ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ପଦ୍ମଲୋଚନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷରେ ପଢ଼ୁଛନ୍ତି ଭିନ୍ନକ୍ଷମ ଛାତ୍ରୀ ପାୟଲ ନାଗ | ରାଜସ୍ଥାନର ଜୟପୁର ଠାରେ ଆଗାମୀ ୧୧ ତାରିଖରୁ ଆରମ୍ଭ ହେଉଥିବା ୬ଷ୍ଠ ଜାତୀୟ ତୀରନ୍ଦାଜୀ ପାରା ଚମ୍ପିୟାନସିପରେ ସେ ଭାଗ ନେବେ | ଏହି ଖବର ପ୍ରଚାରିତ ହେବା ପରେ ସେ ପଢ଼ୁଥିବା କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ମହଲରେ ଖୁସିର ଲହରୀ ଖେଳିଯାଇଛି | ଉକ୍ତ ପ୍ରତିଯୋଗିତାରେ ପାୟଲଙ୍କ ସଫଳତା କାମନା କରିଛନ୍ତି ଅଞ୍ଚଳବାସୀ | ପାୟଲଙ୍କ ଜନ୍ମସ୍ଥାନ ମୁରିବାହାଲ ବ୍ଲକ ଯମୁନାବାହାଲ ଗାଁରେ | ପିତା ବିଜୟ ନାଗ ଓ ମାତା ଜନତା ନାଗ | ଜନ୍ମରୁ ଭିନ୍ନକ୍ଷମ ନ ଥିଲେ ପାୟଲ | ପରିବାର ଲୋକ ଦାଦନ ଖଟିବାକୁ ରାୟପୁର ଯାଇଥିବା ବେଳେ ତାଙ୍କ ସହ ଯାଇଥିବା ୮ ବର୍ଷୀୟା ଝିଅ ପାୟଲ ୨0୧୫ ମସିହା ଏପ୍ରିଲ ମାସରେ କୋଠା ଉପର ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ | ସେଠାକାର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଥିବାବେଳେ ପାୟଲଙ୍କ ୨ ଗୋଡ଼ ଓ ୨ ହାତ କାଟିବାକୁ ପଡ଼ିଥିଲା | ଦାଦନ ଯାଇଥିବା ଏକ ଗରିବ ପରିବାରର କରୁଣ କାହାଣୀ ସେତେବେଳେ ସମସ୍ତଙ୍କୁ ମ୍ରିୟମାଣ କରିପକାଇଥିଲା | ପରିବାରର ଅଳିଅଳ ଝିଅ ପାୟଲ ସେତେବେଳେ ଖବରର ଶିରୋନାମା ପାଲଟି ଯାଇଥିଲେ | ଗାଁକୁ ଫେରିବା ପରେ ଜିଲ୍ଲା ପ୍ରଶାସନ ପାୟଲଙ୍କୁ ବଲାଙ୍ଗୀର ପାର୍ବତୀ ଗିରି ବାଲ ନିକେତନରେ ରଖିଥିଲେ | ସେହି ସମୟରେ ପାଟିରେ ଧରିଥିବା ତୁଳୀ ସାହାଯ୍ୟରେ ଚମତ୍କାର ଚିତ୍ର ଅଙ୍କନ କରି ପୁଣିଥରେ ଖବରର ଶିରୋନାମା ମଣ୍ଡନ କଲେ ପାୟଲ | ତାଙ୍କ ବିଚକ୍ଷଣ ପ୍ରତିଭା ତତ୍କାଳୀନ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା |ଜିଲ୍ଲାପାଳଙ୍କ ପ୍ରଚେଷ୍ଟା କ୍ରମେ ଜାମ୍ମୁ ଓ କାଶ୍ମୀରର କଟ୍ରା ସ୍ଥିତ ତୀରନ୍ଦାଜୀ ପ୍ରଶିକ୍ଷଣ କେନ୍ଦ୍ରରେ ପାୟଲଙ୍କୁ ପ୍ରଶିକ୍ଷଣର ବ୍ୟବସ୍ଥା କରାଗଲା | ପାୟଲଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟିଲା | ପ୍ରଗାଢ଼ ଆତ୍ମବିଶ୍ୱାସ ଓ ଅଥକ ପରିଶ୍ରମର ଫଳସ୍ୱରୂପ ତୀରନ୍ଦାଜୀ ଦୁନିଆରେ ସେ ହୋଇଗଲେ ଅପ୍ରତିଦ୍ବନ୍ଦି ପ୍ରତିଯୋଗୀ | ରାଜସ୍ଥାନର ଜୟପୁରରେ ସଫଳ ହୋଇ ପାୟଲ ଇତିହାସ ରଚିବେ ବୋଲି ସବୁ ମହଲରୁ ଆଶା ପ୍ରକାଶ ପାଇଛି |