ଧାନ ବିକ୍ରୀକୁ ନେଇ ଦ୍ବନ୍ଦରେ ଲାଖଗୁଡା ଦଧିବାମନଜୀଉ ମନ୍ଦିର ଜମିର ଭାଗ ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବର୍ତ୍ତମାନ ଆରମ୍ଭ ହୋଇଛି ଖରିଫ ଧାନ ଅମଳ ସମୟ। ତେବେ ନର୍ଲା ବ୍ଲକ ଅନ୍ତର୍ଗତ ଲାଖଗୁଡା ଦଧିବାମନଜୀଉ ମନ୍ଦିର (ଜଗନ୍ନାଥ ମନ୍ଦିର) ଜମି ଚାଷ କରୁଥିବା ଭାଗ ଚାଷୀ ଧାନ ବିକ୍ରୀକୁ ନେଇ ଦ୍ବନ୍ଦରେ ପଡିଛନ୍ତି। ଭାଗ ଚାଷୀ ହୋଇଥିଲେ ମଧ୍ୟ ସେମାନଙ୍କ ନାମରେ ଭାଗ ଚାଷୀ ଭାବରେ ମଣ୍ଡିରେ ଧାନ ବିକିବାର କୈାଣସି ରାସ୍ତା ନାହିଁ। ପ୍ରାପ୍ତ ସୂଚନା ଅନୁସାରେ ନାଥ ତିହାଡି ନାମକ ଜଣେ ବ୍ରାହ୍ମଣ ଲାଖଗୁଡା ଜଗନ୍ନାଥ ମନ୍ଦିରକୁ ନିଜର ୫ ଏକର ୯୨ ଡେସିମିଲ ଜମି ଦାନ କରିଥିଲେ। ସ୍ବର୍ଗତ ନାଥ ତିହାଡିଙ୍କ କୈାଣସି ଉତ୍ତରାଧିକାରୀ ମଧ୍ୟ ନାହାଁନ୍ତି। ଏପଟେ ଭୁବନ୍ଦୋବସ୍ତ ସମୟରେ ଜଣେ ବ୍ୟକ୍ତି ମନ୍ଦିର ଜମିର ମାର୍ଫଦଦାର ରହିଲେ। ଅନେକ ବର୍ଷ ହେଲା ସେହି ମାର୍ଫଦାରଙ୍କ ସଂପର୍କିୟ ମନ୍ଦିରର ଜମିର ଧାନ ବିକ୍ରୀ ପାଇଁ ପଞ୍ଜିକରଣ କରି ମଣ୍ଡିରେ ନିଜ ଧାନ ବିକି ଆସୁଥିବା ଅଭିଯୋଗ ହୋଇଛି। ତେଣୁ ଭାଗଚାଷୀମାନେ ନିଜର ଧାନ ବିକ୍ରୀ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଭାଗଚାଷୀମାନେ ରୁପ୍ରାରୋଡ କୃଷି ସେବା ସମବାୟ ସମିତିରେ ପ୍ରତିବାଦ କଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ। ତେଣୁ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.