ଗୁଡିକ ପାଇଁ ଅନୁଦାନ ଆସି ମଧ୍ଯ ଅନୁଦାନ ରିଲିଜ ହୋଇପାରୁ ନଥ୍‌ବା ଜଣାଯାଇଛି। ପୁଣି ଜିଲାରେ ନିର୍ବାଚନ ପାଇଁ ବ୍ୟବହୃତ ହୋଇଥିବା ଶହ ଶହ ଗାଡି ଗୁଡିକର ପେମେଣ୍ଟ ଜିଲ୍ଲାପାଳ ଅଫିସରୁ ଆଜି ପର୍ଯ୍ୟନ୍ତ ରିଲିଜ ହୋଇନାହିଁ। ଜିଲ୍ଲାର ଗାଡି ମାଲିକ ଗୁଡିକ ନିଜର ନ୍ୟାର୍ଜ୍ୟ ପ୍ରାପ୍ୟ ନପାଇ ଦୁଃଖରେ ଜୀବନ ଅତିବାହିତ କରୁଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ପ୍ରମୁଖ ବିଭାଗ ଯଥା ଆରଡବ୍ଲୁଏସ୍ଏସ, ପିଡବ୍ଲୁଡି, ଆରଡି, ଜଙ୍ଗଲ ବିଭାଗ, କୃଷି ବିଭାଗର ଅନୁଦାନ ଫାଇଲ ରିଲିଜ ପାଇଁ ମଧ୍ୟ ୨% ରୁ ୧୦% ପର୍ଯ୍ୟନ୍ତ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ତେବେ ଜିଲ୍ଲାପାଳ ଅଫିସରେ କିଏ ସେହି ଲାଞ୍ଚ ମାଗୁଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ବରିଷ୍ଠ ଆଇନଜିବୀ ବଳଦେବ ପ୍ରସାଦ ବେଦବାକ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.