୨ରୁ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ, କଳାହାଣ୍ଡିରେ ପ୍ରସ୍ତୁତି ଜୋରଦାର

ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟିଲେ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଜାତୀୟ ଶିକ୍ଷା ନୀତି ଆଧାରରେ ଏବର୍ଷ କେବଳ ପ୍ରଥମ ଶ୍ରେଣୀ ପିଲା ନୁହନ୍ତି, ଶିଶୁବାଟିକା ପିଲା ମଧ୍ୟ ବିଦ୍ୟାଳୟରେ ନାମ ଲେଖାଇବେ। ଏପ୍ରିଲ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ-୨୦୨୫ ଅବସରରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ନିଆରା ଢଙ୍ଗରେ ସ୍ଵାଗତ କରାଯିବ। ଏଥିପାଇଁ କଳାହାଣ୍ଡି ଜିଲ୍ଲାରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଗୁରୁବାର ଦିନ ଭବାନୀପାଟଣା ସହରର ମାଳିପଡ଼ାକୁ ଯାଇ ଅଭିଭାବକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଓ ଶୁଭଲକ୍ଷ୍ମୀ ନାଏକ, ସମଗ୍ର ଶିକ୍ଷା କଳାହାଣ୍ଡିର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ସ୍ଵାଧୀନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରି ପ୍ରକାଶ କରିଛନ୍ତି ଯେ, ଏନେଇ ବିଦ୍ୟାଳୟ ସ୍ତରରେ ଚାରି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରଥମ ଦିନ ବିଦ୍ୟାଳୟକୁ ଶିକ୍ଷାର୍ଥୀ, ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି, ମାତୃ କମିଟି, ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ, ଅଭିଭାବକ ଓ ଗୋଷ୍ଠୀ ସହଯୋଗରେ ଉତ୍ସବମୁଖର ଢଙ୍ଗରେ ସଜାଯିବ। ନୂଆ ପିଲାମାନଙ୍କୁ ତିଳକ, ପୁଷ୍ପଗୁଚ୍ଛ ଓ ବେଜ୍ ଦେଇ ସ୍ଵାଗତ କରାଯିବ, ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରାଯିବ ଏବଂ କିଟ୍‌ ବଣ୍ଟନ ହେବ। ସ୍ଥାନୀୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଆଲୋଚନା ମଧ୍ୟ ଅନୁଷ୍ଠିତ ହେବ।

ଦ୍ଵିତୀୟ ଦିନ ସାକ୍ଷରତା ଷ୍ଟେସନ୍‌ ପ୍ରଦର୍ଶନ କରାଯିବ, ଯେଉଁଠାରେ ପିଲାମାନେ ପଞ୍ଚତନ୍ତ୍ର ଓ ଲୋକକଥାରୁ ନୈତିକ ଶିକ୍ଷାଯୁକ୍ତ ଗପ ଶୁଣିବେ, ଶିଶୁଗୀତ ଶିଖିବେ ଏବଂ ଢୋଲ ମର୍ଦଳ ବାଦନ ତଥା ଲୋକନୃତ୍ୟରେ ଅଂଶଗ୍ରହଣ କରିବେ। ତୃତୀୟ ଦିନ ସଂଖ୍ୟାଜ୍ଞାନ ଷ୍ଟେସନ୍‌ରେ ଗଣିତ ଖେଳ, ଗପ ଓ ସଙ୍ଗୀତ ମାଧ୍ୟମରେ ଶିକ୍ଷା ଦିଆଯିବ। ଚତୁର୍ଥ ଦିନ ପ୍ରଭାତ ଫେରି ଓ ପିଲାମାନଙ୍କ କୃତି ପ୍ରଦର୍ଶନ ସହ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।

ଏଥିସହ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ସଚେତନତା ରଥ ପରିଭ୍ରମଣ କରି ବୟସ ଅନୁସାରେ ନାମଲେଖା, ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ସୃଜନୀ ଷ୍ଟେସନ୍‌ ସମ୍ପର୍କରେ ସଚେତନତା ସୃଷ୍ଟି କରିବ। ଏଥିପାଇଁ ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟି ସହଯୋଗରେ ଯୋଗ୍ୟ ପିଲାଙ୍କ ତାଲିକା ପ୍ରସ୍ତୁତ କରି ନିମନ୍ତ୍ରଣ ପତ୍ର ବଣ୍ଟନ କରିବେ ଏବଂ ବିଦ୍ୟାଳୟରେ ଏଫ୍ଏଲ୍ଏନ୍ ଓ ସୃଜନୀ ଷ୍ଟେସନ୍‌ ପ୍ରସ୍ତୁତ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.