ନୂଆପଡା,୬/୮ : ସଦର ବ୍ଲକ ସ୍ଥିତ ଟାନୱଟ ପଞ୍ଚାୟତ ଠାରେ ଆଶା ଓଡିଶା, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ସ୍ତନ ପାନ ସପ୍ତାହ ପାଳନ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମିଶି ଏକ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିବାସହ ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ ।
ତାହାପରେ ଶୋଭାଯାତ୍ରା ଏକ ସଭାରେ ପରିଣତ ହୋଇଥିଲା ଯେଉଁଥିରେ ଏଏନଏମ ନିବେଦିତା ପଟେଲ, ଏଲଏସ (ଆଇସିଡିଏସ ) ଅହଲ୍ୟା, ପ୍ରକଳ୍ପ ସଂଯୋଜକ ସଂଜୀବ ନାୟକ ବିଶ୍ୱ ସ୍ତନ୍ୟପାନ ଦିବସର ମହତ୍ବ ଓ ସ୍ତନ୍ୟପାନ ର ଗୁରୁତ୍ୱ, ତାର ପ୍ରକ୍ରିୟା, କିଶୋରୀ ମାତୃତ୍ୱ, କେଏଲଏମ ଓ ସ୍ତନ୍ୟପାନ ପ୍ରକ୍ରିୟାକୁ ନେଇ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଟାନୱଟ କ୍ଲଷ୍ଟର କୋଡିନେଟର ତରୁ ଲତା ନାଗ ପରିଚାଳନା କରିଥିଲେ ।