ଶ୍ରୀମଦ୍ ଭାଗବତ ମହାପୁରାଣର ଦଶମସ୍କନ୍ଧ ଗୋପ ଲୀଳାରୁ ଏକ ରୋଚକ କାହାଣୀ। ଦେବୀ ଦେବକୀ ବସୁଦେବଙ୍କ ବିବାହପରେ, ନାନା ମଙ୍ଗଳ ବେଭାର ସହ ଦେବକୀଙ୍କ ବିଦାୟୀ ଉତ୍ସବ ଅନୁଷ୍ଠିତ ହେଲା। ବସୁଦେବ ବିଦାୟପାଇଁ ରଥରେ ବସିଲେ। ଏଥିରେ କଂସ ଅତି ଆନନ୍ଦ ହୋଇ ଭଉଣୀ ଭିଣୋଇଙ୍କ ରଥ ନିଜେ ବାହିନେବ ବୋଲି ଆଗେଇଆସିଲା। ଅତୀବ ହର୍ଷ ହୋଇ କିଛିବାଟ ରଥକୁ ବାହି ନେଇଛି ଶୂନ୍ୟରୁ ବାଣୀ ଶୁଭିଲା ରେ କଂସ! ତୁ ତୋର ନିଜର ମରଣ ଜାଣି ନାହୁଁ। ଯାହାଙ୍କ ରଥ ତୁ ବାହି ନେଉଛୁ ତାଙ୍କରି ଅଷ୍ଟମଗର୍ଭ ପୁତ୍ର ତୋତେ ମାରିବ। ଶୂନ୍ୟବାଣୀ ଶୁଣି କଂସ ଚମକିପଡ଼ିଲା। ବ୍ୟତିବ୍ୟସ୍ତ ହୋଇ ହସ୍ତରେ ତୀକ୍ଷ୍ଣକରବାଳ ଧରି ସେ ଦେବକୀକୁ ମାରିବାକୁ ଉଦ୍ୟତ ହୋଇ, ତାର କେଶକୁ ଧରିଲା। ମନରେ ବିଚାର କଲା, ଏହାକୁ ଶେଷ କରି ଦେବି। ଇଏ ଥିଲେ ସିନା ଅଷ୍ଟମଗର୍ଭ ପୁତ୍ର ମୋତେ ମାରିବ। ଏହାକୁ ମୂଳରୁ ଶେଷ କରିଦେଲେ କାମ ଶେଷ। କଂସର ଏ ଉଗ୍ରମୂର୍ତ୍ତି ଦେଖି ଦେବୀ ଦେବକୀ ସ୍ବାମୀ ବସୁଦେବଙ୍କୁ ଭୟରେ କୁଣ୍ଢାଇ ଧରିଥାନ୍ତି। ବସୁଦେବ କଂସକୁ କହିଲେ, ହେ ଭାଇ କଂସ! ଏ ସଂସାରରେ ବୀର ବୋଲି ତୋର କେତେ ଖ୍ୟାତି ରହିଛି। ବିବାହ କାଳରେ ଭଉଣୀକୁ ବଧ କରି, କାହିଁକି ତୁ ଅପଯଶ ଅର୍ଜିବାକୁ ଯାଉଛୁ। ଜନ୍ମ ସହିତ ମୃତ୍ୟୁ ରହିଛି ଏହା ଚିରନ୍ତନ ସତ୍ୟ। ତୋ ନିଜ ମରଣଭୟରେ ଅନ୍ୟକୁ ବଧ କରି, କାହିଁକି ପାପ ଅର୍ଜନ କରିବାକୁ ଯାଉଛୁ। ତୋ ପ୍ରାୟେ ମହତ ପୁରୁଷ କଅଣ ଜାଣିନାହିଁ ଆତ୍ମା ଅବିନାଶୀ ବୋଲି। ଏଣୁ ସଦୟ ହୁଅ। ତୋର ନିଜ ଭଉଣୀକୁ ବଧକରିବା ଅପକର୍ମରୁ ବିରତ ହୁଅ। ଅସୁର କଂସ, ଏ ଧର୍ମ ବଚନ ଘେନା କରିବ କିଆଁ। ପୁନଃ ଦୃଢ଼ମୁଷ୍ଟି ଖଡ୍ଗ ଉତ୍ତୋଳନକରି ମାରିବାପାଇଁ ଉଦ୍ୟତ ହେଲା। ବସୁଦେବ ଆଉ ଅନ୍ୟ ଉପାୟ ନ ଦେଖି ଭଗବାନଙ୍କୁ ସ୍ମରଣକରିବାକୁ ଲାଗିଲେ। ସେ କଂସକୁ କହିଲେ,” ଠିକ ଅଛି ଭାଇ! ଦେଵକୀର ପୁଅ ତୋତେ ମାରିବ। ତା’ର ପୁଅହିଁ ତୋର ଶତ୍ରୁ। ଦେବକୀ ତୋର ଶତ୍ରୁ ନୁହଁ। ଏଣୁ ଦେଵକୀକୁ ଛାଡ଼ି ଦେ ମୁଁ ତ୍ରିବାର ସତ୍ୟ କରି କହୁଛି, ଏହାର ଯେତେ ସନ୍ତାନ ଜନ୍ମହେବେ ମୁଁ ସମସ୍ତଙ୍କୁ ତୋ ହାତକୁ ଆଣି ଗୋଟି ଗୋଟିକରି ଟେକି ଦେବି। ବସୁଦେବଙ୍କ ଏପରି ଦୃଢ଼ ସତ୍ୟବାକ୍ୟ କଂସ ମନକୁ ପାଇଲା। ବିଶ୍ୱାସ କରି ସେ ଦେବକୀର କେଶ ଛାଡି ଦେଲା। ସମସ୍ତେ ଯେ ଯାହା ବାଟରେ ଚାଲି ଗଲେ।
କିଛିଦିନ ଉତ୍ତାରେ ଦେବକୀଙ୍କ ଗର୍ଭରୁ ପ୍ରଥମସନ୍ତାନ ଭାବେ ପୁଅଟିଏ ଜନ୍ମହେଲା। ଚୁକ୍ତି ଅନୁସାରେ ତାକୁ ବସୁଦେବ ନେଇ କଂସକୁ ସମର୍ପଣ କଲେ। ତାଙ୍କର ସତ୍ୟଆଚରଣ ଦେଖି କଂସ ବହୁ ଆନନ୍ଦିତ ହେଲା। ଦୟା ପରବଶ ହୋଇ ସେ ଭାବିଲା,ଏହାର ଅଷ୍ଟମ ଗର୍ଭ ପୁତ୍ର ହାତରେ ମୁଁ ନିଧନ ହେବି। ଏ ସନ୍ତାନକୁ କାହିଁକି ମାରିବି। ଏଭଳି ବିଚାର କରି ବସୁଦେବଙ୍କୁ ସେ ନିଜ ପୁତ୍ରକୁ ଫେରାଇ ନେବାପାଇଁ କହିଲା। ପରଦିନ କଂସ ନିଜ ପୁରରେ ନିତ୍ୟକର୍ମ ଶେଷକରି ବିଶ୍ରାମ କରୁଛି ଏତିକିବେଳେ ଦେବର୍ଷି ବୀଣା ଧ୍ୱନୀ କରି ବଡ଼ ବିମର୍ଷ ଚିତ୍ତରେ ଆସି ପହଞ୍ଚି ଗଲେ। କଂସ ମହର୍ଷିଙ୍କର ଯଥା ରୀତି ସତ୍କାର କଲା। ପାଦ୍ୟ ଅର୍ଘ୍ୟ ଦେଇ ଆସନରେ ବସାଇଲା। ନାରଦ ଟିକିଏ ପ୍ରକୃତିସ୍ଥ ହୋଇ କଂସକୁ କହିଲେ, ବାବୁ କଂସ! ମୁଁ ଦେବଲୋକରେ ତୋ ମରଣକଥା ଶୁଣି ମନଟା ବଡ଼ ବିକଳ ହେଉଛି। ସମସ୍ତ ଦେବତା ମାନେ ମିଳି ବଡ଼ କୁଟ ରଟନା କରିଛନ୍ତି। ଦେଖ ସେ ଦୁଃଖରେ ମୋର ଚକ୍ଷୁ କେମିତି ଲୋତକାପ୍ଳୁତ ହୋଇ ଯାଇଛି। ମୁଁ ଦେବତା ମାନଙ୍କ ଏହି କୁଟ ମନ୍ତ୍ରଣା ଶୁଣିଆସିଛି। ଦେବତା ମାନେ ସ୍ଥିର କରିଛନ୍ତି ଓ ସ୍ୱୟଂ ନାରାୟଣ କହିଛନ୍ତି ସେ ଦେଵକୀ ଅଷ୍ଟମଗର୍ଭରେ ଜନ୍ମନେବେ ଓ ତୋତେ ନିଧନ କରିବେ। ଏକଥା ଶୁଣି କଂସ କହିଲା, ହଁ ମହର୍ଷି! ମୁଁ ଏହା ଜାଣେ। ଏହା ସତ୍ୟ। କିନ୍ତୁ, ବସୁଦେବ ବଚନବଦ୍ଧ ହୋଇଛନ୍ତି, ଦେଵକୀର ସମସ୍ତ ସନ୍ତାନକୁ ମୋତେ ସମର୍ପି ଦେବା ପାଇଁ। ପ୍ରତିଶ୍ରୁତି ଅନୁଯାୟୀ, ପ୍ରଥମ ପୁତ୍ରକୁ ଆଣି ବାସୁଦେବ ସମର୍ପଣ କରିଥିଲେ। ସେ ପୁତ୍ରକୁ ସହର୍ଷେ ବସୁଦେବକୁ ମୁଁ ଫେରାଇଦେଇଛି। ଅଷ୍ଟମ ପୁତ୍ରହିଁ ମୋର ଶତ୍ରୁ, ଏଣୁ ଅଷ୍ଟମ ପୁତ୍ରକୁ ସେ ସମର୍ପଣ କଲାକ୍ଷଣି ମୁଁ ତାକୁ ମାରି ପକାଇବି। ଦେବର୍ଷି କଂସର ଏକଥା ଶୁଣି ହସି ଦେଇ କହିଲେ, ଆରେ ପାଗଳା! ତୁ ଏପର୍ଯ୍ୟନ୍ତ ଦେବତାଙ୍କ ମାୟାକୁ ବୁଝି ପାରିଲୁନାହିଁ। ସେ ପ୍ରଥମ ସନ୍ତାନଟିକୁ ଛାଡ଼ି ତୁ ମସ୍ତବଡ ଭୁଲ କରିଛୁ। ତୁ ଜାଣିନୁ, ଦେଵତା ମାନେ ଏଠି ଗୋପାଳ ଓ ଯଦୁ ବଂଶରେ ମନୁଷ୍ୟ ଶରୀର ଧରି ଜନ୍ମ ହୋଇ ସାରିଲେଣି। ତୋର ମୋ କଥାକୁ ବିଶ୍ୱାସ ହେଉଛି ତ ଶୁଣୁ। ନହେଲେ ମୁଁ ଚାଲିଲି। କଂସକୁ ବୁଝାଇବାକୁ ଯାଇ ଦେବର୍ଷି ଭୂମିରେ ଆଠଟି ଗାର ଟାଣିଦେଇ କଂସକୁ ଥରେ ଏକରୁ ଆଠ, ଆଉ ଥରେ ବିପରୀତ ଆଡୁ ଗଣିବାକୁ କହିଲେ। ସେପରି କରି କଂସ ଦେଖିଲା ଆଠ ତ ଆଠ ଆଉ ଏକ ମଧ୍ୟ ଆଠ। ନାରଦ ବିସ୍ଫାରିତନେତ୍ରରେ କହିଲେ, ଏଥର କହ। ଯାହାକୁ ତୁ ଅଷ୍ଟମ କହୁଛୁ, ତାହା କେଉଁଟା। ମୋତେ ବୁଝା! ଏଥରେ ଅଷ୍ଟମ କିଏ? କଂସ ବୁଝିଗଲା, ଠିକ କଥା, ଏକ ମଧ୍ୟ ଆଠ ହୋଇ ପାରେ। କ୍ରୋଧିତହୋଇ ସେ ପୁନଃ ଦେଵକୀର ସବୁ ସନ୍ତାନକୁ ହତ୍ୟା କରିବା ପାଇଁ ପ୍ରତିଜ୍ଞା କଲା। ନାରାୟଣ! ନାରାୟଣ! ନାରଦ ବୀଣାବାଦନ କରି ସ୍ୱର୍ଗଲୋକକୁ ପ୍ରସ୍ଥାନ କଲେ।