ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବୁଧବାର ଦିନ ବିଧାନସଭାରେ ଚଳିତ ବଜେଟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଖର୍ଚ୍ଚ ଦାବି ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ବସ୍ତା ବିଧାୟିକା ସୁବାସିନୀ ଜେନା ନିଜ ବକ୍ତବ୍ୟରେ କହିଥିଲେ ଯେ ପୃଥିବୀରେ ବହୁ ଦେଶ ପ୍ରାକ ଚିହ୍ନଟ ଓ ସ୍କ୍ରିନିଂ କରି ଡାଇବେଟିସ, କ୍ଯାନସରକୁ ବହୁ ମାତ୍ରାରେ କମାଇ ପାରୁଛନ୍ତି। ଉଦାହରଣ ସ୍ବରୂପ ଜାପାନ ଓ କୋରିଆ ଭଳି ଦେଶ ସେମାନଙ୍କ ଜନସାଧାରଣଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରି ଡାଇବେଟିସକୁ ୫ ପ୍ରତିଶତ ପର୍ଯ୍ଯନ୍ତ କମାଇବାରେ ସମର୍ଥ ହେଉଥିବା ବେଳେ ଭାରତକୁ ଡାଇବେଟିସ କ୍ଯାପିଟାଲ ଭାବେ କୁହାଯାଉଛି। ତେଣୁ ବଜେଟରେ ସରକାର ଅର୍ଥ ବରାଦ କରନ୍ତୁ ଏବଂ ଓଡିଶାର ପ୍ରତି ନାଗରିକ ପାଇଁ ବର୍ଷକୁ ଅତି କମରେ ଥରେ ସ୍ବାସ୍ଥ୍ଯର ପ୍ରାକ ପରୀକ୍ଷା କରନ୍ତୁ ଯାହା ଫଳରେ କ୍ଯାନସର,ଡାଇବେଟିସ ଇତ୍ଯାଦି ଭଳି ରୋଗ ବହୁମାତ୍ରାରେ କମିବା ସହ ସ୍ବଳ୍ପ ଖର୍ଚ୍ଚରେ ଅଧିକ ଲାଭ ପାଇବେ ଓଡିଶାବାସୀ। ବିଧାୟିକା ଜେନା କହିଥିଲେ ଆମେ ପିଲା ଦିନୁ ଶିଖିଛୁ “ସ୍ବାସ୍ଥ୍ଯ ହିଁ ସମ୍ପଦ”। ଚଳିତ ବଜେଟରେ ସରକାର ଏହି ବିଭାଗ ପାଇଁ ୨୨ ହଜାର ୭୪୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଯାହା ଗତ ବଜେଟ ତୁଳନାରେ ୧୭ ପ୍ରତିଶତ ଅଧିକ। ସ୍ବାସ୍ଥ୍ଯର ଗୁରୁତ୍ବକୁ ଆଖି ଆଗରେ ରଖି ପୂର୍ବତନ ମୂଖ୍ଯମନ୍ତ୍ରୀ ମାନ୍ଯବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୨୦୨୩-୨୪ ଆର୍ଥିକ ବର୍ଷରେ ସିଧା ସଳଖ ୨୭ ପ୍ରତିଶତ ଅଧିକା ଅର୍ଥ ଦେଇଥିଲେ ତା’ର ପୂର୍ବ ବର୍ଷ ଅର୍ଥାତ ୨୦୨୨-୨୩ ତୁଳନାରେ ଏବେ ମାତ୍ର ୧୭ ପ୍ରତିଶତ ଅଧିକ ଦିଆଯାଇଛି। ଖାଲି ସେତିକି ନୁହଁ,ନୀତି ଆୟୋଗର ହେଲଥ ଇନଡେକ୍ସ ୨୦୨୫ ର ତଥ୍ଯ ଅନୁସାରେ ସ୍ପଷ୍ଟ ଭାବରେ ନୀତି ଆୟୋଗ ଦର୍ଶାଇଛନ୍ତି ଓଡିଶା ସରକାର ସ୍ବାସ୍ଥ୍ଯ ପାଇଁ ଅଧିକା ଅର୍ଥ ଅନୁଦାନ ଦେଇ ପାରିବେ। ୨୦୨୫-୨୬ ଆର୍ଥିକ ବର୍ଷରେ ୨୨ ହଜାର ୭୪୧ କୋଟିକୁ ବଢାଇ ଅତିକମରେ ୩୦ ହଜାର କୋଟି କରିବା ପାଇଁ ପ୍ରସ୍ତାବ ରଖିଥିଲେ। କାରଣ ଓଡିଶା ମୁଣ୍ଡପିଛା ସ୍ବାସ୍ଥ୍ଯ ଖର୍ଚ୍ଚ ମାତ୍ର ୩୬୦୦ ଟଙ୍କା କରୁଥିବା ବେଳେ କେରଳ ଭଳି ରାଜ୍ଯ ୧୦ ହଜାର ୬୦୦ ଟଙ୍କା ଖର୍ଚ୍ଚ କରୁଛି ଅର୍ଥାତ କେରଳ ଆମ ଠାରୁ ମୁଣ୍ଡପିଛା ୩ଗୁଣା ଅଧିକ ଖର୍ଚ୍ଚ କରୁଛି। ଏହାର ପରିମାଣ ସ୍ୱରୂପ ଆମ ଓଡିଶା ଲୋକଙ୍କର ହାରାହାରି ପରମାୟୂ ୬୯ ବର୍ଷ ଥିଲା ବେଳେ କେରଳରେ ଏହା ୭୫ ବର୍ଷ ଏବଂ ତାମିଲନାଡୁରେ ୭୪ ବର୍ଷ। କେରଳ ବଜେଟର ଆକାର ୧ ଲକ୍ଷ ୬୪ ହଜାର କୋଟି ଥିବା ବେଳେ ସେମାନେ ଖର୍ଚ୍ଚ କରୁଛନ୍ତି ବଜେଟର ପାଖାପାଖି ୯ ପ୍ରତିଶତ ଅର୍ଥାତ୍ ୧୪ ହଜାର କୋଟି ।ଆମ ରାଜ୍ଯର ବଜେଟର ଆକାର ୨ ଲକ୍ଷ ୯୦ ହଜାର କୋଟି ଥିଲା ବେଳେ ଆମେ ସ୍ବାସ୍ଥ୍ଯ ପାଇଁ କମ ଅର୍ଥ ଦେଉଛୁ ଯାହାକି ପାଖାପାଖି ୭.୮ ପ୍ରତିଶତ।
ଶିଶୁ ମୃତ୍ଯୁହାର କେରଳରେ ପ୍ରତି ହଜାରରେ ୬ଜଣ ଶିଶୁ ଥିବା ବେଳେ ଓଡିଶାରେ ଏହା ୩୬ ଅର୍ଥାତ୍ ୬ଗୁଣା ଅଧିକ ଆମ ପିଲା ମୃତ୍ଯୁର ଶୀକାର ହେଉଛନ୍ତି । ସେହିପରି ମାତୃ ମୃତ୍ଯୁହାର ରେ ଆମର ପ୍ରତି ଏକ ଲକ୍ଷରେ ୧୩୬ ଜଣ ଥିବା ବେଳେ କେରଳରେ ମାତ୍ର ୧୯ ଜଣ । ସେହିପରି ରାଜ୍ୟରେ ଡ଼ାକ୍ତରଙ୍କ ଅଭାବ ସମ୍ପର୍କରେ ଉଲ୍ଲେଖ କରି ବିଧାୟିକା ଜେନା କହିଥିଲେ ଦିଲ୍ଲୀରେ ପ୍ରତି ୧୫ ଶହ ଲୋକରେ ଜଣେ ଡାକ୍ତର ଥିବା ବେଳେ ଆମ ରାଜ୍ଯରେ ୬୦ ପ୍ରତଶତ ସ୍ଥାନରେ ଡ଼ାକ୍ତରଙ୍କର ଅଭାବ ରହିଛି। ଏଥିସହିତ ଅନ୍ଯ ରାଜ୍ଯରେ ପାଖାପାଖି ୧୫ ଶହ ଲୋକଙ୍କ ପାଇଁ ଗୋଟିଏ ପବ୍ଲିକ ହେଲଥ ସେଣ୍ଟର ଥିବା ବେଳେ ଆମ ରାଜ୍ଯରେ ୨୨ ହଜାର ଲୋକଙ୍କ ପାଇଁ ଗୋଟିଏ ପବ୍ଲିକ ହେଲଥ ସେଣ୍ଟର ରହିଛି। ଆମ ଜିଲ୍ଲା ବାଲେଶ୍ବର ଏବଂ ମୋ ନିର୍ବାଚନମଣ୍ଡଳୀ ବସ୍ତା ଓ ବାଲିଆପାଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କର ଘୋର ଅଭାବ । ତାହାର ପ୍ରତିଫଳନ ସ୍ୱରୂପ ନିକଟରେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ସୁରକ୍ଷା କର୍ମୀ ରୋଗୀଙ୍କର ବ୍ଲଡ ପ୍ରେସର୍ ମାପୁଥିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସରକାର କମ ଖର୍ଚ୍ଚ କରୁଥିବାର ସୁବିଧା ନେଇ ଘରୋଇ ହସପିଟଲ ମାନେ ରୋଗୀଙ୍କୁ ଶୋଷଣ କରିବାର ବହୁ ଦୃଷ୍ଟାନ୍ତ ଆମ ସାମନାକୁ ଆସୁଛି। ତାମିଲନାଡୁ ଓ କେରଳ ଭଳି ରାଜ୍ଯରେ ଡାଇଗ୍ନୋଷ୍ଟିକ ପ୍ରାଇସକୁ ନିୟନ୍ତ୍ରଣ କରାଯାଇ ପାରୁଛି।କିନ୍ତୁ ଓଡିଶା ସରକାର ସେହିଭଳି ପଦକ୍ଷେପ ନେଇ ନାହାଁନ୍ତି। ଯାହାର ପ୍ରତିଦିନ ଶୀକାର ହେଉଛନ୍ତି ଗରୀବ ଲୋକମାନେ। ତେଣୁ ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ନେଇ ଡାଇଗ୍ନୋଷ୍ଟିକ ଓ ପାଥୋଲ୍ଯାବ ପ୍ରାଇସକୁ ନିୟନ୍ତ୍ରଣ କରନ୍ତୁ ବୋଲି କହିଥିଲେ। ସେହିପରି ସରକାର ମୋଟ ଖର୍ଚ୍ଚର ଏକ ସିଂହ ଭାଗ କ୍ଯୁରେଟିଭ ହେଲଥ କେୟାରରେ ଖର୍ଚ୍ଚ କରୁଛନ୍ତି କିନ୍ତୁ ଏଥିରେ ସରକାରଙ୍କୁ ଖୁବ ବେଶୀ ସଫଳତା ମିଳିପାରୁ ନାହିଁ। ସରକାରଙ୍କୁ ପ୍ରତିଶେଧକ ଓ ପ୍ରାଥମିକ ଭାବେ ସ୍ବାସ୍ଥ୍ଯର ଯତ୍ନ ଉପରେ ଧ୍ଯ୍ଯାନ ଦେବାକୁ ପଡିବ।କଟକ,ଭୂବନେଶ୍ବରରେ ଡାକ୍ତରଖାନା କରିବା ପାଇଁ ୧ ହଜାର କୋଟି ଟଙ୍କାର ଯେତିକି ଆବଶ୍ଯକତା ଅଛି ରାଜ୍ଯର ୩୧୪ ବ୍ଲକରେ ୩ କୋଟି ଟଙ୍କା ପ୍ରତି ବ୍ଲକରେ ଖର୍ଚ୍ଚ କଲେ ପ୍ରତି ବ୍ଲକରେ ତା’ର ସୁଫଳ ଅଧିକା ମାତ୍ରାରେ ରାଜ୍ଯବାସୀ ପାଇ ପାରିବେ।
ଡ୍ରଗ୍ସ ଆଣ୍ଡ ମେଡିସିନ କଣ୍ଟ୍ରୋଲରେ ସରକାର ବାରମ୍ବାର ବିଫଳ ହୋଇଛନ୍ତି।ଏହା ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ଯ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି।ଉଦାହରଣ ସ୍ବରୂପ ୨୦୨୪ ମସିହାରେ ସେଣ୍ଟ୍ରାଲ ଡ୍ରଗ୍ସ କଣ୍ଟ୍ରୋଲ ଅର୍ଗାନାଇଜେସନ ୫୦ ରୁ ଅଧିକ ଔଷଧକୁ ନିମ୍ନମାନର ବା ଫେକ ବୋଲି ଘୋଷଣା କରିଥିଲା।ଯେଉଁଥିରେ ଆଣ୍ଟାସିଡ ଓ ପାରାସିଟାମଲ ଭଳି ଔଷଧ ଥିଲା।ଯାହାକୁ ଆମେ ପ୍ରାୟତଃ ବ୍ଯବହାର କରିଥାଉ। ଏ ସ୍ଥିତିରେ ସରକାର ଉଦାସୀନ ହୁଅନ୍ତୁ ନାହିଁ ଓ ଏଭଳି ଧର୍ତ୍ତବ୍ଯ ଅପରାଧ କରୁଥିବା ବ୍ଯକ୍ତିକୁ କଠୋର ଦଣ୍ଡ ବିଧାନ କରିବାକୁ ବିଧାୟିକା ଦାବି କରିଥିଲେ।
ଏଥିସହିତ ବିଧାୟିକା ଜେନା କିଛି ଗଠନ ମୂଳକ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ ଭାରତ ସହିତ ଆମ ଓଡିଶା ଆଗାମୀ ୫-୧୦ ବର୍ଷ ମଧ୍ଯ୍ଯରେ ଦୁଇଟି ବଡ ସମସ୍ଯାର ସମ୍ମୁଖିନ ହେବାକୁ ଯାଉଛି, ଗୋଟିଏ ହେଲା ସ୍ବାସ୍ଥ୍ଯ ଓ ଦ୍ବିତୀୟ ହେଲା ପାଣି ।ଏ ଦୁଇଟି ସମସ୍ଯା ଭିତରେ ସମ୍ପର୍କ ଅତି ନିବିଡ।ମୂଖ୍ଯମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ଯରେ ଗୋଟିଏ ଟାସ୍କଫୋର୍ସ ଗଠନ କରାଯାଉ ଯେଉଁ ମାନେ “ମିଶନ ମୋଡ”ରେ କାର୍ଯ୍ଯକରିବେ ଏବଂ ଏଥିରେ ଓଡିଶା ଓ ଦେଶର ବିଶେଷଜ୍ଞ ମାନଙ୍କୁ ସଦସ୍ଯ ରଖାଯାଇ ଆଗାମୀ ୫ ରୁ ୧୦ ବର୍ଷ ପାଇଁ ସ୍ବାସ୍ଥ୍ଯ ଓ ପାଣି ସମସ୍ଯାକୁ କୌଶଳ ପ୍ରୟୋଗ କରି କିପରି ସମାଧାନ କରାଯାଇ ପାରିବ ତାହା ପାଇଁ ତୁରନ୍ତ ଆକ୍ସନ ପ୍ଲାନ କାର୍ଯ୍ଯକାରୀ କରାଯାଉ ।
ଆଜି ଆମେ ବଡବଡ ରୋଗର ଶୀକାର ହେବାର ମୂଖ୍ଯ କାରଣ ହେଲା ଆମର ଜୀବନଚର୍ଯ୍ଯା।ଯାହାର ଶୀକାର ଆମେ ବିଧାୟକ,ମନ୍ତ୍ରୀ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତେ ଅନ୍ତର୍ଭୁକ୍ତ। ସରକାର ପ୍ରତି ନିର୍ବାଚନମଣ୍ଡଳୀସ୍ତରୀୟ ସଚେତନତା କାର୍ଯ୍ଯକ୍ରମ ହାତକୁ ନିଅନ୍ତୁ ଓ ପ୍ରତି ଘରକୁ ଘର ବୁଲି ଲୋକଙ୍କୁ ସଜାଗ କରାନ୍ତୁ ଫଳରେ ପ୍ରିଭେଣ୍ଟିଭ ହେଲଥକେୟାର ବହୁ ମାତ୍ରାରେ ଉତ୍ସାହିତ ହେବ। ଏହି ଦିଗରେ ସ୍ବାସ୍ଥ୍ଯ ମନ୍ତ୍ରାଣାଳୟ ଓ ସ୍ବାସ୍ଥ୍ଯ ବିଭାଗର ଅଧିକାରୀ ମାନେ ସିଙ୍ଗାପୁର,ଡେନମାର୍କ ର ସଫଳ ମଡେଲ ବିଷୟରେ ଅନୁଧ୍ଯ୍ଯାନ କରି ଓଡିଶାରେ ଲାଗୁ କରନ୍ତୁ। ଉଦାହରଣ ସ୍ବରୂପ ସିଙ୍ଗାପୁର ସରକାର ନିଜର ନାଗରିକ ମାନଙ୍କୁ ଡିଜିଟାଲ ୱାଚ ପ୍ରଦାନ କରିଛନ୍ତି ଏବଂ ଯେଉଁ ମାନେ ପ୍ରତିଦିନ ୧୦ ହଜାରରୁ ଅଧିକ ଷ୍ଟେପ ଚାଲିବେ ସେମାନଙ୍କୁ ରିୱାର୍ଡ ପଏଣ୍ଟ ଦିଆଯାଇ ଉତ୍ସାହିତ କରାଯାଉଛି। ସର୍ବନିମ୍ନ ବଜେଟ୍ ଆବଣ୍ଟନ ଏବଂ ସର୍ବାଧିକ ଉତ୍ପାଦନ ସହିତ ଗୁଣାତ୍ମକ ଏବଂ ସତର୍କତାମୂଳକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେବା ଦିଗରେ କେରଳ ଶ୍ରେଷ୍ଠ ଉଦାହରଣ ପାଲଟିଛି । ସେଥିପାଇଁ ୧୪ ହଜାର କୋଟି ଟଙ୍କାର ବଜେଟରେ ସ୍ବାସ୍ଥ୍ଯ ପାଇଁ ଖର୍ଚ୍ଚ କରି ଆମ ଠାରୁ ଅଧିକ ସୁଫଳ ପାଉଛନ୍ତି । ଯାହାକି ଆମେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ ପାଉନାହୁଁ। ଆମ ରାଜ୍ଯର ବିଶେଷଜ୍ଞମଣ୍ଡଳୀ କେରଳ ଓ ତାମିଲନାଡୁ ଭଳି ରାଜ୍ଯକୁ ଗସ୍ତ କରି ସେମାନେ କିଭଳି ପ୍ରାଥମିକ ସ୍ବାସ୍ଥ୍ଯ ସୁବିଧାକୁ ମଜବୁତ କରି ପାରିଛନ୍ତି ତାହାର ବାସ୍ତବିକତାକୁ ଅନୁଧ୍ଯ୍ଯାନ କରି ଓଡିଶାରେ ଲାଗୁ କରିବାକୁ ଦାବି କରିଥିଲେ।