ମୃତକଙ୍କ ପରିବାରକୁ ବେହେରା ଷ୍ଟେଟ ବ୍ୟାଙ୍କର ୨ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ବଜ୍ରାଘାତରେ ପ୍ରାଣ ହରାଇଥିବା ଜନୈକ ହିତାଧିକାରୀଙ୍କ ପରିବାରକୁ ବେହେରା ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ କରାଯାଇଛି। ଗତ ବର୍ଷ ମେ ମାସ ୨୯ ତାରିଖ ଦିନ ଧର୍ମଗଡ଼ ବ୍ଲକ ଧଅଁରପୁର ପଞ୍ଚାୟତ ତେନ୍ତୁଲିପଡା ଗ୍ରାମର ଚନ୍ଦ୍ର ଚନ୍ଦନ ଓ ଫୁଲମତୀ ଚନ୍ଦନଙ୍କ ପୁଅ କାମନ୍ତ ଚନ୍ଦନ (୨୮) ବଜ୍ରାଘାତରେ ମୃତ୍ୟୁ ବରଣ କରିଥିଲେ। ସେ ପେଶାରେ ରାଜମିସ୍ତ୍ରୀ ଭାବରେ କାମ କରୁଥିବା ବେଳେ ସେଦିନ ଘଡ଼ଘଡ଼ି ହେବା ସହ ବର୍ଷାକୁ ଦେଖି ଗୋଟିଏ ଗଛ ତଳେ ଲୁଚିଥିଲେ। ଏହି ସମୟରେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଥିଲା। ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସେ ଅବଗତ ଥିଲେ। ତେଣୁ ବେହେରା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ବାର୍ଷିକ ପ୍ରିମିୟମ ମାତ୍ର ୨୦ ଟଙ୍କା ଲେଖାଏଁ କଟାଇ ନିଜ ନାମରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା କରାଇଥିଲେ। ଏହି ବୀମା କରାଇଥିବାର ଫଳ ସ୍ବରୂପ ଆଜି ତାଙ୍କ ପିତା ଚନ୍ଦ୍ର ଚନ୍ଦନଙ୍କୁ ବ୍ଯାଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି। ବେହେରା ସରପଞ୍ଚ କୁମୁଦିନୀ ଗଇଁତା, ଶାଖା ପରିଚାଳକ ଦେବାଶିଷ ଜେନା, ବ୍ୟାଙ୍କ ସହକାରୀ ପ୍ରକାଶ ଠାକୁରଙ୍କ ଠାରୁ ଆଜି ତାଙ୍କ ବାପା ଚେକ୍ ପାଇ କୃତଜ୍ଞତା ଜଣାଇଛନ୍ତି। ଏଠାରେ ସୂଚନଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ ମାତ୍ର ୨୦ ଟଙ୍କା ପ୍ରିମିୟମ କଟାଇବାକୁ ପଡ଼େ। ଦୁର୍ଘଟଣା ଯୋଗୁଁ ମୃତ୍ୟୁ କିମ୍ବା ସମ୍ପୂର୍ଣ୍ଣ ଅକ୍ଷମ ହେଲେ ୨ ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମ ହେଲେ ୧ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରାଯାଇଥାଏ। ତେଣୁ ବ୍ୟାଙ୍କକୁ ଯାଇ କିମ୍ବା ଅନଲାଇନ୍‌ ମାଧ୍ୟମରେ ଏଥିରେ ସାମିଲ ହେବାକୁ ଶାଖା ଅଧିକାରୀ ଶ୍ରୀ ଜେନା ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.