ଗନ୍ଧମାର୍ଦ୍ଧନକୁ ନେଇ ଡିଏଫଓଙ୍କ ସାମ୍ବାଦିକ ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ଭାରତର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗନ୍ଧମାର୍ଦ୍ଧନ ପାହାଡ଼ରେ ଖଣି ଖନନ ଚର୍ଚ୍ଚା ଏବେ ସାରା ରାଜ୍ୟରେ ଚହଳ ପଡ଼ିଛି । ଆଦାନୀ କମ୍ପାନୀ ଗନ୍ଧମାର୍ଦ୍ଧନ ରେ ଖଣି ଖନନ କରିବା ନେଇ ଲୋକେ ଆଶଙ୍କା କରୁଛନ୍ତି । ଇତି ମଧ୍ୟରେ ବଲାଙ୍ଗିର ବନ ବିଭାଗ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ବଲାଙ୍ଗିର ଖପ୍ରାଖୋଲ ଅଞ୍ଚଳରେ ବନୀକରଣ କରିବାକୁ କମ୍ପାନୀ ତରଫରୁ ଜମି କିଣାଯାଇଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ବଲାଙ୍ଗିର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା । ସେ କହିଥିଲେ ଯେ, ସୁନ୍ଦରଗଡ଼ରେ ଖଣି ଖନନ ପାଇଁ ହେବାକୁ ଥିବା ଜଙ୍ଗଲ କ୍ଷୟ ଭରଣା କରିବା ପାଇଁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ତରଫରୁ ଜମି କିଣାଯାଇଛି । ସେହି ଅଞ୍ଚଳରେ ଜମି କିଣି ବନୀକରଣ କରିବା ପରେ ସେହି ଜମିରେ ବନୀକରଣ କରି ହସ୍ତାନ୍ତର କରାଯିବ । ଏନେଇ ଉକ୍ତ କମ୍ପାନୀ ତରଫରୁ ବଲାଙ୍ଗିର ବନ ବିଭାଗକୁ ସୂଚନା ଦିଆଯାଇଛି ବୋଲି ଡି ଏଫ୍ ଓ କହିଥିଲେ । ତେବେ ଡିଏଫ୍ଓଙ୍କ ସ୍ପଷ୍ଟୀକରଣ ଗନ୍ଧମାର୍ଦ୍ଧନରେ ଖଣି ଖନନ ଚର୍ଚ୍ଚାରେ ଏକ ନୂଆ ମୋଡ଼ ସୃଷ୍ଟି କରିଛି । କମ୍ପାନୀ ସତରେ ସେଠାରେ ଖଣି ଖନନ କରିବା ନା ଆଉ କିଛି ଉଦ୍ଧେଶ୍ୟ ରହିଛି ବୋଲି ଲୋକେ ଚର୍ଚ୍ଚା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.