ଡୋକରୀ ଚଞ୍ଚରାରେ ଶ୍ରୀରାମ ନବମୀ ପାଇଁ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ଖଲିଗଡ଼ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ଶ୍ରୀରାମ ନବମୀ ଓ ଐତିହାସିକ ଗୁଡହାଣ୍ଡି ମହୋତ୍ସବ ରବିବାରଠାରୁ ଆରମ୍ଭ ହେବ। ଏଥିପାଇଁ ଶନିବାର କଳସ ଯାତ୍ରା ସହ ଅଧିବାସ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଶ୍ରୀରାମ ମନ୍ଦିର ନିକଟରୁ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷ ମାନେ କଳସ ଶୋଭାଯାତ୍ରାରେ ବାହାରି ପୁଣ୍ୟକୁଣ୍ଡ ନିକଟରେ ପହଞ୍ଚି ଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ପୁଜା କର୍ତ୍ତା ଭିବେ ଭରାଶଗରିଆ ଓ ତାଙ୍କ ସହଧର୍ମିଣୀ କାଞ୍ଚନ ଭରାଶଗରିଆ କଳସ ପୂର୍ଣ୍ଣ ଜଳ ଉଠାଇଥିଲେ। ଏବଂ ସେଠାରେ ଥିବା ଡୋକରୀ ପିଠ, ଶିବ ମନ୍ଦିର ଆଦି ଭ୍ରମଣ କରି ଶ୍ରୀରାମ ମନ୍ଦିର ନିକଟକୁ ଫେରିଥିଲେ। ଏହି ସମୟରେ ନାମ ସଂକୀର୍ତ୍ତନ ସହ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ଏହି ମହୋତ୍ସବ ଆସନ୍ତା ଶନିବାର ପର୍ଯ୍ୟନ୍ତ ଦିର୍ଘ ୭ଦିନ ଧରି ଅନୁଷ୍ଠିତ ହେବ। ରବିବାର ଶ୍ରୀରାମ ନବମୀ ପୂଜା, ରାମ ଚରିତମାନସ ପଠନ, ପୂନ୍ୟକୁଣ୍ଡ ଦର୍ଶନ ହେବାକୁ ଥିବାବେଳେ ସୋମବାର ଭୈରବ ପୂଜା, ଭୈରାଘୁମର ଦର୍ଶନ, ମଙ୍ଗଳବାର ପ୍ରାକ୍ ଐତିହାସିକ ଲିପି ଦର୍ଶନ ଓ ଗୁଡହାଣ୍ଡି ପୂଜା, ବୁଧବାର ଡୋକରୀ ଦେବୀ ଦର୍ଶନ, ପୂଜା ଓ ଶୋହଳ ପ୍ରହର ନାମ ସଂକୀର୍ତ୍ତନ ନିମନ୍ତେ ଅଧିବାସ, ଗୁରୁବାର ଋଷି ଗୁମ୍ଫା, ପୂନ୍ୟକୁଣ୍ଡ, ସ୍ବର୍ଗଗଙ୍ଗା ଦର୍ଶନ, ସକାଳୁ ନାମ ଆରମ୍ଭ ଓ ଶୁକ୍ରବାର ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ହେବାକୁ ଥିବାବେଳେ ଶନିବାର ନାମ ସମାପନ, ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ସହ ମହୋତ୍ସବ ଉଦଯାପିତ ହେବା ନେଇ ସୂଚନା ରହିଛି। ଶାନ୍ତି ଶୃଙ୍ଖଳାର ସହ ମହୋତ୍ସବ ପାଳନ ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ପୁଲିସ ଫୋର୍ସ ମୁତୟନ ହେବାନେଇ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.