ସୁବର୍ଣ୍ଣପୁରରେ ସୁଭଦ୍ରା ଯୋଜନାର ଲୋକାର୍ପଣ ସମାରୋହ 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମହିଳାଙ୍କୁ ଆର୍ଥିକ ସଶକ୍ତ ଓ ସେମାନଙ୍କ ବିକାଶ ନିମନ୍ତେ ରାଜ୍ୟରେ ପ୍ରଣୟନ ଯୁଗାନ୍ତକାରୀ ସୁଭଦ୍ରା ଯୋଜନାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଜନତା ମଇଦାନରେ ଶୁଭ ଲୋକାର୍ପଣ କରିଛନ୍ତି । କାର୍ଯ୍ୟକ୍ରମର ସିଧା ପ୍ରସାରଣ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ୬ ଗୋଟି ବ୍ଲକରେ ଆଜି ପୂର୍ବାହ୍ନରେ ସୁଭଦ୍ରା ଲୋକାର୍ପଣ ଉତ୍ସବ ନିମନ୍ତେ ସମାବେଶ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ସୋନପୁର ବ୍ଲକ ଅନ୍ତର୍ଗତ ହରଡ଼ଖୋଲ ଠାରେ ଅନୁଷ୍ଠିତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉପସ୍ଥିତ ମା ମାନଙ୍କୁ ଯୋଜନାର ଲକ୍ଷ୍ୟ ଓ ଉଦେଶ୍ୟ ତଥା ପ୍ରାପ୍ତ କିସ୍ତି ଟଙ୍କାର ଉପଯୁକ୍ତ ବିନିଯୋଗ ଉପରେ ସୁପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ସେପ୍ଟେମ୍ବର ୧୭ ଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ଅଭିଯାନ ନିମନ୍ତେ ଉପସ୍ଥିତ ସମସ୍ତେ ଶପଥ ପାଠ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ଦାସ ସମସ୍ତେ ନିଜ ନିଜର ସ୍ୱଛତା ସହ ପାରିପାର୍ଶ୍ଵିକ ଓ ସମାଜର ସ୍ୱଛତା ପ୍ରତି ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇ ଚଳିତ ବର୍ଷର ଶୀର୍ଷକ ସ୍ଵଭାଵ ସ୍ୱଛତା -ସଂସ୍କାର ସ୍ୱଛତା ଉପରେ ନିଜର ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ସୋନପୁର ବ୍ଲକ ଅଞ୍ଚଳର ୪୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ସମାବେଶରେ ସିଡିଓ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଅଧ୍ୟକ୍ଷା ସୋନପୁର ପୌରପରିଷଦ ତାମସୀ ତାମସ୍ମିତା ନାଏକ, ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ, ସିଡ଼ିପିଓ ସାଗରୀକା ସ୍ୱାଇଁ, ବିପିସି ସୁଭାଷ ଚନ୍ଦ୍ର ବିଶି ସୋନପୁର ଅତିଥି ଭାବରେ ଯୋଗଦେଇଥିଲେ । ବ୍ଲକର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିବା ବେଳେ ଏହି ସମାବେଶରେ ୩ ହଜାରରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ। ପରେ ପରେ ଶାଶ୍ୱତ ତ୍ରିପାଠୀ ଓ ସାଥି କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.