ସ୍ୱତନ୍ତ୍ର ଆକର୍ଷଣ ରହିଥିଲା ଜନ୍ମାଷ୍ଟମୀରେ ରାଧାକୃଷ୍ଣ ବେଶ ପ୍ରତିଯୋଗୀତା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପବିତ୍ର ଜନ୍ମାଷ୍ଟମୀରେ ପାଳନ କରୁଛି ୩୫ତମ ପ୍ରତିଷ୍ଠା ଦିବସ । ୧୯୯୦ ମସିହା ଜନ୍ମାଷ୍ଟମୀ ଦିନ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଆଜି ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣ କଂସର ବନ୍ଦୀ ଶାଳାରେ ଆଜିର ଦିନରେ ଜନ୍ମ ନେଇଥିଲେ । ଆଜି ସାରା ଦେଶରେ ଘରେ ଘରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଥିବା ବେଳେ ନର୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହୋଇଯାଇଛି ୩୫ ତମ ପ୍ରତିଷ୍ଠା ଦିବସ ସାଙ୍ଗକୁ ଜନ୍ମାଷ୍ଟମୀ ଉତ୍ସଵ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକଙ୍କ ନେତୃତ୍ୱରେ ଓ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଅଜୟ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହୋଇଛି ପ୍ରତିଷ୍ଠା ଉତ୍ସଵ ।
ଏହାର ଉଦ୍ଘାଟନୀ ଉତ୍ସଵରେ ଅତିଥି ଭାବରେ ଶିକ୍ଷକ କ୍ଷମାଶୀଳ ସାହୁ ଯୋଗଦାନ କରି ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ ସାରଥି ନାୟକ, ଉପସଭାପତି ସୁବନ ସାହୁ, ଯୁଗ୍ମ ସମ୍ପାଦକ ରୋହିତ ସେଠୀ, କୋଷାଧ୍ୟକ୍ଷ ହେମନ୍ତ ସାହୁ, ସଦସ୍ୟା ଜୟନ୍ତୀ ମାଝୀ ଓ ମାତୃ ମଣ୍ଡଳୀର ଅନେକ ସଦସ୍ୟା ଉପସ୍ଥିତ ଥିଲେ ।
ଅତିଥି ବୃନ୍ଦ ଦୀପ ପ୍ରଜ୍ଜ୍ୱଳନ ଓ ପୂଜନ କାର୍ଯ୍ୟ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶିଶୁ ପ୍ରାରମ୍ଭ ଓ ବୋଧ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିଲା ବିଭିନ୍ନ ପ୍ରତିଯୋଗିତା । ଶିଶୁ ପ୍ରାରମ୍ଭ, ବୋଧ, ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ରାଧା କୃଷ୍ଣ ବେଶ ପ୍ରତିଯୋଗିତା ବେଶ ଆକର୍ଷଣୀୟ ଓ ମନମୁଗ୍ଧକର ହୋଇଥିଲା । ରାଧା କୃଷ୍ଣ ବେଶରେ ସଜ୍ଜିତ ପ୍ରାରମ୍ଭ ଓ ବୋଧ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟରୁ ଚାରିଛକ ଯାଏଁ ଅନୁଷ୍ଠିତ ହୋଇଥଲା ରୋଡ଼ ସୋ ପ୍ରଦର୍ଶନୀ । ପ୍ରାରମ୍ଭ ଓ ବୋଧ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ନେଇ କଂସବଧ ଗୀତିନାଟ୍ୟ ପ୍ରଦର୍ଶିତ ହୋଇଥିଲା । ଆଚାର୍ଯ୍ୟା ପୁଷ୍ପା ପାଢୀ, ମନୋରମା ପତି, ଦେବରାଜ ଗଉଡ, ତୁଳସୀ ବିଶି, ନିକୁଞ୍ଜ ନାଗ, ବଇଲୋଚନ ପୋଢ଼, ସ୍ମରଣିକା ମଲ୍ଲିକ, ରଘୁନାଥ ସାହୁ ପ୍ରମୁଖଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବାପରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।