କଳାହାଣ୍ଡି ଶିକ୍ଷା ବିକାଶ ପରିଷଦର ରୌପ୍ୟ ଜୟନ୍ତୀ : ପ୍ରଥମ ଚରଣ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ଓ ପ୍ରଗତି ଶିକ୍ଷାନୁଷ୍ଠାନ ଆନୁକୂଲ୍ୟରେ ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି ଶିକ୍ଷାନୁଷ୍ଠାନରେ କଳାହାଣ୍ଡି ଶିକ୍ଷା ବିକାଶ ପରିଷଦର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ : ପ୍ରଥମ ଚରଣ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଲୋକସଭା ସାଂସଦ ମାଲବିକା ଦେବୀ ଓ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଶିକ୍ଷା ବିକାଶ ପରିଷଦର ସଭାପତି ପ୍ରଫେସର ଗୋପବନ୍ଧୁ ବେହେରା, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ମୁଣ୍ଡ, ସମ୍ପାଦକ କୃଷ୍ଣାବତାର ଦେଓ, ପ୍ରଗତି ଶିକ୍ଷାନୁଷ୍ଠାନର ସମ୍ପାଦକ ଇଂ ଅଜୟ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀ ମୁଣ୍ଡ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଚିନ୍ମୟ କୁମାର ଗୁରୁ, ରଜନୀ ବେହେରା, ପୂଣ୍ୟଦୀପା ଖମାରୀ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

ପ୍ରଥମେ ଅତିଥିମାନଙ୍କଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ହେବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଗତି ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦକ କୃଷ୍ଣାବତାର ଦେଓ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଦୀର୍ଘ ୨୫ ବର୍ଷ ଧରି କେବଳ ଶିକ୍ଷା ନୁହେଁ ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ବାଣିଜ୍ୟ, ଗମନାଗମନ ଆଦି କ୍ଷେତ୍ରରେ ଜିଲ୍ଲାରେ କିପରି ବିକାଶ ଆସିବ, ତାହାକୁ ନେଇ ଏହି କଳାହାଣ୍ଡି ଶିକ୍ଷା ବିକାଶ ପରିଷଦର କର୍ମକର୍ତ୍ତା ସର୍ବଦା ଉଦ୍ୟମରତ ବୋଲି ଶ୍ରୀ ଦେଓ ତାଙ୍କର ବିବରଣୀରେ ପ୍ରକାଶ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ବିକାଶକୁ ଦୃଷ୍ଟିରେ ରଖି ଶୀଘ୍ର ଏକ କୃଷି ବିଶ୍ୱବିଦ୍ୟାଳୟ, ସ୍ପୋର୍ଟ୍ସ୍ କଲେଜ, ପ୍ଲାନିଟୋରିୟମ ଖୋଲିବା ପାଇଁ ପରିଷଦର ସଭାପତି ପ୍ରଫେସର ବେହେରା ମାନ୍ୟବର ସାଂସଦଙ୍କଠାରେ ଦାବି ଜଣେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବର୍ଗର ଆଶାୟୀ ପରୀକ୍ଷାର୍ଥୀମାନଙ୍କର ସୁବିଧା ନିମନ୍ତେ ଜିଲ୍ଲା ମଧ୍ୟରେ ସରକାରୀ ନିଯୁକ୍ତି ଓ ପ୍ରବେଶିକା ପରୀକ୍ଷାଗୁଡିକ ଅନୁଷ୍ଠିତ ହେବା ନିମନ୍ତେ ପ୍ରଗତି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସଦଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ତ୍ୱ ଦେବା ସହିତ ବିଏସସି ନର୍ସିଂ, ପାରା ମେଡିକାଲ କ୍ଷେତ୍ରରେ ପ୍ରାଧାନ୍ୟ ଦେବା ସହିତ କଳାହାଣ୍ଡିର ବିକାଶ ଦିଗରେ ପ୍ରଗତି ଶିକ୍ଷାନୁଷ୍ଠାନର ଭୂମିକା ସମ୍ପର୍କରେ ଅନୁଷ୍ଠାନର ମୁଖ୍ୟ ଇଂ ପଣ୍ଡା ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନୂତନ ଭାବେ ନିର୍ବାଚିତ ହୋଇଥିବା କଳାହାଣ୍ଡି ଜିଲ୍ଲାର ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ପରିଶେଷରେ ଭାଗୀରଥି ଭୋଇଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.