ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ “ପିତୃ ତର୍ପଣ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବ୍ରାହ୍ମଣ ସମାଜ ଜିଲ୍ଲା ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବରେ କର୍ମକାଣ୍ଡ ବିଶାରଦ ପଣ୍ଡିତ ମଙ୍ଗଳୁ ମିଶ୍ର ଯୋଗ ଦେଇ ପିତୃ ପକ୍ଷ, ପିତୃ ତର୍ପଣର ଉଦ୍ଦେଶ୍ୟ ଓ ମହତ୍ତ୍ଵ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ସହ ତର୍ପଣ ବିଧି ସମ୍ପର୍କରେ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରେ ସହରର ବହୁ ବ୍ରାହ୍ମଣ ସଦସ୍ୟ ଉପସ୍ଥିତ ରହି ପିତୃ ତର୍ପଣ ସମ୍ପର୍କରେ ନିଜ ନିଜର ଜିଜ୍ଞାସା ପଣ୍ଡିତ ମଙ୍ଗଳୁ ମିଶ୍ରଙ୍କ ଠାରୁ ପଚାରି ବୁଝିଥିଲେ। ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ସ୍ବାଗତ ଭାଷଣ ଓ ଭବାନୀପାଟଣା ନଗର କମିଟି ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବ୍ରାହ୍ମଣ ସମାଜ ସଦସ୍ୟ ଜନ୍ମେଜୟ ମହାପାତ୍ର, ସନ୍ତୋଷ ଦାଶ, ସୁଚିତ ମୁଣ୍ଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଆଶ୍ୱିନ କୃଷ୍ଣ ପକ୍ଷ ପ୍ରତିପଦା ସେପ୍ଟେମ୍ୱର ୧୮ ତାରିଖରୁ ପିତୃ ପକ୍ଷ ଆରମ୍ଭ ହେଉଛି ଓ ଅକ୍ଟୋବର ୨ ତାରିଖ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ପିତୃ ପକ୍ଷରେ ପିତୃ ତର୍ପଣ ଅନୁଷ୍ଠିତ ହେବ।