ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ସହରରେ ପୁଣି ଶିଶୁ ବିକ୍ରି ଅଭିଯୋଗ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ରୁ ବିକ୍ରି ହେଲା ଶିଶୁ । ଗତ ତିନିଦିନ ତଳେ ଘଟିଛି ଘଟଣା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପର ହେଲା ପ୍ରଶାସନ । ଶିଶୁକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ । ବଲାଙ୍ଗିର ସହରରେ ପୁଣି ଏକ ଶିଶୁ ବିକ୍ରି ଘଟଣା ସାମ୍ନାକୁ ଆସିଛି। ଅନୈତିକ ସଂପର୍କ ଲୁଚାଇବାକୁ ଯାଇ ବିଧବା ମହିଳା ଜଣକ ଶିଶୁଟିକୁ ବିକ୍ରି କରି ଦେଇଛନ୍ତି । ଏଥିରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ରେ କାର୍ଯ୍ୟରତ ଜଣେ ନର୍ସ ଏବଂ ଟିଟିଲାଗଡ଼ର କୁନି ପଶାୟତ ନାମକ ଜଣେ ଦଲାଲ ସଂପୃକ୍ତ ଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ତଲଗଛ ଗ୍ରାମର ଜଣେ ବିଧବା ମହିଳା ବର୍ତ୍ତମାନ ବଲାଙ୍ଗିର ସହର ମାଲପଡା ସ୍ଥିତ ମେଟାକାନୀ ମନ୍ଦିର ଛକ ନିକଟରେ ଘର ଭଡା ନେଇ ରହୁଛନ୍ତି । ଗତ ୬ ତାରିଖ ଦିନ ସେ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ । ପ୍ରସବ ଘରେ ହୋଇଥିଲା । ଫଳରେ ପାଖରେ ରହୁଥିବା ଲୋକେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥିତ ଏମସିଏଚ ବିଲ୍ଡିଂକୁ ନେଇଥିଲେ । ସେଠାରେ କାର୍ଯ୍ୟରତ ଜଣେ ନର୍ସ ଅନୈତିକ ସମ୍ପର୍କରୁ ପ୍ରସବ ହୋଇଥିବା ଜାଣିବା ପରେ ଶିଶୁଟିକୁ ବିକ୍ରୀ କରିଦେବାକୁ ମହିଳାଙ୍କୁ ପ୍ରବର୍ତ୍ତାଇଥିଲେ । ଟିଟିଲାଗଡ ସହରର କୁନି ପଶାୟତ ନାମକ ଜଣେ ମହିଳାଙ୍କୁ ଯୋଗାଯୋଗ କରି ୨୦ ହଜାର ଟଙ୍କାରେ ଡିଲ ଫାଇନାଲ ହୋଇଥିଲା । ଏପରିକି ପ୍ରସବ କରିଥିବା ମହିଳାଙ୍କୁ ୫ ହଜାର ଟଙ୍କା ଆଡଭାନ୍ସ ଦେଇଥିଲେ । ଏବଂ ହସ୍ପିଟାଲରୁ ଶିଶୁକୁ ନେଇ ଟିଟିଲାଗଡ ପଳାଇଥିଲେ । ଶିଶୁ ଟିକୁ କୁଆଡେ ଝାରସୁଗୁଡା ନେଇ ବିକ୍ରୀ କରିବାକୁ ପ୍ରସ୍ତୁତି ଚାଲିଥିବାବେଳେ ଏହି ଘଟଣା ପ୍ରଘଟ ହୋଇଥିଲା । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ପ୍ରଶାସନ ତତ୍ପର ହୋଇଉଠିଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଶିଶୁ ମଙ୍ଗଳ ସମିତି ତରଫରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଅଧିକାରୀ ଓ କର୍ମଚାରୀ ମାନେ ମହିଳାଙ୍କ ଘରେ ପହଞ୍ଚି ତାଙ୍କୁ ପଚରାଉଚୁରା କରିବା ପରେ ଶିଶୁଟି ଟିଟିଲାଗଡରେ ରହିଥିବା ଜଣାପଡିଛି । ଶିଶୁକୁ ଉଦ୍ଧାର କରିବାକୁ ଏକ ଟିମ ଟିଟିଲାଗଡ ଯାଇଥିବା ଜଣାପଡିଛି ।