ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତିର ସପ୍ତମ ସାଧାରଣ ଅଧିବେଶନ ବୁଧବାର ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ସଂଯୋଜନାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ଲିଲି ଦୀପ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ନର୍ଲା ସହକାରୀ ସମ୍ପ୍ରସାରଣ ଯନ୍ତ୍ରୀ ସୁଧାଂଶୁ ମହାଲି ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, କୃଷି, ଉଦ୍ୟାନ କୃଷି ଆଦି ବିଭିନ୍ନ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏଥିରେ ୨୬ ଗୋଟି ପଞ୍ଚାୟତର ଅନେକ ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ରବି ନାଏକ ପୂର୍ବ ବୈଠକର ବିବରଣୀ ପଠନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଜିପିଇଓ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।