ଅଦିତି ଓ କଶ୍ୟପଙ୍କ ପୁତ୍ର ହେଉଛନ୍ତି ସୂର୍ଯ୍ୟ ଦେବ। ସୂର୍ଯ୍ୟଙ୍କର ଏକ ବୈଦିକ ନାମ ହେଉଛି ପୁଷା। ସୂର୍ଯ୍ୟ ‘ବିଷ୍ଣୁ’ ନାମରେ ପୌଷମାସର ଅଧିପତି ହୋଇଥାନ୍ତି। ତେଣୁ ପୌଷ ମାସର ରବିବାର ‘ପୁଷ ରବିବାର ବ୍ରତ’ର ବିଧାନ ଅଛି। ପୌଷ ମାସର ନାମକରଣ ହୋଇଛି ପୁଷ୍ୟା ନକ୍ଷତ୍ର ଅନୁସାରେ। କାରଣ ଏହି ମାସର ପୂର୍ଣ୍ଣମୀରେ ଚନ୍ଦ୍ର ପୁଷ୍ୟା ନକ୍ଷତ୍ରରେ ଅବସ୍ଥାନ କରିଥାନ୍ତି। ୠଗ୍ବେଦରେ କୁହାଯାଇଛି ସୂର୍ଯ୍ୟଙ୍କ ପାଖରେ ସମସ୍ତ ପୂର୍ବଜମାନଙ୍କର ନିବାସ। ପୂର୍ବଜମାନେ ସୂର୍ଯ୍ୟଙ୍କ ପାଖରେ ବିଲୀନ ହୁଅନ୍ତି ଏବଂ ସୂର୍ଯ୍ୟ ରଶ୍ମିରେ ପ୍ରତିଭାତ ହୁଅନ୍ତି। ଏଣୁ ସୂର୍ଯ୍ୟ ସର୍ବ ଶ୍ରେଷ୍ଠ ଆରାଧ୍ୟ ଦେବ। ସେ ଉଭୟ ସଗୁଣ-ସାକାର ଏବଂ ନିର୍ଗୁଣ ନିରାକାର। ବେଦ କହୁଛନ୍ତି, ନିଖିଳ ଭୁବନର ନାଭିରେ ଯେଉଁ ତେଜଶକ୍ତି ନିହିତ ଅଛି ଏହି ତେଜ ଶକ୍ତିକୁ ଯେ ପ୍ରସବ ଓ ପୋଷଣ କରନ୍ତି, ସେ ସାକ୍ଷାତ ଭର୍ଗରୂପୀ ଦେବତା; ତାଙ୍କୁ ସବିତା, ପୁଷା ବା ସୂର୍ଯ୍ୟ କୁହାଯାଏ। ଭାଗବତ ଅନୁସାରେ, ଆଦିତ୍ୟ ବା ସୂର୍ଯ୍ୟଦେବ ଚୈତ୍ରରେ ଧାତା, ବୈଶାଖରେ ଅର୍ଯମା, ଜ୍ୟେଷ୍ଠରେ ମିତ୍ର (ଆଦିତ୍ୟ), ଆଷାଢ଼ରେ ବରୁଣ, ଶ୍ରାବଣରେ ଇନ୍ଦ୍ର ଓ ଭାଦ୍ରବରେ ବିବସ୍ୱାନ ନାମରେ ସେହି ସେହି ମାସର ଅଧିପତି ହୋଇଥାଆନ୍ତି। ସେହିପରି, ସେ ଆଶ୍ୱିନରେ ତ୍ୱଷ୍ଟା, କାର୍ତ୍ତିକରେ ବିଷ୍ଣୁ, ମାର୍ଗଶିରରେ ଅଂଶୁମାନ, ପୌଷରେ ଭଗ, ମାଘରେ ପୁଷା ଓ ଫାଲଗୁନରେ ପର୍ଜନ୍ୟ ଭାବରେ ସେହିସବୁ ମାସର ଅଧିପତି ହୁଅନ୍ତି।




