ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବ୍ରାହ୍ମଣ କେନ୍ଦୁଗୁଡା ଠାରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ

କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ବାରା ମୃତ ଦେହ ଉଦ୍ଧାର

ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): କଲମପୁର ପୁଲିସ ଥାନା ଅଧିନସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବ୍ରାହ୍ମଣ କେନ୍ଦୁଗୁଡା ଘାଟ ଠାରେ ଗାଧୋଇବାକୁ ଯାଇ ଜଣେ ନାବାଳିକା କେନାଲର ୧୨ଫୁଟ ପାଣିରେ ବୁଡ଼ି ନିଖୋଜ ହେଇ ଯାଇଥିଲେ। ପରବର୍ତ୍ତୀ ସମୟରେ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ବାରା ମୃତ ଦେହ ଉଦ୍ଧାର ହେବା ଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁସାରେ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମର ମହେନ୍ଦ୍ର ମାଝୀଙ୍କ ୧୧ ବର୍ଷିୟ ନାବାଳିକା ଝିଅ ରୁଚିକା ମାଝୀ ଗୁରୁବାର ବନ୍ଧକନା ସରସ୍ଵତୀ ଶିଶୁ ମନ୍ଦିରରୁ ଫେରିବା ପରେ ଗାଧୋଇଵା ପାଇଁ ନିକଟରେ ଥିବା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲକୁ ଯାଇଥିଲା। ସେଠାରେ ଗାଧୋଉଥିବା ବେଳେ ହଠାତ ଗଭୀର ପାଣିରେ ଗୋଡ ଖସିଯିବାରୁ ପ୍ରାୟ ୧୨ ଫୁଟ୍ ପାଣିରେ ବୁଡ଼ି ନିଖୋଜ ହେଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏ‌ହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ପାଣି ଭିତରେ ବୁଡ଼ି ନିଖୋଜ ରୁଚିକାକୁ ଖୋଜିଥିଲେ। ଘଟଣାସ୍ଥଳରୁ ପ୍ରାୟ ୧୫୦ ମିଟର ଦୂରରେ ପାଣି ଭିତରୁ ରୁଚିକାକୁ ଉଦ୍ଧାର କରିଥିଲେ। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ରୁଚିକାକୁ ମୃତ ଘୋଷଣା କରିଥିଲେ। ଏନେଇ କଲମପୁର ପୁଲିସ ଥାନା ପକ୍ଷରୁ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରାଯାଇଛି। ଏହାପରେ ପୁଲିସ ଶବକୁ ଜବତ କରି ପଞ୍ଚନାମା କରିଥିଲେ। କଲମପୁର ଠାରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ନଥିବାରୁ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.