ଦେଶୀ ମଦ ପାଉଚର ହବ ପାଲଟିଛି ମାଣ୍ଡେଲ, ସର୍ଗୀଗୁଡା ଓ ନର୍ଲାରୋଡ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ, ସର୍ଗୀଗୁଡା ଓ ନର୍ଲାରୋଡ ଦେଶୀ ମଦପାଉଚ ର ହବ ପାଲଟିଛି। ଘରେ ଘରେ “କୁଠୀ” ଖୋଲାଯାଇ ବିକ୍ରୟ ହେଉଛି ମଦ ପାଉଚ। ଦେଶୀ ମଦ ଭାଟି ନର୍ଲା ଚାରି ଛକରେ ରହିଥିବାରୁ ମାଣ୍ଡେଲ, ସର୍ଗୀଗୁଡା (ଡିଗିରାପଡ଼ା), ନର୍ଲାରୋଡ, ତୁଳାଗାଁ ପ୍ରଭୃତି ସ୍ଥାନରୁ ଏହା ମାତ୍ର ଦେଢ଼ ରୁ ଦୁଇ କିଲୋମିଟର ମଧ୍ୟରେ ରହୁଛି ବ୍ୟବଧାନ। ଏଣୁ ଦେଶୀ ମଦ ଭାଟି ଆଖ ପାଖରେ ରହୁଥିବା ଉପରୋକ୍ତ ଗାଁ ଗୁଡ଼ିକର “ମଦ କୁଠୀ” ଚଳାଉଥିବ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଅନେକ ସୁବିଧା ହେଉଥିବା ଜଣା ପଡ଼ିଛି। ମାଣ୍ଡେଲ ଗାଁ ମୁଣ୍ଡ ଆରମ୍ଭରୁ ତ୍ରିନାଥ ମନ୍ଦିର ମଧ୍ୟରେ ୪ ଗୋଟି “ମଦ କୁଠୀ” ଚାଲୁଥିବା ବେଳେ ସର୍ଗୀଗୁଡ଼ା ଡିଗିରାପଡ଼ାରେ ଚାଲୁଛି ସଂଖ୍ୟାଧିକ “ମଦକୁଠୀ”। ସେହିଭଳି ନର୍ଲାରୋଡ ହନୁମାନ ମନ୍ଦିର ଛକ, ଷ୍ଟେସନ ଛକ, ଷ୍ଟେସନ ରାସ୍ତା ଓ ହୋଟେଲ ବିକ୍ରମ ଆଖ ପାଖରେ ପ୍ରତି ଚା ପାନ ଦୋକାନରେ ଚାଲିଛି ଦେଶୀ “ମଦକୁଠୀ”। ସେହିଭଳ ତୁଳାଗାଁ ମୁଖ୍ୟ ରାସ୍ତା ଛକ, ବାଙ୍କେଲ ବସ୍ତି ମଝିରେ ଚାଲିଛି ଦେଶୀ “ମଦ କୁଠୀ”। ଶ୍ରମିକ ଶ୍ରେଣୀର ଲୋକେ ଦିନ ତମାମ ପରିଶ୍ରମ କରି ଉପାର୍ଜନ କରୁଥିବା ୨୫୦ ଟଙ୍କାରେ ପରିବାର ପ୍ରତି ପୋଷଣ କରିବେ କଣ? ଏହି “ମଦ କୁଠୀ” ପରିଚାଳକଙ୍କ ମାୟାଜାଲରେ ପଡି। କୁଠୀରେ ଦେଶୀ ମଦ ପାଉଚ ପିଇ ସାରି ଦେଉଛନ୍ତି କଷ୍ଟୋପାର୍ଜିତ ପାରିଶ୍ରମିକ ଟଙ୍କା। ଏପଟେ ମାତାଲ ହୋଇ ଖାଲି ହାତରେ ଘରକୁ ଗଲେ ପରିବାର ସହିତ ଆରମ୍ଭ ହେଉଛି ଖଣ୍ଡ ଯୁଦ୍ଧ। ପରିବାରରେ ଆଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ଏଥିରୁ ଯୁବ ପିଢୀ, ଏପରିକି ଛାତ୍ର ମାନେ ମଧ୍ୟ ବାଦ ପଡୁ ନାହାନ୍ତି। ଭାଟିକୁ ମଦ ପିଇବା ପାଇଁ ଗଲେ ଲୋକ ଲୋଚନକୁ ଆସୁଥିବାରୁ ହାତ ପାଆନ୍ତାରେ ଗାଁ କୁଠୀରେ ସୁବିଧାରେ ମଦ ମିଳୁଥିବାରୁ ସରଳ ଓ ସୁବିଧାରେ ପିଇ ଧୀରେ ଧୀରେ ଏହାସହ ଅଭ୍ୟସ୍ତ ହୋଇ ଛାତ୍ର ଓ ଯୁବ ପିଢୀ ବିପଥଗାମୀ ହେଉଥିବା ଜଣାପଡ଼ିଛି। ୨୭ ଟଙ୍କାରେ ଦେଶୀ ମଦ ଭାଟିରେ ମିଳୁଥିବା ୧୫୦ ମିଲି ଲିଟର ର ମାଛ ମୁଣ୍ଡ ଚିହ୍ନ ରହିତ ପାଉଚ ପାକେଟ କୁ ଆଣି କୁଠୀ ବାଲା ୩୫ ରୁ ୪୦ ଟଙ୍କାରେ ବିକି ମାଲାମାଲ ହେଉଥିବା ବେଳେ ଏଥିପାଇଁ କେତେ ଦୀନ, ଦୁଃଖି, ମଜୁରିଆ, ଶ୍ରମଜୀବୀଙ୍କ ପରିବାର ଉଜୁଡ଼ି ଯାଉଛି ତାହା ଅତି ଦୁଃଖ ଓ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତ ବ୍ୟକ୍ତ କରିଛନ୍ତି। ପ୍ରତି କୁଠୀ କରି ଚା’ ପାନ ଦୋକାନ ଆଳରେ ଏ ମାନେ ଏହି ମଦ ପାଉଚ ବ୍ୟବସାୟ ରେ ପ୍ରତ୍ୟହ ୧୦୦ ରୁ ଉର୍ଦ୍ଧ୍ବ ପାଉଚ ବିକି ୧୦୦୦ ରୁ ୨୦୦୦ ଟଙ୍କା ଲାଭ ପାଉଥିବା ଜଣାପଡିଛି। ମଦ ପିଇବା ବେଳେ ମଦୁଆ ମାନଙ୍କୁ ବିଡି, ସିଗାରେଟ, ପାନ, ପୁଡିଆ ଓ ଚାଖନା ଆବଶ୍ୟକ ପଡୁଥିବାରୁ ଚା ପାନ ଦୋକାନ କରି ମଦୁଆଙ୍କୁ ଏସବୁ ମଧ୍ୟ ଯୋଗାଇ “କୁଠୀ ବାଲା” ମାନେ ଭଲ ଦୁଇ ପଇସା ରୋଜଗାର କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ନୂଆ ସରକାର ମଦ ବ୍ୟବସାୟୀଙ୍କ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଭିମୁଖ୍ୟ ରଖିଥିବା ବେଳେ ନର୍ଲା ପୋଲିସ ଓ ନର୍ଲା ଅବକାରୀ ବିଭାଗର ନାକ ତଳେ ବେଆଇନ ଭାବରେ ଅବୈଧ”ମଦ କୁଠୀ” ଗୁଡ଼ିକ ଚାଲୁଛି। ଏହା ଯୁବ ପୀଢ଼ି ଓ ଛାତ୍ରଙ୍କୁ ବିପଥଗାମୀ କରିବା ସହିତ ଗରୀବର ପରିବାର ଗୁଡ଼ିକୁ ଉଜାଡୁଛି। “ମଦ କୁଠୀ” ପରିଚାଳକ ମାନେ ବାହାସ୍ଫୋଟ ମାରି କହୁଛନ୍ତି ଆମେ ପ୍ରତି ମାସରେ ପୋଲିସ ଓ ଅବକାରୀ ବାଲାଙ୍କ କଥା ବୁଝୁଛୁ। ଏଵଂ ବିନ୍ଦାସରେ ଧନ୍ଦା କରୁଛୁ। ଆମର କିଏ କଣ ବିଗାଡ଼ିବ ବୋଲି? ଏଥିପ୍ରତି ନୂଆ ସରକାର, ଉଚ୍ଚ ପଦସ୍ଥ ଅଧିକାରୀ ପଦକ୍ଷେପ ଗ୍ରହଣ କରନ୍ତୁ ଓ ଯୁବ ପିଢୀ ଓ ଛାତ୍ର ମାନଙ୍କୁ ବିପଥଗାମୀ ହେବାରୁ ନିବୃତ କରନ୍ତୁ ଓ ଦୀନ ମଜୁରିଆ ମାନଙ୍କ ସଂସାର ଉଜୁଡ଼ିବାରୁ ସେମାନଙ୍କୁ ବଞ୍ଚାନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.