ସନାତନ ସଂସ୍କୃତିରେ ବିଘ୍ନ ନାଶକ ଭଗବାନ ଗଣେଶ କଳା, ବିଜ୍ଞାନ, ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ପରିଚିତ। ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ। ତାଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ। ଅଗ୍ରପୂଜ୍ୟ ଗଣେଶଙ୍କ ଆବିର୍ଭାବକୁ ନେଇ ଏକ ସୁନ୍ଦର ଗାଥା ରହିଛି। ଥରେ ଦେବୀ ପାର୍ବତୀ ତାଙ୍କର ବଳକା ଅଙ୍ଗ ପ୍ରସାଧନୀ – ଅଙ୍ଗମୌଳୀ ହଳଦୀକୁ ହାତରେ ନେଇ ଅନ୍ୟମନସ୍କ ଭାବରେ ଏକଡ ସେକଡ କରୁକରୁ, ଅଜାଣତରେ ଏକ ଶିଶୁପୁତ୍ରର ପ୍ରତିମା ଗଢି ପକାଇଥିଲେ।
ତାଙ୍କର ମନୋଗତ ବାସନା ବୁଝି ଶ୍ରୀବିଷ୍ଣୁ ସେହି ପ୍ରତିମାଟିକୁ ଜିବନ୍ୟାସ ଦେଇଥିଲେ ଓ ଶିଶୁପୁତ୍ର ଭାବେ ଗଣେଶଙ୍କ ଆବିର୍ଭାବ ହୋଇଥିଲା। କିନ୍ତୁ ବିଧି ନିର୍ଦ୍ଦେଶ ମତେ ବାଳକ ଗଣେଶ ଓ ଗଣେଶଙ୍କ ପରିଚୟ ଜାଣିନଥିବା ମହାଦେବ ଶିବଙ୍କ ମଧ୍ୟରେ ଯୁଦ୍ଧ ଅବସମ୍ଭାବୀ ହେଲା। ଯୁଦ୍ଧରେ ପ୍ରଥମାବସ୍ଥାରେ ପରାହତ ଶିବ ଶେଷକୁ ସେହି ବିଷ୍ଣୁଙ୍କ ସହାୟତାରେ ହିଁ, ନିଜର ଅମୋଘ ଅସ୍ତ୍ରରେ ଗଣେଶଙ୍କୁ ନିହତ କରିଥିଲେ। ସତ୍ୟ ଉନ୍ମୋଚିତ ହେବା ପରେ, ଘଟଣାଚକ୍ରରେ ଏକ ହସ୍ତୀର ମସ୍ତକ ଗଣେଶଙ୍କ ଶରୀରରେ ଯୋଡି ତାଙ୍କୁ ପୁନର୍ଜୀବନ ଦିଆଯାଇଥିଲା।