ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ୨୦୨୫ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ୨୦୨୫ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆୟୋଜିତ କୃଷକ ଦିବସ ପାଳନରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପାରମ୍ପରିକ ପୂଜାର୍ଚ୍ଚନା କରିବା ସହ ଅକ୍ଷୀମୁଠି ଅନୁକୂଳ କରିଥିଲେ। ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅକ୍ଷୟ ତୃତୀୟା ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଚଳିତ ଖରିଫ ଋତୁରେ କୃଷି ଆୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ସହ ଅଧିକରୁ ଅଧିକ ଅର୍ଥନୈତିକ ଚାଷ ଉପରେ ଧ୍ୟାନ ଦେବାକୁ ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି । ଚଳିତ କୃଷିବର୍ଷରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୧ଲକ୍ଷ ୨୮ହଜାର ହେକ୍ଟରରେ ଧାନଚାଷ ସହ ଅଣଧାନ ଚାଷ କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିବାବେଳେ ୭୦ ହଜାର ହେକ୍ଟରରେ ଧାନଚାଷ ଏବଂ ବୀରମହାରାଜପୁର ଓ ସଦର ସୁବର୍ଣ୍ଣପୁର ବ୍ଲକରେ ୨ହଜାର ହେକ୍ଟରରେ ପ୍ରଥମଥର ପ୍ରାକୃତିକ କୃଷି ଅଭିଯାନରେ ଜୈବିକ ଧାନଚାଷକୁ ଗୁରୁତ୍ୱ ଦିଆଯାଇଛି । ମୃତ୍ତିକା ପରୀକ୍ଷଣ, କମ୍ପୋଷ୍ଟ ଖତ, ଜିଆ ଖତ ବ୍ୟବହାର ସହ ଜଳର ସୁପରିଚାଳନାକୁ ଗୁରୁତ୍ୱ ଦେବାକୁ କେବିକେ କୃଷି ବିଜ୍ଞାନୀ ବିଶ୍ୱରଞ୍ଜନ ପଟ୍ଟନାୟକ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ସୋନପୁର ଉପଖଣ୍ଡ ଘନଶ୍ୟାମ ଦେହୁରୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କୃଷକ ଦିବସ ପାଳନର ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ଜରିଆରେ ଖରିଫ ୨୦୨୫ ସିଏମ କିସାନ ସହାୟତା ରାଶିର ହସ୍ତାନ୍ତର କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବହୁ ଅଗ୍ରଣୀ ଚାଷୀ, କୃଷକ ଅନୁଷ୍ଠାନର ସଦସ୍ୟ ସଦସ୍ୟା ତଥା ଗଣମାଧ୍ୟ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.