ବାଲେଶ୍ୱର : ‘ଦାନା’ର ପ୍ରଭାବରେ ପ୍ରଭୂତ କ୍ଷୟକ୍ଷତି

•ସହରରେ ୨୪ ଘଣ୍ଟାରେ ୬୮.୮ ଏମଏମ ବର୍ଷା

•ବର୍ଷା ଓ ପବନରେ ସହର ଜନଶୂନ୍ୟ

•ପବନରେ ଭାଙ୍ଗିଲା ଗଛ, ଗଡିଲା ବିଦ୍ୟୁତ ଖୁଣ୍ଟ

•ଦିନ ସାରା ବର୍ଷା ଓ କୋହଲା ପବନ ଲାଗି ରହିଛି

• କେହି ମୃତାହତ ହୋଇନାହାନ୍ତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବହୁ ଆକାଂକ୍ଷିତ ବାତ୍ୟା ‘ଦାନା’ ଭିତରକନିକା ଅନ୍ତର୍ଗତ ହବାଳିଖଟି ନେଚର୍ କ୍ୟାମ୍ପ ନିକଟରେ ଗତକାଲି ରାତିରେ ସ୍ଥଳଭାଗ ଛୁଇଁବା ପରେ ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ପ୍ରଭୁତ କ୍ଷୟକ୍ଷତି କରିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଏହି ଲ୍ଯାଣ୍ଡଫଲ୍ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିଥିବା ବେଳେ ମଧ୍ୟରାତ୍ର ଠାରୁ ଦକ୍ଷିଣ ବାଲେଶ୍ଵରର ବିଭିନ୍ନ ବ୍ଲକ୍ ପ୍ରଭାବିତ ହୋଇଛି। ତେବେ ‘ଦାନା’ର ପ୍ରଭାବ ବାଲେଶ୍ଵର ସହରକୁ ବିଶେଷ କ୍ଷତି ପହଞ୍ଚାଇ ନଥିବା ବେଳେ ସହର ଆପାତତଃ ଜନଶୂନ୍ୟ ରହିଛି।

ଗୁରୁବାର ଠାରୁ ଲଗାଣ ବର୍ଷା ଓ ପବନ ଲାଗି ରହିବା ଯୋଗୁଁ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡିଛି। ଶୁକ୍ରବାର ଦିନ ବାଲେଶ୍ଵର ସହରରେ ଲଗାଣ ବର୍ଷା ସହ ତୁହାକୁ ତୁହା ପବନ ଲାଗି ରହିଛି। ବେଳେବେଳେ ପବନର ବେଗ ମଧ୍ୟ ବୃଦ୍ଧି ପାଉଛି।‌ ବାତ୍ୟା ପ୍ରଭାବରେ ବାଲେଶ୍ଵର ସହର ଜନଶୂନ୍ୟ ଥିବାବେଳେ ପବନ ଓ ବର୍ଷାରେ ଅଶାନ୍ତି ହୋଇପଡିଛି ସମଗ୍ର ସହର। ଲଗାଣ ବର୍ଷା ଯୋଗୁଁ ସହରବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ଥିବାବେଳେ ପବନ ଯୋଗୁଁ ଶ୍ରୀହୀନ ହୋଇଛି ସହର। ରାସ୍ତା, ଡ୍ରେନ୍ ଆଦି ଗଛ, ଡାଳରେ ଭର୍ତ୍ତି ହୋଇଥିବା ବେଳେ ଏହାକୁ ସଫା କରିବା ପାଇଁ କାମରେ ଲାଗିଛନ୍ତି ଟିମ୍।


‘ଦାନା’ ସ୍ଥଳଭାଗ ଛୁଇଁବା ସମୟରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ଵର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବାଲେଶ୍ଵର ସହର ଓ ରେମୁଣା ଅଞ୍ଚଳରେ ଗଛ ସହ ଗଛର ଡାଳ ପଡି ବିଦ୍ୟୁତ ଓ ଟେଲିଫୋନ୍ ତାର ଛିଣ୍ଡି ଯାଇଛି। ଏମିତିକି ପବନ ମାଡ଼ରେ ବାଲେଶ୍ଵର ସହର ଓ ରେମୁଣାରେ ବଡ଼ ବଡ ଗଛ ଧରାଶାୟୀ ହୋଇପଡ଼ିଛି। ରେମୁଣା ବ୍ଲକ ନିଜାମପୁର ପଞ୍ଚାୟତ ଡୁମୁଡାରେ ଗୃହ ଭାଙ୍ଗିଯିବା ଯୋଗୁଁ ରାସ୍ତା ଅବରୋଧ ସହ ବିଦ୍ୟୁତ ତାର ଛିଣ୍ଡି ଯାଇଛି। ସେହିପରି ବାଲେଶ୍ଵର ସହରର ୨୯ ନମ୍ବର ଓ୍ବାର୍ଡ ଗୋପାଳଗାଁ ରାସ୍ତା ଉପରେ କାମ ପାଇଁ ଥିବା ବାଉଁଶ ଗୃହନିର୍ମାଣ ସ୍ଥାନରୁ ଉଡି ଆସି ରାସ୍ତା ଉପରେ ପଡିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଉକ୍ତ ଅଞ୍ଚଳର କାଉନସିଲର କାର୍ତ୍ତିକ ଚନ୍ଦ୍ର ସାହୁ ସେଠୀ ଉଦ୍ଧାର କାମ ନିକଟରେ ପହଞ୍ଚିଛନ୍ତି।

ସେହିପରି ବାତ୍ୟା ‘ଦାନା’ ପ୍ରଭାବରେ ୯ ନମ୍ବର ଓ୍ବାର୍ଡ ପୋଲିସ ଲାଇନ୍ ନିକଟରେ ବଡ଼ ବଡ ପଟାସ୍ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ କରିଛି। ଉକ୍ତ ଓ୍ବାର୍ଡ କାଉନସିଲର ସଞ୍ଜୀବ କୁମାର ଦାସ ଉକ୍ତ ସ୍ଥାନରେ ପହଞ୍ଚି ପରିସ୍ଥିତି ଦେଖିଥିଲେ ଏବଂ ଉଦ୍ଧାରକାରୀ ଟିମ୍ ପକ୍ଷରୁ ଗଛ କଟା ଯାଇ ରାସ୍ତାକୁ ଗମନାଗମନ ଉପଯୋଗୀ କରାଯାଇଛି। ସେହିପରି ସହରର ବିଭିନ୍ନ ଓ୍ବାର୍ଡରେ ଛୋଟବଡ଼ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଏଥିସହିତ ବାଲିଘାଟ ଠାରେ ବୁଢାବଳଙ୍ଗ ନଦୀ ଫୁଲିଥିବା ଦେଖିବାକୁ ମିଳିଥିଲା। ପ୍ରବଳ ପବନ ଯୋଗୁଁ ସାରଗାଁ ସାଉଁ ନିକଟରେ ବଡ଼ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଗଳିପଡିଛି। ଏହାବ୍ୟତୀତ ଲଗାଣ ବର୍ଷା ଓ ପବନ ଯୋଗୁଁ ବ୍ୟାପକ ଭାବେ ଧାନ ଓ ପନିପରିବା କ୍ଷତି ହୋଇଥିବା ଜଣା ପଡ଼ିଛି। “ଶୁକ୍ରବାର ରାତିରୁ ଦିନ ତମାମ ବାଲେଶ୍ଵର ସହରରେ ବର୍ଷା ଓ ପବନ ଲାଗି ରହିଥିବା ଯୋଗୁଁ ଆଜି ବି ଓରେଞ୍ଜ ଓ୍ବାର୍ଣ୍ଣିଂରେ ବାଲେଶ୍ଵର ରହିଛି।

ତେବେ ବାଲେଶ୍ଵର ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ଵର ସହରରେ ୬୮.୮ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏବେ ୨୫/୩୦ କିମି ବେଗରେ ପବନର ବେଗ ରହୁଛି। ଏହା ଆସ୍ତେ ଆସ୍ତେ କମିବ। ଦିନ ସାରା ବର୍ଷା ଓ କୋହଲା ପବନ ଲାଗି ରହିବ” ବୋଲି ବାଲେଶ୍ଵର ପାଣିପାଗ ବିଭାଗ ମୁଖ୍ୟ ମଦନ ମୋହନ ଦାସ ସୂଚନା ଦେଇଛନ୍ତି। ତେବେ ସହରରେ ବିଦ୍ୟୁତ ସରାବରାହ ସ୍ଵାଭାବିକ ଥିବା ବେଳେ ସ୍ଵାସ୍ଥ୍ୟ ସେବା ଓ ଜଳଯୋଗାଣ ସମେତ ରାସ୍ତା ଅବରୋଧକୁ ପ୍ରାଥମିକତା ଦିଆଯାଇଛି। ଆଜି ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳି ବୁଲି ସଠିକ କାର୍ଯ୍ୟ ଚାଲିଛି କି ନାହିଁ ତଦାରଖ କରିଥିଲେ। ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ସକାଳ ୭ର ଅପରାହ୍ନ ୨ଟା ପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ବର୍ଷାର ପରିମାଣ ୮୮୬ମିମି ରହିଛି। ବସ୍ତାରେ ୨୬, ଜଳେଶ୍ଵରରେ ୧୧, ବାଲିଆପାଳରେ ୩, ବାଲେଶ୍ଵର ୭୩, ରେମୁଣା ୪୦, ନୀଳଗିରି ୯୪, ସୋରୋ ୭୪, ବାହାନଗା ୭୮, ସିମୁଳିଆ ୯୪, ଖଇରା ୧୭୭ ଓ ଔପଦାରେ ସର୍ବାଧିକ ୨୧୬ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.