କିରିକୁଟି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଝୁଲୁଛି ତାଲା, ରୋଗୀ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଧୀନ କିରିକୁଟି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଝୁଲୁଛି ତାଲା । ମାସକରେ ମାତ୍ର ୨ ରୁ ୫ ଦିନ ଖୋଲା ରହୁଛି ଆରୋଗ୍ୟ କେନ୍ଦ୍ର। ଅଧିକାଂଶ ସମୟରେ ତାଲା ଝୁଲୁଥିବାରୁ ହସ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ପ୍ରତି ଦିନ ଏଠାକୁ ରୋଗୀ ଆସି ଫେରି ଯାଉଛନ୍ତି। ଗାଁ ନିକଟରେ ସ୍ଵାସ୍ଥ୍ୟକେନ୍ଦ୍ର ଥିଲେ ବି ଗ୍ରାମବାସୀ ସ୍ଵାସ୍ଥ୍ୟସେବା ପାଉ ନାହାଁନ୍ତି। ଫଲରେ ୫ କି.ମି ଦୂର ସିମନବାଡ଼ି ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି। ସାମାନ୍ୟ ରୋଗ ପାଇଁ ବି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଲୋକଙ୍କୁ ଘର ପାଖରେ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାର ପ୍ରତ୍ୟେକ ପଞ୍ଚାୟତ ଅଞ୍ଚଳରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରି ସିଏଚଓ ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ହେଲେ ସିଏଚଓ ମାନଙ୍କ ମନମାନି ଯୋଗୁଁ ସ୍ଵାସ୍ଥ୍ୟକେନ୍ଦ୍ରରେ ଅନେକ ସମୟରେ ତାଲା ପଡ଼ି ରହୁଛି। ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ସବୁ ପ୍ରକାର ସୁବିଧା ରହିଥିଲେ ସୁଦ୍ଧା ସିଏଚଓ କେନ୍ଦ୍ରରେ ନରହି ୧୭ କିମି ଦୂର ଦାରିଙ୍ଗବାଡ଼ି ଠାରେ ରହୁଛନ୍ତି। ଫଳରେ ଦିନ ହେଉ ଅବା ରାତି ରୋଗୀ ସ୍ଵାସ୍ଥ୍ୟସେବା ପାଇବାରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଛନ୍ତି । ଅଧିକାରୀମାନଙ୍କ ତଦାରଖ ଅଭାବ ଯୋଗୁଁ ସିଏଚଓଙ୍କ ମନମାନି ଚାଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ସଠିକ୍ ତଦନ୍ତ କରାଯାଇ ସିଏଚଓଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ. ଯାକେଶ ସାମନ୍ତରାୟଙ୍କୁ ପଚାରିବାରୁ ସ୍ଥିତି ପରଖିବେ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.