ଥରେ ସଂବର୍ତ୍ତକ ନାମକ ଅଗ୍ନି ପବନ ଦେବଙ୍କ ସହ ମିଳିତ ହୋଇ ସାରା ଜଗତକୁ ଦହନ କଲେ । ଏହି ସମୟରେ ମାର୍କେଣ୍ଡେୟ ମୁନି ଅତି ବ୍ୟସ୍ଥ ହୋଇ ଏପଟ ସେପଟ ଦଉଡିବାକୁ ଲାଗିଲେ । କିନ୍ତୁ ତାଙ୍କୁ କେଉଁଠି ହେଲେ ଆଶ୍ରୟ ମିଳିଲା ନାହିଁ । ପରିଶେଷରେ ସେ ପବିତ୍ର ନିଳଗିରିର କଳ୍ପବଟକୁ ଆଶ୍ରୟ କରି ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ଲାଗିଲେ । ଧ୍ୟାନ ଭଗ୍ନହେଲା ପରେ ସେ କଳ୍ପବଟକୁ ଦେଖିବାକୁ ପାଇଲେ ନାହିଁ ଓ ଜଳ ଉପରେ ପହଁରିବାକୁ ଲାଗିଲେ । କିଛି ସମୟପରେ ସେହି କଳ୍ପବଟ ଦୃଷ୍ଟି ଗୋଚର ହେଲା । ମାର୍କେଣ୍ଡେୟ ମୁନି ଦେଖିଲେ ବଟ ବୃକ୍ଷର ଏକ ଶାଖାରେ ସୁବର୍ଣ୍ଣ ପଳଙ୍କ ଉପରେ ଜଣେ ଶିଶୁ ଶୟନ କରିଛନ୍ତି ।
ସେହି ଶିଶୁ କହିଲା – ‘ମାର୍କେଣ୍ଡେୟ ମୋ ପାଖକୁ ଆସ’ । ମୁନି ସେହି ଶିଶୁକୁ ଚିହ୍ନି ନପାରି ଆଶ୍ଚର୍ଯ୍ୟ ଚକିତ ହୋଇ ଦଣ୍ଡାୟମାନ ହେଲେ । ସେହି ଶିଶୁ ସ୍ବୟଂ ଶ୍ରୀକୃଷ୍ଣ ଥିଲେ, ସେ କହିଲେ – ହେ ମାର୍କେଣ୍ଡେୟ ମୋ ଉଦରରେ ପ୍ରବେଶ କର । ମାର୍କେଣ୍ଡେୟ ସେହି ଶିଶୁର ଉଦରରେ ପ୍ରବେଶକରି ସମଗ୍ର ପୃଥିବୀ, ବିଶ୍ବ ବ୍ରହ୍ମାଣ୍ଡ, ସମୁଦ୍ର, ନଦୀ, ଜନପଥ, ଗ୍ରାମ, ନଗର, ପାହାଡ ପର୍ବତ, ତିର୍ଥ, ମନୁଷ୍ୟ, ପଶୁପକ୍ଷୀ ଆଦି ଦେଖି ଆଦି ଅନ୍ତ ପାଇଲେ ନାହିଁ । ସେ ଭଗବାନଙ୍କ ଉଦରରୁ ବାହାରକୁ ଆସି ଏକାର୍ଣ୍ଣବ ପୃଥିବୀକୁ ଦେଖିଲେ ।
ସେ କୃଷ୍ଣ ରୂପି ବିଷ୍ଣୁଙ୍କୁ ସ୍ତୁତି କରିବାକୁ ଲାଗିଲେ । ତାଙ୍କର ପ୍ରାର୍ଥନାରେ ଭଗବାନ ସନ୍ତୁଷ୍ଟ ହୋଇ ବର ମାଗିବାକୁ କହିଲେ । ମାର୍କେଣ୍ଡେୟଙ୍କ ପ୍ରାର୍ଥନାନୁସାରେ ଭଗବାନ ନିଜ ମହିମା ବର୍ଣ୍ଣନା କରି ସେହି ବଟ ବୃକ୍ଷର ଉତ୍ତର ଦିଗରେ ଏକ ଶିବାଳୟ ସ୍ଥାପନ କରି ଶିବଙ୍କୁ ଆରଧନା କରିବାକୁ ଆଦେଶ ଦେଲେ । ମାର୍କେଣ୍ଡେୟ ସେଠାରେ ଏକ ହ୍ରଦ ଖନନ କରିବା ସହ ଶିବାଳୟ ସ୍ଥାପନ ପୂର୍ବକ ମହାଦେବଙ୍କୁ ଆରଧନା କରିବାକୁ ଲାଗିଲେ ।
(ବ୍ରହ୍ମ ପୁରାଣ ଓ ସ୍କନ୍ଦ ପୁରାଣରୁ ଆନିତ )
ଉପସ୍ଥାପନା :
ସୁନୀଲ କୁମାର ଧଙ୍ଗଡାମାଝୀ
Editor odiabarta. in
Click here to get daily News & Views updates 👇