ଭଗବାନ ହଳାୟୁଧଙ୍କ ଜନ୍ମ କାହାଣୀ 

ପାଣ୍ଡବ ଭାଇମାନେ ବନବାସ କାଳରେ କାମ୍ୟକ ବନରେ ବାସ କରୁଥାନ୍ତି। ତୃତୀୟ ପାଣ୍ଡବ ଅର୍ଜୁନ ଦିବ୍ୟାସ୍ତ୍ର ସନ୍ଧାନରେ ଚାଲି ଯାଇଥାନ୍ତି। ଅର୍ଜୁନଙ୍କ ବିନା ଧର୍ମରାଜ ଯୁଧିଷ୍ଠିରଙ୍କ ମନ ଲାଗୁ ନ ଥାଏ। ଦିନେ ସେ ଇତସ୍ତତଃ ବୁଲିବୁଲି ଯାଇ ରେବାନଦୀ ତଟରେ ରୈବତ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ। ଯୁଧିଷ୍ଠିର ତାଙ୍କୁ ଯଥାମାନ୍ୟ କରିବାରୁ ଋଷି ତାଙ୍କ ସର୍ବ କୁଶଳ ଜିଜ୍ଞାସା କଲେ। ଋଷିଙ୍କ ବିଷୟରେ ଯୁଧିଷ୍ଠିର ଜାଣିବାପାଇଁ ଚାହିଁବାରୁ ସେ ତାଙ୍କ କଥା ଆରମ୍ଭ କଲେ।
ଋଷି କହିଲେ ମୁଁ ଏଠିକାର ବହୁପୂର୍ବେ ରାଜା ଥିବା ବିଶ୍ଵାବସୁଙ୍କ କୂଳରେ ସମ୍ଭୁତ। ମୋ ପିତାଙ୍କ ନାମ ଜୟନ୍ତୀକ। ମୁଁ ସମସ୍ତ ବିଦ୍ୟା ତଥା ଯୋଗ ସାଧନ କରିଛି। ଏକଦା ରଜନୀ ଦଶ ଦଣ୍ଡ ହୋଇଛି ମୋ ଅଙ୍ଗରୁ ଏକ କନ୍ୟା ଜନ୍ମ ଲାଭ କଲା। ସେ କନ୍ୟା ଥିଲା ଲକ୍ଷ୍ମୀ ସ୍ୱରୂପା, ଗୁଣବତୀ ଏବଂ ରୂପବତୀ। ଜନ୍ମ ହେବା ମାତ୍ରେ ସେ ବେଦ ଧ୍ୱନୀ କଲା। ମାତ୍ର ସେ କୌଣସି ପାନ ଆହାର କଲାନାହିଁ। ଏହିପରି ଲକ୍ଷେକ ବର୍ଷ ବିତି ଗଲା। ମନେ ମନେ ଶୁକ୍ଲାମ୍ବର ଭଗବାନଙ୍କୁ ସେ ଧ୍ୟାନ କରୁଥାଏ। କନ୍ୟାର ବିବାହ ବୟସ ହୋଇ ଯାଇଥାଏ। ତାହାର ଇଚ୍ଛା କଅଣ ବୋଲି ମୁଁ ଦିନେ ପ୍ରଶ୍ନ କଲି। ସେ କହିଲା ମୋର ପତିହେବା ଯୋଗ୍ୟ ପୁରୁଷ ଏ ସଂସାରରେ କେହି ବି ନାହାଁନ୍ତି। ମୋ ପାଇଁ ପ୍ରଜାପତି କୌଣସି ପୁରୁଷ ସୃଷ୍ଟି କରି ନାହାଁନ୍ତି।
ପୁତ୍ରୀ ଠାରୁ ଏ କଥା ଶୁଣି ମୁଁ ଯାଇ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲି। ସେତେବେଳେ ସେ ସନ୍ଧ୍ୟା ତର୍ପଣ କରୁଥାନ୍ତି। ତର୍ପଣ ଶେଷ କରି ସେ ମୋ ଆଡ଼କୁ ଚାହିଁଲେ। ତାଙ୍କୁ ମୁଁ ଯଥାମାନ୍ୟ କରି ପଚାରିଲି, ଭଗବନ୍! ମୋର କନ୍ୟା ଗୋଟିଏ ଅଛି, ତାହା ପାଇଁ କଅଣ ଆପଣ କୌଣସି ପୁରୁଷ ସୃଷ୍ଟି କରି ନାହାଁନ୍ତି? ବ୍ରହ୍ମା କହିଲେ ତୋ ପୁତ୍ରୀର ବହୁ ପୁଣ୍ୟବଳ ଅଛି। ସେ ଯାହାର ଭାର୍ଯ୍ୟା ହେବ କହୁଛି ଶୁଣ। ଯମୁନା ତଟରେ ମଥୁରା ନାମକ ନଗର ଅଛି। ନିକଟରେ ରହିଛି ଗୋପପୁର। ଅଶିପଦ୍ମ ଗୋପାଳଙ୍କ ରାଜା ସେଠାରେ, ନନ୍ଦ ମହାଖୁଡ଼। ଗୋପାଳ ମାନଙ୍କର ଷୋଳସହସ୍ର ଗାଈ ସେଠାରେ ପଞ୍ଚକ୍ରୋଶ ବ୍ୟାପ୍ତ ଭୂମି ମାଡ଼ି ଚରୁଛନ୍ତି।
ପ୍ରଥମେ ନନ୍ଦଙ୍କର ଗୋଟିଏ କପିଳା ନାମରେ ଗାଈ ଥିଲା। କପିଳା ଠାରୁ ଜନ୍ମ ହେଲା ବଉଳା। ବଉଳା ଠାରୁ ନନ୍ଦିନୀ ଓ ଅବନୀ ଜନ୍ମ ହେଲେ। ଅବନୀର ଝିଅ ଅଶ୍ୱିନୀ ଓ ଅଶ୍ଵିନୀ ଝିଅ ସୁରଭି। ସୁରଭିର ବତ୍ସା ମହାଦେବୀ। ବତ୍ସା ମହାଦେବୀ କ୍ଷୁଧାରେ ଥରେ ଚଉବିଂଶ ଯୋଜନ ବିସ୍ତାର କ୍ଷୀର ସାଗରକୁ ପାନ କରି ଦେଇଥିଲା। ଏହି ମହାଦେବୀ ବତ୍ସାର ଝିଅ ନନ୍ଦିନୀ ଓ ତାହା ଠାରୁ ଜନ୍ମ କୃତ୍ତିକା। କୃତ୍ତିକା ଠାରୁ ସମ୍ଭବ ହୋଇ ଅଛନ୍ତି ଅଶି ପଦ୍ମ ଗାଈ। କୃତ୍ତିକା ଗାଭୀର ଜ୍ୟେଷ୍ଠ ଦୁହିତା ରୋହିଣୀ।
ରୋହିଣୀ ଥରେ ଯମୁନାରେ ଜଳପାନ କରୁଥିଲା ବେଳେ ଜଳରେ ଶୁଦ୍ଧ ସ୍ଫଟିକ ବର୍ଣ୍ଣର ଏକ ବିନ୍ଦୁ ଭାସିଆସିଲା। ସେ ବିନ୍ଦୁଟି ଜଳ ପାନ ସହିତ ରୋହିଣୀଙ୍କ ଗର୍ଭ ମଧ୍ୟରେ ପ୍ରବେଶ କଲା। ସେହି ବିନ୍ଦୁ ଗୋଟିଏ ସନ୍ତାନ ରୂପ ନେଇ ରୋହିଣୀଙ୍କ ହୃଦୟମଣ୍ଡଳରେ ବିହାର କରି କାଳ କ୍ରମେ ତାଙ୍କ ବାମନେତ୍ର ମଧ୍ୟରୁ ଜନ୍ମଲାଭ କଲା। ଶୁକ୍ଲ ବର୍ଣ୍ଣର ସେହି ପୁତ୍ର ଶରୀରର ଅପୂର୍ଵ ଦେହ କାନ୍ତି ଦେଖି ରୋହିଣୀ ମୁର୍ଚ୍ଛାଗଲେ। ସେ ପୁତ୍ରର ଶିରରେ ସପ୍ତଫଣୀ ଶୋଭା ପାଉଥାଏ ଓ ତା ପଦ ଆଘାତରେ ମେଦିନୀ ପ୍ରକମ୍ପିତ ହେଉଥିଲା।
ସେ ପୁଅର ଡୋଳାର ଅପୂର୍ଵ ତେଜରେ ସୂର୍ଯ୍ୟଙ୍କ କାନ୍ତି ମଳିନ ପଡ଼ିଗଲା। ତା ଦୃଷ୍ଟିର ତେଜ ଦେଖି ସବୁ ଗାଈ ମାନେ ପଳାଇ ଗଲେ।‌ ସେହି ପୁତ୍ରକୁ ନେଇ ଅଣାକାର ନାମକ ବଳଦ ରଖିଲା। ଗୋରୁ ମାନେ ତ୍ରସ୍ତ ହୋଇ ପଳାଇ ଯାଉଥିବା ଦେଖି ନନ୍ଦ ଦୋଉଡ଼ି ଯାଇ ଗୁହାଳରେ ସେ ଅପୂର୍ବ କାନ୍ତି ଯୁକ୍ତ ପୁଅଟିକୁ ଦେଖି ଆନନ୍ଦ ହେଲେ। ସେ ଭାବୁଥାନ୍ତି କିଏ ଏ ପୁଅଟିକୁ ପ୍ରସବ କଲା। ଏହି ସମୟରେ ନନ୍ଦରାଜା ଦେଖିଲେ ପାଖରେ ତାଙ୍କର ରୋହିଣୀ ଗାଈଟି ମୂର୍ଛିତହୋଇ ପଡ଼ିଛି। ଚକିତହୋଇ ସେ ଦେଖୁଛନ୍ତି, ଏହି ସମୟରେ ସ୍ୱର୍ଗରୁ ବାଣୀ ହେଲା, “ହେ ନନ୍ଦ! ଏ ପୁଅଟିକୁ ନେଇ ପାଳନ କର, ଏ ପୁଅ କାହାରି ନୁହେଁ”।
ଅନ୍ତରୀକ୍ଷରୁ ଏହି ଅଦ୍ଭୁତ ବାଣୀ ଶ୍ରବଣ କରି ନନ୍ଦ ସେ ପୁଅକୁ କୋଳ କରିବାକୁ ଧାଇଁଲେ। ଆଶ୍ଚର୍ଯ୍ୟ, ସେ ପୁଅଟି ଯେ ମନ୍ଦରପର୍ବତ ଠାରୁ ଅଧିକ ଗରୁ। ନନ୍ଦବାବା ପୁଅକୁ ଉଠାଇବାକୁ ଚେଷ୍ଟା କରି ମୁର୍ଚ୍ଛା ହୋଇଗଲେ। ଅମୃତ ଦୃଷ୍ଟିରେ ପୁଅଟି ଚାହିଁବାରୁ ନନ୍ଦ ସାଷ୍ଟମ ହେଲେ। ସେହି ପୁଅ କାହା ଘରକୁ ନଯାଇ ସେହିଠାରେ ରହିଲା।
ପୁଅକୁ ଦେଖି ରୋହିଣୀ କହିଲେ ଘୋର ସଙ୍କଟରୁ ଏହି ପୁଅଟି ପରିତ୍ରାଣ କରିଛି ଏଣୁ ଏହାର ନାମ ହେଉ ସଙ୍କର୍ଷଣ। ନନ୍ଦ କହିଲେ ଯେହେତୁ ତୋର ବଳ ଅପ୍ରମିତ, ତୋ’ର ନାମ ହେବ ବଳରାମ ଓ ଯଶୋଦା କହିଲେ ତୋ ନୀଳ ଜୀମୂତ କଳେବର ହେତୁ ତୋର ନାମ ନୀଳାମ୍ବର। ଗୋପାଳୁଣୀମାନେ କହିଲେ, ତୋର ପୁଣ୍ୟ ଜନ୍ମ ହୋଇ ଥିବାରୁ, ଆମେ ନାମ ଦେଉଛୁ କାମପାଳ।
ଏହି ସମୟରେ ବଳାନ୍ତକ ବୋଲି ଜଣେ ଗୋପ ଲଙ୍ଗଳଟିଏ ଧରି ସେଠାରେ ପହଞ୍ଚିଲେ। ପଞ୍ଚବକ୍ର ସେହି ଲଙ୍ଗଳର ଗଠନକୁ ଦେଖି ଅତୀବ ହର୍ଷରେ ବଳରାମ ତାକୁ ଗ୍ରହଣ କଲେ। ସେ ବାମହସ୍ତରେ ଲଙ୍ଗଳ ଓ ଡାହାଣ ହସ୍ତରେ ମୁଷଳ ଧାରଣ କରି ଗୋଗୋଷ୍ଠରେ ବିହାର କଲେ। ବ୍ରହ୍ମା ରୈବତକ ଋଷିଙ୍କୁ ବଳଦେବଙ୍କର ଏପରି ଜନ୍ମ କାହାଣୀ ଶୁଣାଇ କହିଲେ, ସେହି ବଳରାମ ତୋର ରେବତୀ କନ୍ୟା ପାଇଁ ଉପଯୁକ୍ତ ବର। ତାଙ୍କୁ ଯାଇ ତୋ କନ୍ୟାକୁ ସମର୍ପଣ କର। ଧରା ଭାର ଉଶ୍ୱାସ ପାଇଁ ସେ ଯୁଗେ ଯୁଗେ ଦେହ ଧାରଣ କରନ୍ତି। ସେ ପୁଣି କହିଲେ, ତ୍ରେତୟା ଯୁଗରେ ପ୍ରଭୁ ରାମ ଚନ୍ଦ୍ର ଦଣ୍ଡକ ବନରେ ବନବାସ କରୁଥିଲା ବେଳେ ଦିନେ ତୃଷାର୍ତ୍ତ ହେଲେ।
ପ୍ରଭୁଙ୍କୁ ଗୋପାଳମାନେ କ୍ଷୀର ପାନ କରାଇ ତୃଷା ନିବାରଣ କରାଇଲେ। ସେ ସମୟରେ ପ୍ରଭୁଙ୍କ ଠାରୁ ବର ପାଇ ନନ୍ଦ ଓ ଯଶୋଦା ଏ ଦ୍ୱାପର ଯୁଗରେ ବଳରାମଙ୍କୁ ପାଳନ ପୋଷଣ କରୁଛନ୍ତି। ଯୁଧିଷ୍ଠିର ମୁନି ରୈବତକଙ୍କ ଠାରୁ ହଳାୟୁଧଙ୍କ ଏହି ଅଦ୍ଭୁତ ଜନ୍ମକାହାଣୀ ଶୁଣି ନିଜକୁ କୃତ୍ୟ କୃତ୍ୟ ମନେକଲେ ଏବଂ ମହର୍ଷିଙ୍କୁ ପ୍ରଣିପାତ କରି ଆଶ୍ରମକୁ ଫେରି ଆସିଲେ। ଶ୍ରୀବଳଦେବ ହେଉଛନ୍ତି ହଳାୟୁଧ। ସେ କୃଷି ଓ ଗୋ ସମ୍ପଦର ଦେବତା।
ତାଙ୍କ ଜନ୍ମ ତିଥି ଶ୍ରାବଣ ପୂର୍ଣ୍ଣିମାକୁ ଗହ୍ମାପୂର୍ଣ୍ଣିମା ଭାବେ ପାଳନକରାଯାଏ। କୃଷକ ସମ୍ପ୍ରଦାୟରେ ପ୍ରଭୁ ଇଷ୍ଟ ଭାବେ ପୂଜାପାଇ ଥାନ୍ତି। ତାଙ୍କ ଜନ୍ମ ଦିବସରେ ଗୋ ସମ୍ପଦର ପୂଜା କରାଯାଇ ଥାଏ। ଭାଗବତ ଏବଂ ମହାଭାରତରୁ ଜ୍ଞାତ ହୁଏ ଯେ ବଳରାମ ବସୁଦେବଙ୍କ ଅନ୍ୟତମା ମହିଷୀ ରୋହିଣୀଙ୍କ ଗର୍ଭରୁ ଜାତ ହୋଇଥିଲେ। କିନ୍ତୁ ଶାରଳା ମହାଭାରତ ଅନୁସାରେ ବଳରାମ ରୋହିଣୀ ନାମକ ଗାଭୀ ଗର୍ଭରୁ ସମ୍ଭୁତ।
ଅର୍ଜୁନୀ ଚରଣ ବେହେରା 
ମୋ: ୭୬୯୩୦୯୧୯୭୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.