ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଗତ ୨ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲେ ବି ଦେଓଗାଁ ଓ ଗୁଡ଼ଭେଳା ବ୍ଲକରେ ଅଚଳାବସ୍ଥା ଦେଖାଦେଇଛି। ଗୋଟିଏ ଜିଲ୍ଲାରେ ଦୁଇଟି ନିୟମ କରି ସରକାର ଧାନ କିଣୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାର ପାଟଣା ଗଡ଼ ନିର୍ବାଚନ ମଣ୍ଡଳୀର ଧାନ ମଣ୍ଡିରୁ ଜରି ବସ୍ତାରେ ଧାନ ଉଠୁଥିବା ବେଳେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ଜରି ବସ୍ତାକୁ ବାରଣ କରୁଛି ମିଲର। ଯାହା ଫଲରେ ଏମିତି ହେଲେ ଚାଷୀ ଆନ୍ଦୋଳନ ହେବ ବୋଲି କୃଷକ ନେତା ଚେତାବନୀ ଦେଲେଣି।
ବଲାଙ୍ଗୀର ଆରଏମସି ପେକ୍ସ ଜରିଆରେ ଯୋଗାଣ ବିଭାଗର ସହାୟତାରେ ଧାନ କିଣୁଛି। ବଲାଙ୍ଗୀର ନିଯନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ୮୦ ଟି ମଣ୍ଡି ପାଇଁ ଗୋଟିଏ ଏନାଲଇଜ ମେସିନ, ୪ ଟି ପେଡି କିଲିୟର ମେସିନ ଥିବା ବେଳେ ଅଳ୍ପ କର୍ମଚାରୀ ଜରିଆରେ ଧାନର ମାନ ନିର୍ଦ୍ଧାରଣ ହେଉଛି। ଏପରି କି ଦେଓଗାଁ ଓ ଗୁଡ଼ଭେଳାର ଅଧିକାଂଶ ମଣ୍ଡିରେ ଧାନ ମାନ ନିର୍ଦ୍ଧାରଣ ଯନ୍ତ୍ରପାତି ଗୋଦାମ ଭିତରେ ପଡ଼ିଥିବାରୁ କେମିତି ଭାବରେ ମିଲ ଭିତରେ ମାନ ନିର୍ଦ୍ଧାରଣ ହେଉଛି ତାହା ଜଳ ଜଳ ହେଇ ବାରି ହେଉଛି। ମିଲର-ଆରଏମସି-ଯୋଗାଣ ବିଭାଗର ଗୁପ୍ତ ବୁଝାମଣା ଯୋଗୁଁ ଧାନ ମଣ୍ଡି ଗୁଡ଼ିକରେ ଅଚଳାବସ୍ଥା ଲାଗି ରହିଥିବା ବେଳେ କ୍ୟୁଣ୍ଟାଲ ପ୍ରତି ୪ କେଜି କଟନୀ ହେଉଛି, ଏକ ହଜାର ଅଖା ବସ୍ତାରେ ୭ ଶହ ଫଟା ବାହାରୁଛି ବୋଲି ବୋଲି ଚାଷୀ ନେତା ଅଭିଯୋଗ କରୁଛନ୍ତି।
ବଲାଙ୍ଗୀର ବିଜେଡିର ଏକ ପ୍ରତିନିଧି ଦଳ ଗୁରୁବାର ବନ୍ଧପଡ଼ା, ସାରସମାଲ, ଧଣ୍ଡାମାଲ, ରାମଚନ୍ଦ୍ର ପୁର ,ସିଂହା ମୁଣ୍ଡା, ଦେଓଗାଁ, ଜରାସିଂହା ଠାରେ ଖୋଲି ଥିବା ଧାନ ମଣ୍ଡିକୁ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରତିନିଧି ଦଳରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ଲକ୍ଷଣ ମେହେର, ସୁଶୀଲ ଚାନ୍ଦ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲା ସରପଞ୍ଚ ସଂଘ ଉପ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ସାରସମାଲ ପେକ୍ସ ସଭାପତି ଗୋପୀନାଥ ବାଗ ସାମିଲ ହୋଇଥିଲେ। ବନ୍ଧପଡ଼ା ଓ ସିଂହା ମୁଣ୍ଡା, ରାମଚନ୍ଦ୍ର ପୁରରେ ତିନି ଦିନ ହେଲା ୧୮ ଶହ ବସ୍ତା ଧାନ ପଡ଼ିଥିଲେ ବି କଟନୀ ଜିଦରେ ଥିବା ମିଲର ଆସୁ ନଥିବାରୁ ଧାନ କିଣା ପ୍ରଭାବିତ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। କେବଳ ଗୋଟିଏ ପେକ୍ସର କଥା ନୁହେଁ ଦେଓଗାଁ ବ୍ଲକର ୧୭ ଟି ଓ ଗୁଡ଼ଭେଳା ବ୍ଲକ ର ୧୦ ଧାନ ମଣ୍ଡି ରେ ଏଭଳି ଅବ୍ୟବସ୍ଥା ହୋଇଛି । ଧାନ କିଣା ବ୍ୟବସ୍ଥା ରେ ଆରଏମସି କମିଶନ ପ୍ରଚୁର ପରିମାଣରେ ନେଉଥିଲେର ଧାନ ମଣ୍ଡିର ଭିତ୍ତିଭୂମି ସୁଦୃଢ଼ ହେଉନାହିଁ ବୋଲି ପ୍ରତିନିଧି ଦଳ କହିଛନ୍ତି। ତେବେ ଧାନ କିଣାରେ କିଭଳି ସ୍ୱଚ୍ଛତା ଆଣିବେ ସରକାର ତାହା ଦେଖିବା ବାକି ରହିଛି।