ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉନୁରୁମ୍’ର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ବୈଠକ

ଲୋଗୋ ଓ ପୋଷ୍ଟର ହେଲା ଉନ୍ନୋଚିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ସାଂସ୍କୃତିକ ସମୃଦ୍ଧ ଉତ୍ସବ ‘ଉନୁରୁମ୍’ର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଓ ଅଧ୍ଯକ୍ଷତାରେ ଏହି ବୈଠକ ହୋଇଯାଇଛି। ଏହି ତିନିଦିନିଆ କାର୍ଯ୍ୟକ୍ରମଟି ଚଳିତ ମାସ ୨୯ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସୂଚନା ଅନୁଯାୟୀ, କାର୍ଯ୍ୟକ୍ରମ ସୂଚୀରେ ଉଦଘାଟନୀ ଉତ୍ସବ ସହ ପ୍ରଥମ ଦିନରେ ପୁସ୍ତକ ଲୋକାର୍ପିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ସଂସ୍କରଣରେ ଦ୍ବିତୀୟ ଓ ତୃତୀୟ ଦିନରେ ‘କବିତା ଆସର’ ଓ “କାହାଣୀ ଉତ୍ସବ’ ଅନୁଷ୍ଠିତ ହେବ।ଚଳିତବର୍ଷ ଏହି ଉତ୍ସବରେ ରୁଷିଆ, ନେପାଳ, ଶ୍ରୀଲଙ୍କା, ଆସାମ, ଦିଲ୍ଲୀ ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରର ଲୋକନୃତ୍ଯ, ଲୋକକଳା ସମ୍ବନ୍ଧିତ ୧୮ରୁ ଉର୍ଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରାଯିବ।

ଏଥିରେ ଓଡ଼ିଶୀ, ବିହୁ, ଝୁମର, ଭାରତନାଟ୍ୟମ, ମଣିପୁରୀ, ଘୋଡାନାଚ, ଢେମସା, ସାନ୍ତାଳୀ, ମୁଣ୍ଡାରୀ ଇତ୍ୟାଦି ନାଚଗୁଡିକର ପରିବେଷଣ ପାଇଁ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି।
ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ୬ଟି ଦଳଗତ ନୃତ୍ଯ ପରିବେଷଣର କାର୍ଯ୍ୟକ୍ରମ ରହିଛି। ବିଶେଷ ଆକର୍ଷଣ ଭାବେ ଚିତ୍ର ପ୍ରଦର୍ଶନୀ ଓ ପୁସ୍ତକ ପ୍ରଦର୍ଶନୀ ସହ ଚାରୋଟି କର୍ମଶାଳାର ଆୟୋଜନ ମଧ୍ଯ କରାଯିବ। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ତଥା ଆଗ୍ରହୀ ବ୍ଯକ୍ତିଙ୍କୁ ବିଭିନ୍ନ ଚିତ୍ରକଳା, ଜଉକଣ୍ଢେଇ ଗଢଣ, ବାଉଁଶ ନିର୍ମିତ ହସ୍ତଶିଳ୍ପ ଓ ଚାନ୍ଦୁଆ କାମ କରିବାର ସୁଯୋଗ ପ୍ରଦାନ କରାଯିବ। ଏଥିସହିତ ବିଭିନ୍ନ ହସ୍ତଶିଳ୍ପ ଓ ସୃଜନଶୀଳ ସୁକ୍ଷ୍ମ କାରିଗରୀର ପ୍ରଦର୍ଶନୀର ଆୟୋଜନ କରାଯାଇଛି।

ଏହି ଅବସରରେ କାର୍ଯ୍ୟକ୍ରମର ସୂଚାରୁ ସମ୍ପାଦନ କରିବା ପାଇଁ କୁଳପତିଙ୍କ ମାର୍ଗଦର୍ଶନରେ ବିଭିନ୍ନ କମିଟି ଗଠନ କରାଯାଇ କମିଟିର ମୁଖ୍ଯ ସଂଚାଳକଙ୍କୁ ଆବଶ୍ଯକୀୟ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ବିତ୍ତ ନିୟନ୍ତ୍ରକ କରନ ସୋରେନ, ଭାଷା ଓ ସାହିତ୍ଯ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ର ତଥା ସମସ୍ତ କମିଟିର ସଦସ୍ଯ ଓ ମୁଖ୍ଯଙ୍କ ଉପସ୍ଥିତିରେ ଉନୁରୁମ ଉତ୍ସବରେ ବ୍ୟବହୃତ ହେବାକୁ ଥିବା ଲୋଗୋ ଓ ପ୍ରଥମ ପୋଷ୍ଟର ଉନ୍ନୋଚିତ କରାଯାଇଥିଲା।
ଏହି ସାଂସ୍କୃତିକ ଓ ଲୋକସମ୍ଭାରର ଅନନ୍ଯ ଉତ୍ସବରେ ସମସ୍ତେ ଯୋଗ ଦେଇ ଏହାକୁ ସଫଳ କରିବା ସହ ଓଡ଼ିଶା ତଥା ଦେଶ ବିଦେଶର ସଂସ୍କୃତି, ଲୋକକଳା ଓ ପରମ୍ପରାକୁ ସମ୍ମାନ ଦେବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.