କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାରଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆନ୍ତର୍ଜାତିକ ସ୍ତରରେ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ପ୍ରଥିତଯଶା ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଅଛି। କୋଶଳାଞ୍ଚଳର କଳା-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ସହରର ଜଣାଶୁଣା କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାର ନାଏକଙ୍କୁ ଓ୍ବାର୍ଲଡ ଚେରିଟି ଓ୍ବେଲଫେୟାର ଫାଉଣ୍ଡେସନ, ନୂଆଦିଲ୍ଲୀ ଦ୍ବାରା ପୁରୀ ଟାଉନ ହଲଠାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ଆଲିଗଡ ବିଶ୍ଵବିଦ୍ୟାଳୟର ପ୍ରଫେସର ଜାକିର୍ ହୁସେନ୍ ଏହି ସମ୍ମାନସୂଚକ ଉପାଧି ପ୍ରଦାନ କରିଛନ୍ତି। କୋସଲୀ ଭାଷା-ସାହିତ୍ୟ-ସଂସ୍କୃତିର ପୁନରୁଦ୍ଧାର ଉଦ୍ଦେଶ୍ୟରେ କୋଶଳ ସାହିତ୍ୟ ଏକାଡେମୀ ମାଧ୍ୟମରେ ବିଭିନ୍ନ ସଭାସମିତି, ସମ୍ପାନ, ଆଲୋଚନା ଚକ୍ରର ଆୟୋଜନ କରି ବେଶ ଚର୍ଚ୍ଚାରେ ରହି ଆସିଛନ୍ତି ସେ। ଏପରିକି କୋଶଳାଞ୍ଚଳର ମୌଖିକ ତଥା ପ୍ରମୁଖ ଭାଷା କୋସଲୀକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବା ସକାଶେ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛନ୍ତି। ଆହୁରି ମଧ୍ଯ ଏ ଅଞ୍ଚଳର କଳା-ସାହିତ୍ୟ-ସଂସ୍କୃତିର ପ୍ରଚାର ପ୍ରସାର କରି ଓଡ଼ିଶାର କୋଣ ଅନୁକୋଣରେ ଥିବା ଶତାଧିକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହେବା ସଙ୍ଗେ ସଙ୍ଗେ କୋଶଳ ଗୈାରବ, ଭାଷା ରତ୍ନ, ଗ୍ରନ୍ଥ ବିଭୂଷଣ ଇତ୍ୟାଦି ଉପାଧିରେ ଭୂଷିତ ହେବାର ସୈାଭାଗ୍ୟ ଅର୍ଜନ କରିଛନ୍ତି ଜଣାଶୁଣା ସାହିତ୍ୟିକ ଦେବେନ୍ଦ୍ର କୁମାର। ଏହି ସମ୍ମାନସୂଚକ ଉପାଧି ପ୍ରାପ୍ତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.