ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ଉଦ୍ୟମରେ ଲଙ୍ଗଳେଶ୍ୱର ଠାରେ ଆୟୋଜିତ ହେଲା ଡାଇବେଟିସ ରିଭରସାଲ ସେମିନାର

• ସମଗ୍ର ବାଲେଶ୍ବର ଜିଲ୍ଲାକୁ ଡାଇବେଟିସ ମୁକ୍ତ କରିବା ପାଇଁ ଶପଥବଦ୍ଧ ହେବାକୁ ଆହ୍ଵାନ

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଗତକାଲି ଅପରାହ୍ନରେ ଲଙ୍ଗଳେଶ୍ୱର ଠାରେ ବସ୍ତାର ବିଧାୟିକା ସୁବାସିନୀ ଜେନା ଏବଂ ଓଡ଼ିଶାର ସୁନାମଧନ୍ୟ ଡାଇବେଟିସ୍ ରିଭରସାଲ୍ ଏକ୍ସପର୍ଟ ଡାକ୍ତର ମାଧବ ନାୟକ ଓ ଆର.କେ.ଜେନା ଫାଉଣ୍ଡେସନର ମିଳିତ ଉଦ୍ୟମରେ ଏକ ଡାଇବେଟିସ ରିଭରସାଲ୍ ସେମିନାର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସାଂସଦ ତଥା ଆର.କେ. ଜେନା ଫାଉଣ୍ଡେସନର ମୁଖ୍ୟ ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସେମିନାରକୁ ବାଲେଶ୍ୱରର ଉପ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଶ୍ରୀ ଜେନା ନିଜ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଏକ ପରିସଂଖ୍ୟାନରୁ ଜଣାପଡିଛି ଆମ ଦେଶର ୨୪ କୋଟିରୁ ଉର୍ଦ୍ଧ୍ଵ ଲୋକ ଡାଇବେଟିସର ଶିକାର ହୋଇ ସାରିଲେଣି ଏବଂ ପ୍ରତ୍ୟେକ ପରିବାରରୁ କେହି ନା କେହି ଏଥିରେ ଆକ୍ରାନ୍ତ। ତେଣୁ ଏହି ସେମିନାରର ସୁଫଳ ପାଇବା ସହିତ ନିଜକୁ ଡାଇବେଟିସରୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ନିଜ ପରିବାର ଏବଂ ଆଉ ପାଞ୍ଚଜଣକୁ ଏଥିରୁ ମୁକ୍ତ କରିବାର ଶପଥ ନିଅନ୍ତୁ। ଫଳରେ ବାଲେଶ୍ୱର ଜିଲ୍ଲାକୁ ଡାଇବେଟିସ୍ ମୁକ୍ତ କରିବାକୁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ଭବିଷ୍ୟତରେ ନିଶ୍ଚୟ ଏହାର ସୁଫଳ ଆମେ ପାଇପାରିବା।

ବସ୍ତାର ବିଧାୟିକା ସୁବାସିନୀ ଜେନା ଉପସ୍ଥିତ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଡାକ୍ତର ମାଧବ ନାୟକଙ୍କୁ ଏହି ବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ I ସେ କହିଥିଲେ ବିଧାୟିକା ହିସାବରେ ଆପଣମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ମୋର ପ୍ରଥମ ଦାୟିତ୍ୱ, ତେଣୁ ଡାଇବେଟିସ ରୋଗ ସହ ଅନ୍ୟ ଲାଇଫ ଷ୍ଟାଇଲ ରୋଗ ଗୁଡିକ ଉପରେ ଧ୍ୟାନ ଦେଇ ସୁସ୍ଥ ଓ ନିରାମୟ ଜୀବନ ଯାପନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।

ଉପ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ନିଜ ବକ୍ତ୍ୟବ୍ୟରେ ଆମ ଦେଶ ସହିତ ସାଉଥ ଏସିଆର ଲୋକମାନେ ଅଧିକ ମାତ୍ରାରେ ଉଚ୍ଚ ଗ୍ଳାଇସେମିକ ଖାଦ୍ୟ ଖାଇବା ହେତୁ ଡାଇବେଟିସ୍ ପାଇଁ ଅଧିକ ସମ୍ବେଦନଶୀଳ ଅଟନ୍ତି। ତେଣୁ ଡାଇବେଟିସ୍ ଏବଂ ତା ସହଜନିତ ରୋଗ ଗୁଡିକ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି I ଆର.କେ.ଜେନା ଫାଉଣ୍ଡେସନ ଓ ବିଧାୟିକା ଜେନାଙ୍କ ଏଭଳି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହ ଉପସ୍ଥିତ ସମସ୍ତଙ୍କୁ ଏହି ସେମିନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ I

ଅନ୍ୟତମ ଅତିଥି ଶିକ୍ଷାବିତ ଡ଼ ପଙ୍କଜ କୁମାର ଜେନା ଯୋଗ ଦେଇ ପୁରାଣ ଯୁଗରେ ମହିଷାସୁରକୁ ବଧ କରିବାକୁ ମା’ ଦୁର୍ଗାଙ୍କର ଯେପରି ଜନ୍ମ ହୋଇଥିଲା ସେହିପରି ଆଧୁନିକ ଯୁଗରେ ମହିଷାସୁର ଭଳି ଡାଇବେଟିସ ରୋଗରୁ ଆପଣମାନଙ୍କୁ ମୁକ୍ତ କରିବାକୁ ବିଧାୟିକା ସୁବାସିନୀ ଜେନା ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଏଭଳି ସାଧୁ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ I ଡାଇବେଟିସ ରିଭରସାଲ ଏକ୍ସପର୍ଟ ଡାକ୍ତର ମାଧବ ନାୟକ ଡାଇବେଟିସ କଣ ଏବଂ ଡାଇବେଟିସ ରିଭରସାଲ କାହିଁକି ଜରୁରୀ, ସେ ସମ୍ବନ୍ଧରେ ପ୍ରୋଜେକ୍ଟର ମାଧ୍ୟମରେ ପ୍ରାୟ ଦୁଇଘଣ୍ଟା ଧରି ବୁଝାଇବା ସହିତ ଆଗାମୀ ଦିନରେ କିପରି ଡାଇବେଟିସରୁ ମୁକ୍ତ ହୋଇ ଜଣେ କିପରି ସାଧାରଣ ଜୀବନଯାପନ କରିପାରିବ ତାହା ଉପରେ ମାର୍ଗଦର୍ଶନ କରିଥିଲେ I ଏଥିସହିତ ପୁରାତନ ଓ ଆଧୁନିକ ଯୁଗର ଜୀବନଶୈଳୀ ଓ ଖାଦ୍ୟପେୟର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ଏହାର କୁପ୍ରଭାବ ସମ୍ପର୍କରେ ଅବଗତ କରାଇଥିଲେ ଓ ଶେଷରେ ଉପସ୍ଥିତ ଲୋକମାନଙ୍କର ଡାଇବେଟିସ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ I

ଏହି ଅବସରରେ ଡାକ୍ତର ମାଧବ ନାୟକଙ୍କ ଦ୍ୱାରା ପୂର୍ବରୁ ଆୟୋଜିତ ହୋଇଥିବା ପାଞ୍ଚଦିନିଆ ଡାଇବେଟିସ ରିଭରସାଲ କ୍ୟାମ୍ପରେ ଯୋଗଦେଇ ବିନା ଔଷଧ ଓ ଇନସ୍ୟୁଲିନ୍ ରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ଚକ୍ରଧର ଦାସ, ମନୋରଞ୍ଜନ ବିଶ୍ୱାଳ ଏବଂ ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ସେମାନଙ୍କର ସଫଳତା ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ବାଲେଶ୍ୱର ମ୍ୟୁନିସପାଲିଟିର ଅଧ୍ୟକ୍ଷା ସବିତା ସାହୁଙ୍କ ସମେତ ବସ୍ତା ଓ ବାଲିଆପାଳ ବ୍ଲକ ଏବଂ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରୁ ବହୁ ବୁଦ୍ଧିଜୀବୀ ଜନସାଧାରଣ ଯୋଗ ଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.