ମାଁ ନାମ କେତେ ମିଠା। ମାଁ ନାମରେ ଅଭୟ,ବରାଭୟ,ନିରାପଦ ରହିଛି।ମାଁ ସନ୍ତାନ ବତ୍ସଳା। ସ୍ନେହଶ୍ରଦ୍ଧାର ଅସରନ୍ତି ଭଣ୍ଡାର। ସହନଶୀଳତା ,ତ୍ୟାଗର ଉଚ୍ଚାଙ୍ଗ ଉଚ୍ଚାରଣ ମାଁ। ପ୍ରକୃତରେ ମାଁ ବ୍ୟତୀତ ଆଉ କିଏ ଅଛି ସନ୍ତାନର ଦୁଃଖ ବୁଝିବା ପାଇଁ। ସ୍ନେହ କାଙ୍ଗାଳୀ ମାଁ ସନ୍ତାନର ସମସ୍ତ ଦୋଷ ଦୁର୍ବଳତା ଭୁଲି ନିଜର କରିଥାଏ।ପ୍ରତ୍ୟେକ ସମୟରେ ମାଁର ଗୁଣରେ ବିଶେଷ କିଛି ପରିବର୍ତ୍ତନ ଘଟିନାହିଁ। ମାଁ କାଳୀ ସୃଷ୍ଟି କାରିଣୀ। ସେ ବ୍ରହ୍ମା,ବିଷ୍ଣୁ ଓ ଶିବଙ୍କର ଜାତକାରିଣୀ। ସେ ଜଗତପାଳିନୀ ମହାମାୟୀ।
ସମୟ ଅନୁସାରେ ମାଁ ତାର ରୂପରେଖ ଧରେ। ମାଁ କାଳୀଙ୍କର ରୂପ ଭୟଙ୍କର। ଏହି ରୂପ ଦୁଷ୍ଟ ମାନଙ୍କର ପାଇଁ। କିନ୍ତୁ ମାଁ ଭକ୍ତଙ୍କର ପାଇଁ ତ୍ରିପୁରା ସୁନ୍ଦରୀ। ମାଁ ସନ୍ତାନର। ସନ୍ତାନର ଦୁଃଖ କେବେ ସହିପାରେନି। ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରେ। ମାଁ ସନ୍ତାନ ପାଇଁ ବିଭିନ୍ନ ରୂପରେ ଅବତୀର୍ଣ୍ଣ ହୋଇଥାଏ। କେବଳ ସନ୍ତାନର ମଂଗଳ ହେବା ଦରକାର। ସନ୍ତାନ ପାଇଁ ମାଁର ତ୍ୟାଗ ପରି ବୋଧେ ସର୍ବୋଚ୍ଚ ତ୍ୟାଗ କୌଣସି ସମୟରେ ଉଦାହରଣ ହୋଇ ରହିନାହିଁ। ସେଥିପାଇଁ ମାଁଙ୍କର ବିଭିନ୍ନ ରୂପ।
କାର୍ତ୍ତିକ ମାସର ଶୁଭ୍ରଲଗ୍ନରେ ମାଁ ଧରାପୃଷ୍ଠରେ ବିରାଜିତା। ମା ଆସିଲେଣି ବୋଲି ସବୁଆଡେ ଗହଗହ ମହମହ। ଆଲୋକର ରୋଷଣୀ। ମାଁ ଆସିବେ ସାଂଗରେ ନେଇ ଅସରନ୍ତି ସୁଖ,ସମୃଦ୍ଧି, ସମାବେଶ। ସମୃଦ୍ଧିଶାଳୀ ହେବ ଜଗତ। ଜଗତରେ ଖେଳିଯିବ ଅନିବର୍ଚିନୀୟ ଆନନ୍ଦ। ଜୀବନ ଠାରୁ ଜଗତ ଯାଏ। କୀଟ ଠାରୁ ପତଙ୍ଗ ଯାଏ। ମଣିଷ ଠାରୁ ପଶୁ ସମସ୍ତେ ହେବେ ଆହ୍ଲାଦିତ,ଆମୋଦିତ। ବୁଭୁକ୍ଷୁ ପାଇବେ ଅନ୍ନ। ନିର୍ବଳ ହେବେ ବଳବାନ। ମୁର୍ଖ ପାଇବେ ଅମାପ ଜ୍ଞାନ। ମାଁଙ୍କର ଅନେକ ରୂପ। ଯିଏ ଯେପରି ଆରାଧନା କରିବ ସେହି ରୂପରେ ମାଁ ବିରାଜିତ ହୋଇଥାନ୍ତି। ମାଁଙ୍କର ନାନାବିଧ ପୂଜାର୍ଚ୍ଚନା କରିବ। ମାଁଙ୍କର ପସନ୍ଦର ନୈବେଦ୍ୟ ବାଢିବ। ମାଁଙ୍କର ପସନ୍ଦର ଆଭୂଷଣ ଦେବ। ମାଁଙ୍କର ମେଢକୁ ଆକର୍ଷଣୀୟ କରିବ। ଷୋଢଷ ଉପଚାର ପୂଜାର୍ଚ୍ଚନା କରିବ। ମାଁଙ୍କର ସନ୍ତୁଷ୍ଟି ପାଇଁ ନାନାବିଧ ଉପଚାର,ଭୋଗରାଗ, ବନ୍ଧାପନା ଭିତରେ ଆବହନ କରି ଜଣାଇବା ନିଜର ଇପ୍ସିତ ଇଛା। ସେ କରୁଣାମୟୀ, ଲାସ୍ୟମୟୀ, ହାସ୍ୟମୟୀ ଭକ୍ତର ଭାବ,ଆବେଗ,ଶ୍ରଦ୍ଧା, ସମର୍ପଣ ସବୁ ତଉଲି ଦେଇଥାନ୍ତି ଆଶୀଷ, ଆଶୀର୍ବାଦ।
ମାଁ ଆସନ୍ତି ପୂଣ୍ୟ ମାସରେ ଆଲୋକର ପସରା ନେଇ। ମାଁ ଆସିବେ ଶଙ୍ଖର ଗୁରୁଗମ୍ଭୀର ଧ୍ୱନିରେ,ଘଣ୍ଟର ଘର୍ଘୋଷ ନାଦରେ, ମନ୍ତ୍ରର ବାଙ୍କମୟ ନିନାଦରେ। ମାଁ ଆସିଲେ ଧରାପୃଷ୍ଠର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଏ। ପ୍ରକୃତି ଅପରୂପ ଶୋଭାବିମଣ୍ଡିତ ହୋଇଥାଏ। ଜୀବରେ ଶିବ ଭାବ ଜାଗ୍ରତ ହୋଇଥାଏ। ମାଁ ଆଗମନରେ ଯାହାମନରେ ପବିତ୍ରତା ଭାବ ଜାଗରଣ ହୋଇପାରିଲା ନାହିଁ ସେ କିପରି ମାଁର ସନ୍ତାନ। ସେହିପରି ଅପବିତ୍ର ମାନେ ହିଁ କାଳେ କାଳେ ଅସୁର। ଏହି ଅସୁରମାନେ ହିଁ ଅସ୍ଥିରତା ସୃଷ୍ଟି କରନ୍ତି। ଜଗତର ଅଶାନ୍ତିର କାରଣ। ଜଗତରେ ହିଂସାକାଣ୍ଡ ସୃଷ୍ଟି କରନ୍ତି। ଯୁଦ୍ଧ ପରି ପରିସ୍ଥିତି ଏମାନଙ୍କ ପାଇଁ ହୋଇଥାଏ। କଳହ କରି ଆନନ୍ଦ ପାଇଥାନ୍ତି। ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବା ଏମାନଙ୍କ ମାଧ୍ୟମରେ ହୋଇନଥାଏ। ଏମାନଙ୍କ ମନରେ ମଣିଷ ପଣିଆ ନଥାଏ। ନଥାଏ ଦରଦୀପଣିଆ। ଅତି ନିଷ୍ଠୁର,ଅତି ବର୍ବର ଏମାନଙ୍କର ଭୂଷଣ। ମାଁ କାଳୀ ଧରାକୁ ଆସନ୍ତି। ଶତ୍ରୁ ବିନାଶ କରି ଭକ୍ତଗଣଙ୍କର ସୁରକ୍ଷା ପ୍ରଦାନ ପାଇଁ। ଆଉ ବିଶେଷ ଭାବରେ ମାନବର ଅନ୍ତଶତ୍ରୁକୁ ବିନାଶ କରି କହନ୍ତି: ଅନ୍ୟାୟର ବିରୋଧ କର, ଶୋଷଣର ପ୍ରତିପାଦ କର, ନାରୀ ପ୍ରତି ଲୋଲୁପ ଦୃଷ୍ଟି ରଖୁଥିବା ଲୋକର ଆଖି ବାହାର କରିଦିଅ, ନାରୀ ପ୍ରତି କୌଣସି ପ୍ରକାର ଅପମାନ ଗ୍ରହଣୀୟ ନୁହେଁ। ନାରୀର ତିରସ୍କାର ନାରୀ ଆଖିରେ ନିଆଁଖୁଣ୍ଟା ହୋଇ ସତଗ୍ର ଜଗତକୁ ଦହନ କରିବ।
ମାଁ କହନ୍ତି: ସହିଯିବା ମରିବା ସହ ସମାନ।ପଛଘୁଞ୍ଚା ଦିଅ ନାହିଁ। ନିଜର ସାମର୍ଥ୍ୟ ଅନୁସାରେ ତ୍ୟାଗକର। ନିଜ ଭିତରେ ଥିବା ଶକ୍ତିକୁ ଅନୁଭବ କର। ତମ ପାଖରେ ସମସ୍ତ ଶକ୍ତି ରହିଛି। ତମ ହାତରେ ଅସ୍ତ୍ର। ତମ ମନରେ ବୁଦ୍ଧି। ତମ ମନରେ ସାହାସ ମୁଁ ସଂଚରିଅଛି। ଦେଖ ତମ ଭିତରେ କାମ, କ୍ରୋଧ,ଲୋଭ ପରି ଅନେକ ଅସୁର। ତମ ମୋର ଭକ୍ତ। ତମେ ମୋର ଭାବ। ତମେ ମୋର ସନ୍ତାନ। ତମକୁ ବଧ କରି କିଛି ଲାଭ ନାହିଁ। ସେଥିପାଇଁ ତ ସମସ୍ତ ଶକ୍ତି ତମକୁ ହିଁ ଦେଇଛି। କାରଣ ଆଜିର ସମୟରେ ଶତ୍ରୁ ସବୁ ତମ ଭିତରେ ଅଛନ୍ତି। ସମସ୍ତ ଶତ୍ରୁ ଦମନ କରିବାର ବରାଭୟ ତମ ହାତରେ। ତମେ ଅନୁଭବ କର ତମ ଭିତରେ ଅନନ୍ତ ଶକ୍ତି। ତମେ ଶକ୍ତିଶାଳୀ।
ପୁଣି ମାଁ କାଳୀ କହୁଛନ୍ତି: ସେ ବଳବାନ ହେଲାବେଳେ ତମେ ତା ଇଶାରାରେ ନାଚୁଛ। ସେ ତମକୁ ସଂପୂର୍ଣ୍ଣ ଭାବରେ ବ୍ୟବହାର କରୁଛି। ତମ ବୁଝିବାର ସମୟ ଆସିଛି। ତମ ଚିନ୍ତା ଓ ଚେତନା ଭିତରେ ମୋତେ ଅନୁଭବ କର ଦେଖିବ ତମ ଭିତରେ ଥିବା ସମସ୍ତ ଶତ୍ରୁକୁ ଦମନ କରି ପାରିବ। ବାହ୍ୟଶତ୍ରୁକୁ ମୁଁ ବିନାଶ କରିଦେବି କିନ୍ତୁ ତମ ଭିତର ଶତ୍ରୁମାନଙ୍କୁ ତମକୁ ବିନାଶ କରିବାକୁ ପଡିବ।
ସେଥିପାଇଁ ତ ମୁଁ ଆସେ ତମମାନଙ୍କୁ ଚେତାବନୀ ଦିଏ। ମୋ ଇସାରକୁ ତମେ କେତେ ବୁଝ ତମେ ହିଁ ଜାଣ। ବାରମ୍ବାର ତମକୁ ସ୍ମରଣ କରିଦିଏ ତମ ଭିତରେ ଶକ୍ତିର ଉତ୍ସ ରହିଛି। ସେହି ଶକ୍ତିରେ ଶତ୍ରୁ ଦମନ କରି ଶକ୍ତିଶାଳୀ ହୁଅ। ଏବେ ମଧ୍ୟ ସମୟ ଅଛି ଶତ୍ରୁ ଦମନ କର। ତମ ହାତରେ ସମସ୍ତ ଅସ୍ତ୍ର।ଅସ୍ଥିରତା ତମ ହାତରେ ଶାନ୍ତି ତମ ହାତରେ। ଶାଶ୍ବତ ଓ ପବିତ୍ର ହୁଅ। ନିରଳସ ସାଧକ ହୁଅ। ବିକାର ଶୂନ୍ୟ ହୁଅ। ମାନବିକତାର ମହନୀୟତା ମହାମନ୍ତ୍ର ଗୁଜଂରିତ ହେବ। ମାଁ କାଳୀ କରଳାବଦନା ହେଇପାରନ୍ତି କିନ୍ତୁ ମାଁ ସମସ୍ତଙ୍କୁ ପରାଭୟ ପ୍ରଦାନ କରିଥାନ୍ତି। ସମସ୍ତଙ୍କ କାଳୀମାକୁ ନଷ୍ଟ କରି ଶୁଭ୍ର କରନ୍ତି। ଅନ୍ଧକାରକୁ ବିନାଶ କରି ଆଲୋକ ଶୁଣନ୍ତି। ମାଁ କାଳୀ ମନ ଭିତରର ସମସ୍ତ ଅସ୍ଥିରତା, ଦୁଃଖ, ଶୋକ, ଅନୁତାପ,ଅଶାନ୍ତିର ବିନାଶ କରନ୍ତି। ମାଁ ଜଗତଜନନୀ କାଳୀଙ୍କର ଆରାଧନାରେ ମିଳେ ଶାଶ୍ବତ ଆନନ୍ଦ ଓ ଚିରଶାନ୍ତି। ମାଁ ଦିଅନ୍ତି ଶକ୍ତି ଓ ଆପାର କରୁଣା।
ମୋହନ ଚରଣ ବିଷି
ଗଡରାମାଲ, କୋକସରା
କଳାହାଣ୍ଡି
ମୋ-୯୭୭୭୪୬୮୮୪୧