ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ଲା ବିଧାୟିକାଙ୍କ ସାକ୍ଷାତ ଆଲୋଚନା 

ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞ ନିଯୁକ୍ତି ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନଥିବାରୁ କୋମଳମତି ଶିଶୁ ଓ ମହିଳାମାନେ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହୁଛନ୍ତି। ସେମାନେ ଏଥିପାଇଁ ୩୦ କିଲୋମିଟର ଦୂର ଭବାନୀପାଟଣାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ବାଦ୍ଧ୍ୟ ହେଉଛନ୍ତି। ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନର୍ଲା ବ୍ଲକ ତଥା ପଡ଼ୋଶୀ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ହଜାର ହଜାର ଜନସାଧାରଣ ନିର୍ଭର କରିଥାନ୍ତି। ତେଣୁ ନର୍ଲାରେ ତୁରନ୍ତ ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି ନର୍ଲା ବିଧାୟିକା ମନୋରମା ମହାନ୍ତି।

ମଙ୍ଗଳବାର ବିଧାୟିକା ଶ୍ରୀମତୀ ମହାନ୍ତି ଭୁବନେଶ୍ବରରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ନିଜ ବିଧାନସଭା କ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସମ୍ବନ୍ଧୀୟ ଏକ ଦାବିପତ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ବିଧାୟିକା ଶ୍ରୀମତୀ ମହାନ୍ତି। ବିଧାୟିକାଙ୍କ ଦାବିକୁ ଗୁରୁତର ସହ ଗ୍ରହଣ କରି ସଂପୃକ୍ତ ବିଭାଗୀୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତିଶୃତି ଦେଇଥିବା ଜଣାପଡିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.