ଘରୁ ପାଣି ନିଷ୍କାସନ କଲା ଦମକଳ: ତ୍ରିଲୋଚନର ପରିବାରକୁ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କଲା ବ୍ଲକ ପ୍ରଶାସନ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ଷ୍ଟେସନ ତଳି ସାହିକୁ ପୁଣି ପାଣି ପଶିଛି। ତ୍ରିଲୋଚନ ଶବର ଘର ଭିତରେ ଆଣ୍ଠୁଏ ପାଣି ଜମା ହୋଇଛି। ନର୍ଲା ଦମକଳ ବାହିନୀ ଆସି ପାଣି ନିଷ୍କାସନ କରୁଥିବା ଦେଖିବାକୁ ମିଳିଛି। ଗତ କାଲି ରବିବାର ରାତିରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତୁଳା ଗାଁ ପଟରୁ ପାଣି ମାଡି ଆସିବା ଫଳରେ ବିକ୍ରମ ଲଜ୍ ପଛ ପଟରୁ ପାଣି ମାଡ଼ି ଆସି ଷ୍ଟେସନ ଷ୍ଟାଫ କ୍ୱାଟର୍ସ ତଳ ସାହିକୁ ପାଣି ପଶି ଯାଇଛି।
ଖବର ପାଇ ନର୍ଲା ଅଗ୍ନିଶମ ବାହିନୀ ଆସି ପ୍ରଚୁର ପାଣି ପଶିଥିବା ତ୍ରିଲୋଚନ ଶବର ଘରୁ ପାଣି ନିଷ୍କାସନ କରିବା ସହିତ ଘଟଣା ସ୍ଥଳରେ ନର୍ଲା ତହସିଲଦାର ବିଶ୍ଵନାଥ କହଁର, ନର୍ଲା ସେକ୍ସନ ଅଫିସର ଦିଗ ପଧାନ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ ପ୍ରମୁଖ ତ୍ରିଲୋଚନଙ୍କ ପରିବାରକୁ ନର୍ଲାରୋଡ଼ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ସହିତ ଉକ୍ତ ପରିବାରର ଖାଦ୍ୟପେୟ ବ୍ୟବସ୍ଥା ପ୍ରଶାସନ ତରଫରୁ ବ୍ୟବସ୍ଥା କରିଥିବା ଜଣାପଡ଼ିଛି।
ନର୍ଲାରୋଡ଼ ଷ୍ଟେସନ ତଳ ସାହିକୁ ପାଣି ପଶିବା ଘଟଣା ଏହା ନୁଆ କଥା ନୁହଁ। ପ୍ରତିବର୍ଷ ଲଗାଣ ବର୍ଷା ହେଲେ ଏହି ସାହି ଓ ଦୁର୍ଗା ମଣ୍ଡପ ସମ୍ମୁଖସ୍ଥ ଘର ମାନଙ୍କୁ ପାଣି ପଶିବା ଏକ ସଧାରଣ ଘଟଣାରେ ପରିଣତ ହୋଇ ଗଲାଣି। ପ୍ରତିବର୍ଷ ଏହି ସମୟରେ ଉକ୍ତ ସାହି ଗୁଡିକର ପ୍ରତ୍ୟେକ ଘରେ ଘର ଭିତରେ ପଶିଥିବ ପାଣି ନିଷ୍କାସନ ପାଇଁ ମୋଟର ପମ୍ପ ଦିନରାତି ଚାଲିଥାଏ। ରାସ୍ତା ଉଚ୍ଚା ହେବା ଓ ଡ୍ରେନ ପୋତି ହୋଇ ପଡିବା ଫଳରେ ପାଣି ନିଷ୍କାସିତ ହୋଇ ନପାରି ପ୍ରତିବର୍ଷ ବର୍ଷାଦିନେ ଏହି ଦୁଇ ସାହିର ଘର ଭିତରେ ପାଣି ପଶିଥାଏ।
ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ କୁ ଅନୁରୋଧ କରିଥିବା ଜଣାପଡ଼ିଛି। ଗତକାଲି ରାତିରୁ ଅପ୍ରତ୍ୟାଶିତ ଭାବରେ ତ୍ରିଲୋଚନ ଘରେ ପାଣି ପଶି ଯିବାରୁ। ତାଙ୍କର ପାରିବାର ଛୋଟ ଛୁଆ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଡାଲି, ଚାଉଳ, ଅନ୍ୟାନ୍ୟ ସାମଗ୍ରୀ ଓ କାଗଜ ପତ୍ର ସବୁ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।