ବିକଶିତ ଗାଁ – ବିକଶିତ ଓଡ଼ିଶା ଅନୁଦାନକୁ ନେଇ ଟଣାଓଟରା

ବିଜେପି କର୍ମୀଙ୍କ ବିରୋଧରେ ବର୍ଷିଲେ ପଞ୍ଚାୟତ ପ୍ରତିନିଧି, ବିଡିଓଙ୍କୁ ଫେରାଦ ହେଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟର ବିଜେପି ସରକାରଙ୍କ ଦ୍ୱାରା ଘୋଷିତ ବିକଶିତ ଗାଁ-ବିକଶିତ ଓଡିଶା ଅନୁଦାନକୁ ନେଇ ଲାଞ୍ଜିଗଡ ବ୍ଲକରେ ଅଡୁଆ ପରିସ୍ଥିତି ଦେଖାଦେଇଛି। ଶାସକ ବିଜେପି ଦଳର କିଛି କର୍ମୀ ଅନୁମୋଦିତ ତାଲିକା ଧରି ଗାଁ ଗାଁ ବୁଲି କାମ ବାଣ୍ଟିବାକୁ ମସୁଧା ଚଳାଇଥିବା ନେଇ ଅଭିଯୋଗ କରିଛନ୍ତି ଲାଞ୍ଜିଗଡ ବ୍ଲକର ନିର୍ବାଚିତ ପ୍ରତିନିଧିମାନେ। ପଲ୍ଲୀସଭା, ଗ୍ରାମସଭା ଦ୍ୱାରା ପ୍ରସ୍ତାବିତ ଓ ପଞ୍ଚାୟତ ସମିତି ବୈଠକରେ ଅନୁମୋଦିତ ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ବିଜେପି କର୍ମୀ ଦଳୀୟ ଅନୁଦାନ ଭାବେ ବାଣ୍ଟିବାକୁ ଜୋରଦାର ବିରୋଧ କରାଯାଇଛି। ଏହାକୁ ନେଇ ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସହିତ ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ମିଳିତ ଭାବେ ବିରୋଧ କରିବା ସହିତ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅଣଦେଖା କରି ବିଜେପି କର୍ମୀ କାମ ବାଣ୍ଟିଲେ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ, ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟ ପଞ୍ଚାୟତ ପ୍ରତିନିଧିମାନେ ପଲ୍ଲୀସଭା ଓ ଗ୍ରାମସଭା ଜରିଆରେ ଯଦି ଲୋକଙ୍କ ଆବଶ୍ୟକତାକୁ ସମସ୍ତ ରୂପରେଖ ପ୍ରସ୍ତୁତ କରିବେ ତେବେ ଶାସକ ଦଳର କର୍ମୀମାନେ କୌଣସି ଭୂମିକା ନଥାଇ କାମ ବାଣ୍ଟିବାକୁ କେମିତି ତତ୍ପର ହେଉଛନ୍ତି ବୋଲି ନିର୍ବାଚିତ ପ୍ରତିନିଧି ମାନେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏହି ଯୋଜନାର ଘୋଷଣା ସମୟରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ଲୋକ ଓ ସେମାନଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯିବ ଏଠାରେ ରାଜନୀତି ଆଦୌ କରାଯିବ ନାହିଁ ବୋଲି କହିଥିଲେ। ତେବେ ଲାଞ୍ଜିଗଡ ବ୍ଲକରେ ଶାସକ ବିଜେପି ଦଳର କର୍ମୀ ନିଜ ଦଳର ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସୁଦ୍ଧା କିପରି ବେଖାତିର କରିପାରୁଛନ୍ତି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ପଲ୍ଲୀସଭା ଓ ଗ୍ରାମସଭା ବ୍ୟତୀତ ରାଜ୍ୟ ସରକାର ସ୍ଥାନୀୟ ବିଧାୟକମାନଙ୍କୁ ବିକଶିତ ଗାଁ- ବିକଶିତ ଓଡ଼ିଶା ଯୋଜନାରେ ୪୦ ପ୍ରତିଶତ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ବିଧାୟକଙ୍କ ଦ୍ୱାରା ପ୍ରସ୍ତାବିତ ଉନ୍ନୟନ କାର୍ଯ୍ୟଗୁଡିକୁ ମଧ୍ୟ ବିଜେପି କର୍ମୀ ନିଜେ ଅକ୍ତିଆର କରି ବାଣ୍ଟିବା ଉଦ୍ୟମକୁ ବିଧାୟକ ଓ ତାଙ୍କ ସମର୍ଥକ ଜୋରଦାର ବିରୋଧ କରିଛନ୍ତି। ଲାଞ୍ଜିଗଡରେ ବିଜେଡି ବିଧାୟକ ଥିବାରୁ ତାଙ୍କୁ ଅଣଦେଖା କରିବାକୁ ଉଦ୍ୟମ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ଏପରିକି ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକରେ ଦିନେକାଳେ ଲୋକଙ୍କ ସମସ୍ୟା କିମ୍ବା କୌଣସି ଭଲମନ୍ଦରେ ମୁଣ୍ଡ ଖେଳାଉନଥିବା ବିଜେପି କର୍ମୀ ହଠାତ କାମ ବାଣ୍ଟିବାକୁ ଆଗଭର ହେବା ଘଟଣାକୁ ସମସ୍ତ ପଞ୍ଚାୟତ ପ୍ରତିନିଧି ନିନ୍ଦା କରିଛନ୍ତି। ରାଜ୍ୟରେ ପ୍ରଥମ ଥର କ୍ଷମତା ହାସଲ କରୁକରୁ ଓ ଶାସନର ବର୍ଷ ନପୂରୁଣୁ ବିଜେପି କର୍ମୀ ନିର୍ବାଚିତ ପ୍ରତିନିଧିମାନଙ୍କ ଉପରେ ହକିମାତି କରିବା ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଗୁରୁତ୍ୱ ଏବଂ ସାମ୍ବିଧାନିକ ଵିଧି ବ୍ୟବସ୍ଥା ଉପରେ ମଧ୍ୟ ଜୋର ଯାର, ମୁଲକ ତାର ଭଳି ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି। ଏସବୁକୁ ନେଇ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳୀ ମାଝୀ, ପରୀକ୍ଷିତ ନାଏକ, ବ୍ଲକ ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ, ସମିତିସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆ,ସଂପାଦକ ମନୋହର ହରପାଲଙ୍କ ସହିତ ବ୍ଲକର ୨୬ଗୋଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ସଭ୍ୟା ଉପସ୍ଥିତ ରହି ପଞ୍ଚାୟତିରାଜ ବ୍ୟବସ୍ଥା ଓ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ବିଜେପି କର୍ମୀଙ୍କ ହାକିମାତିକୁ ନିନ୍ଦା କରିବା ସହିତ ଶାସକ ଦଳର କର୍ମୀମାନେ ଆଗେ ଲୋକଙ୍କ ସମସ୍ୟାକୁ ଫୋକସ କରନ୍ତୁ, ଲୋକଙ୍କ ଦୁଃଖସୁଖରେ ସାମିଲ ହୁଅନ୍ତୁ ତା’ପରେ କାମ ବାଣ୍ଟିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏନେଇ ସୋମବାର ବ୍ଲକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ, ସଭ୍ୟା ମାନେ ଲାଞ୍ଜିଗଡ ବିଡିଓଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାସହିତ ଗ୍ରାମାଞ୍ଚଳର ଉନ୍ନୟନ ପାଇଁ ଆସିଥିବା ଅନୁଦାନକୁ ନେଇ ବିଜେପି କର୍ମୀ ରାଜନୀତି କଲେ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ହେଉଥିବା ପଲ୍ଲୀସଭା, ଗ୍ରାମସଭା ଓ ପଞ୍ଚାୟତ ସମିତି ବୈଠକରେ ସାମିଲ ହେବୁନାହିଁ ବୋଲି ଚେତାବନୀ ଦେଇଛନ୍ତି। ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟାମାନେ ଶାସକ ବିଜେପି କର୍ମୀଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେବା ଘଟଣାକୁ ନେଇ ଜିଲ୍ଲାରେ ରାଜନୀତି ସରଗରମ ହୋଇଉଠିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.