ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାର ୧୩ ଗୋଟି ବ୍ଲକରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଓ ଏସଆଇଏସର ମିଳିତ ସହଯୋଗରେ ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯାଉଛି। ଏହି କ୍ରମରେ ନର୍ଲା ବ୍ଲକ ପରିସରରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ଏକ ନିଯୁକ୍ତି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସମେତ ଏସଆଇଏସ ଅଧିକାରୀ ଉପସ୍ଥିତ ରହି ଯୋଗ୍ୟତା ଅନୁଯାୟୀ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଚୟନ କରିଥିଲେ।
ଶିବିରରେ ଏଥିପାଇଁ ୨୦୦ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଚୟନ କରାଯାଇଥିବା ଜଣାପଡିଛି। ଚୟନୀତ ପ୍ରାର୍ଥୀ ଫୋନ ପେ ମାଧ୍ୟମରେ ୩୫୦ ଟଙ୍କା ପଞ୍ଜିକରଣ ଶୁଳ୍କ ଦେଇ ନାମ ପଞ୍ଜିକରଣ କରିବେ ବୋଲି ଜଣାପଡିଛି। ଚୟନ କରାଯାଇଥିବା ଯୁବକ ଯୁବତୀ ମାନେ ଓଡ଼ିଶା ଭିତରେ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇବେ ବୋଲି ସୂଚନା ମିଳିଛି।





