ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ। ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ।

କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଉଥିବା ବେଳେ ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଅନ୍ୟତମ। ସାରା ଭାରତବର୍ଷରେ ଶ୍ରାବଣ ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଥାଏ। ତେବେ ଏହା ଉତ୍କଳୀୟ ସଂସ୍କୃତିର ଏକ ମହାନ ପର୍ବ ଭାବେ ଖ୍ୟାତ। ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବେ ଗ୍ରହଣ କରାଯାଏ। ହଳ ମୂଷଳ ଧାରଣ କରିଥିବା ମହାପ୍ରଭୁ ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହି ଦିନ ଗୋମାତାଙ୍କୁ ପୂଜା କରାଯାଏ।

ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ସୂତା (ରାକ୍ଷୀ) ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ଓଡ଼ିଶାର ସବୁଆଡ଼େ ଅତି ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳିତ ହେଉଥିବା ବେଳେ କୃଷକ ପରିବାରମାନଙ୍କରେ ପାରଂପରିକ ରିତିନିତି ଓ କୂଳାଚାର ଭିତ୍ତିରେ ଏହା ସଂପନ୍ନ ହୋଇଥାଏ। ଓଡ଼ିଶାର କେତେକ ଅଞ୍ଚଳରେ ଏହି ଦିନ ଗହ୍ମା ଡିଆଁ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଗୋମାତାଙ୍କ ପୂଜା ସାରି ଚାଷୀମାନେ ନିଜ ନିଜ ଜମିବାଡ଼ିରେ ମଧ୍ୟ ଫୁଲ, ଦୀପ ଏବଂ ପିଠା ଦାନକରି ଭଲ ଫସଲ ଅମଳ ପାଇଁ ପ୍ରାର୍ଥନା କରିଥାନ୍ତି।

ଏହି ସମୟରେ ଚାଷବାସ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ଚାଷୀ ପରିବାର ଓ ପାଖ ପଡେ଼ାଶୀଙ୍କ ସହ ଖୁସି ମନାଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁ ବଳରାମଙ୍କ ପବିତ୍ର ଜନ୍ମୋତ୍ସବ ସ୍ବତନ୍ତ୍ର ବିଧି ବିଧାନର ସହ ଅନୁଷ୍ଠିତ ହୋଇଥାଏ। ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଶ୍ରୀମନ୍ଦିରରେ ପାଳନ କରାଯାଇଥାଏ। ଦେବୀ ସୁଭଦ୍ରା ତାଙ୍କ ବଡ଼ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ହେଉଛି ‘ରକ୍ଷା ବନ୍ଧନ’ ପର୍ବ। ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ। ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ।

ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ। ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି। ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ। ଏହି ସ୍ନେହ-ପ୍ରେମର ବନ୍ଧନରେ ବାନ୍ଧି ହୋଇ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ରାଜି ହୋଇଯାଏ।

ତେବେ ଏହି ପ୍ରରମ୍ପରା ଆଜିକାଲିର ନୁହେଁ, ଏହା ଅତି ପ୍ରାଚ଼ୀନ। ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନକୁ ନେଇ ଅନେକ ରୋଚକ କାହାଣୀ। ପୁରାଣରେ ଦୈତ୍ୟରାଜ ବଳିଙ୍କ ଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି। ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈାଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନଥିଲେ। ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିଙ୍କ ରାଜପ୍ରାସାଦରେ ଅବସ୍ଥାନ କଲେ। ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ। ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ।

ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ। ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ। ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା। ଲକ୍ଷ୍ମୀ କ’ଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ। ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି ଯଦୁପତି ଭଗବାନ କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ। ଭଗବାନ ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ସମୟରେ ତାଙ୍କର ଅଙ୍ଗୁଳି କଟିଯାଇଥିଲା। ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା।

ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ। ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ଲକ୍ଷେ ବସ୍ତ୍ର ଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ। ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି। ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଲ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ।

ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ। ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ। ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ। ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ।
ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା। ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ। ତେବେ ଏହା ସବୁ ସ୍ଥାନରେ ନୁହେଁ, ସ୍ଥାନୀୟ ଭାବେ ପାଳିତ ହୋଇଥାଏ। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ। ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅଓ୍ବିଟ୍ଟମ ପାଳନ କରାଯାଇଥାଏ। ଏହାକୁ ଓଡ଼ିଶାର ବ୍ରାହ୍ମଣଶାସନରେ ଶ୍ରାବଣୀ ବେଦଉପାକର୍ମ ମଧ୍ୟ କୁହାଯାଏ।