ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ସ୍କୁଲ ଶିକ୍ଷକ ତଥା ସ୍କୁଲ ପିଲାମାନଙ୍କ ପାଖରେ ଆର୍ଥିକ ସାକ୍ଷରତା ଏବଂ ସଚେତନତାର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ ଭବାନୀପାଟଣା ପୋଲିସ ହାଇସ୍କୁଲଠାରେ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ସୋମବାର ଏକ ବ୍ଲକସ୍ତରୀୟ ‘ଟ୍ରେନ୍-ଦି-ଟ୍ରେନର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ଏବଂ ନର୍ଲା ବ୍ଲକର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟର ୮୩ ଜଣ ଶିକ୍ଷକ ଅଂଶଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରବନ୍ଧକ ବିନୋଦ କୁମାର ଦାସ ଆର୍ଥିକ ସାକ୍ଷରତା, ଶିକ୍ଷା ଋଣ ପାଇଁ ବିଦ୍ୟା ଲକ୍ଷ୍ମୀ ପୋର୍ଟାଲ, ଡିଜିଟାଲ ବ୍ୟାଙ୍କିଂ, ବିଭିନ୍ନ ପ୍ରକାର ଠକେଇ, ସାଇବର ସୁରକ୍ଷା, ବ୍ୟାଙ୍କରେ ଅଭିଯୋଗ ସମାଧାନ ବ୍ୟବସ୍ଥା, ଆରବିଆଇର ସମନ୍ବିତ ଲୋକପାଳ ଯୋଜନା ଇତ୍ୟାଦି ସମ୍ବନ୍ଧରେ ବିଭିନ୍ନ ଅଧିବେଶନ ନେଇଥିଲେ।
ଟ୍ରେନିଂରୁ ପ୍ରାପ୍ତ ଆର୍ଥିକ ସଚେତନତା ବାର୍ତ୍ତା ଗୁଡିକୁ ବିଦ୍ୟାଳୟର ଅନ୍ୟ ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ଶିକ୍ଷକମାନଙ୍କୁ ଅନୁରୋଧ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଆରବିଆଇର ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ଏଭଳି ଆହୁରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁରୋଧ କରିଥିଲେ।
କଳାହାଣ୍ଡି ଜିଲ୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଯୋଜକ ବୀରେନ୍ଦ୍ର କୁମାର ଆଚାର୍ଯ୍ୟ ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀଙ୍କ ସମେତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଅଧିକାରୀ ପ୍ରଶାନ୍ତ ନନ୍ଦ ଏବଂ ସୋମନାଥ ସାହୁ ତଥା କଳାହାଣ୍ଡି ଏଲଡିଏମ ଧର୍ମୁରାଜ ସୁନାନି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପୋଲିସ ହାଇସ୍କୁଲର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।