ଲୁହାଗାଁ ଉ.ପ୍ରା. ବିଦ୍ୟାଳୟରେ ପ୍ରବେଶ ଉତ୍ସବର ଦ୍ଵିତୀୟ ଦିବସ, ପିଲାଙ୍କୁ ଖଡ଼ି ଛୁଆଁଇଲେ ବିଇଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ନୂତନ ଶିକ୍ଷାନୀତି ଅନୁଯାୟୀ ଚଳିତ ବର୍ଷରୁ ରାଜ୍ୟରେ ଆରମ୍ଭ ହୋଇଛି ଶିଶୁ ବାଟିକା। ଏଥିପାଇଁ ସବୁ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଚାଲିଥିବା ବେଳେ ଧର୍ମଗଡ଼ ବ୍ଲକରେ ମଧ୍ୟ ଏନେଇ ଉତ୍ସାହ ପରିଲକ୍ଷିତ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ବିଭିନ୍ନ ବିଦ୍ୟାଳୟକୁ ଯାଇ ଉତ୍ସବରେ ସାମିଲ ହେଉଥିବା ଦେଖିବାକୁ ମିଳିଛି।

ଏହି କ୍ରମରେ ଧର୍ମଗଡ଼ ବ୍ଲକ ବ୍ରାହ୍ମଣଛେଣ୍ଡିଆ କ୍ଲଷ୍ଟରର ଲୁହାଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ଵିତୀୟ ଦିବସର ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ଧୀରେନ୍ଦ୍ର ସୁନାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ପଙ୍କଜିନୀ ମାଝୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅରୂପାନନ୍ଦ ଭୋଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା, କାଶୀବାହାଲ ସିଆରସିସି ରାଜେନ୍ଦ୍ର ଦୁରିଆ, ବ୍ରାହ୍ମଣଛେଣ୍ଡିଆ ସିଆରସିସି ଟିକେଶ୍ୱର ନାଏକ, ଶିକ୍ଷାବିତ ବୀରେନ୍ଦ୍ର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ କ୍ଷୀରସିନ୍ଧୁ ସୁନାନୀ, ସ୍ବେଚ୍ଛାସେବୀ ଶିକ୍ଷକ ଜଗବନ୍ଧୁ ନାଏକ, ଦୁଇଜଣ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି, ମାତାପିତା, ଅଭିଭାବକ ଓ ଗୋଷ୍ଠୀ ମଧ୍ୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖାର ବୟସ ଓ ନିପୁଣ ଓଡିଶା କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଥିଲା। ଅତିଥି ତଥା ଶିକ୍ଷକମାନେ ନୂତନ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ରୀତିରେ ଫୁଲଚନ୍ଦନ ଦେଇ ସ୍ୱାଗତ କରିଥିଲେ ଓ ପ୍ରଥମ ଦିନରେ ଅନୁପସ୍ଥିତ ନୂତନ ଛାତ୍ରଛାତ୍ରୀଙ୍କୁ ସିଲଟ ଉପରେ ତିନୋଟି ଗୋଲ ବୁଲାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମାଝୀ ଖଡ଼ି ଛୁଆଁଇ ଥିଲେ, ନୂତନ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଲଡ଼ୁ ବଣ୍ଟନ କରିଥିଲେ ଓ ବିଦ୍ୟାଳୟର ଦୁଇଜଣ କୃତି ଛାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ଅଭିନନ୍ଦନ ଜଣାଇଥିଲେ।

ପରେ ଅତିଥି ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ପିତାମାତା, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତିରେ ବୈଠକ କରାଯାଇଥିଲା। ବୈଠକରେ ଶିକ୍ଷା ସମ୍ବନ୍ଧୀୟ ସ୍ଥାନୀୟ ସମସ୍ୟା ଓ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଭା କାର୍ଯ୍ୟପରେ ଅତିଥି ଓ ଅଭିଭାବକମାନେ ପୂର୍ବ ପ୍ରସ୍ତୁତ ସାକ୍ଷରତା କେନ୍ଦ୍ରର ଦ୍ଵିତୀୟ ଦିବସର ବିଭିନ୍ନ ଶିକ୍ଷଣ କାର୍ଯ୍ୟ ପରିଦର୍ଶନ କରିଥିଲେ।

କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା କାଁକେରି ସିଆରସିସି ପ୍ରେମଲାଲ ଜଗତ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପରିଶେଷରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଟିକେଶ୍ୱର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.