ଶୁଭିଲାଣି ମରୁଡିର ପଦଧ୍ବନୀ, ଚିନ୍ତାରେ ଚାଷୀ
ମୁରିବାହାଲ,୬/୮ : ବଲାଙ୍ଗିର ଜିଲ୍ଲା ସାରା ମରୁଡିର ପଦଧ୍ୱନି ଶୁଣିବାକୁ ମିଳୁଥିବା ବେଳେ ମୁରିବାହାଲ ବ୍ଲକରେ ଚାଷର ଅବସ୍ଥା ବେହାଲ ହେବାରେ ଲାଗିଛି । ଅଗଷ୍ଟ ମାସ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମା ନିକଟତର ହେଲାଣି କିନ୍ତୁ ବର୍ଷା ଉଭାନ ହୋଇଯାଇଛି । ଜୁଲାଇରେ ସାଧାରଣତଃ ଯେତିକି ବର୍ଷା ହେବା କଥା ତା’ଠାରୁ କମି ଯାଇଛି ବର୍ଷାର ପରିମାଣ । ଅନ୍ୟବର୍ଷ ଏହି ସମୟରେ ଚାଷ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥାଏ କିନ୍ତୁ ଏବର୍ଷ ମୁରିବାହାଲ ବ୍ଲକରେ ଅନେକ ସ୍ଥାନରେ ଆରମ୍ଭ ହୋଇନାହିଁ । ଧାନ ବିହୁଡା, ରୁପାଗଢା କଥା ଛାଡନ୍ତୁ ଗାଇ ଗୋରୁ ପିଇବା ପାଇଁ ପାଣି ମୁନ୍ଦେବି ସପନ ପାଲଟି ଗଲାଣି । ଚଳିତ ବର୍ଷ ମରୁଡି ଆଶଙ୍କାରେ ମୁଣ୍ଡରେ ହାତ ଦେଇ ବସିଲେଣି ଏହି ଅଞ୍ଚଳର ଚାଷୀକୂଳ । ବ୍ଲକର ତେନ୍ତୁଲିଖୁଣ୍ଟିର ଅବସ୍ଥା ଆଖିରେ ନଦେଖିଲେ ବିଶ୍ବାସ କରିହେବନାହିଁ । ଶ୍ରାବଣ ମାସରେ ମୂଷଳ ଧାରାରେ ବର୍ଷା ହେବା କଥା କିନ୍ତୁ ଏବେ ଟାଇଁ ଟାଇଁ ଖରା ଯୋଗୁଁ ମୁରିବାହାଲ ବ୍ଲକରେ ଥିବା ସମସ୍ତ ନଦୀ ନାଳ, ପୋଖରି, କଟା ସହ କୂପଗୁଡିକରେ ପାଣି ଶୁଖିଲା ହୋଇପଡିଛି । ଫଳରେ ଚାଷଜମି ଫାଟି ଆଁ କରି ସାରିଲାଣି ।
ବେଉଷଣ ସମୟରେ ବିଲରେ ହଳ ବୁଲାଇ ପାରୁନି ଚାଷୀ । ବର୍ଷା ଅଭାବରୁ ଜମିରେ ଲଗାଇଥିବା ତଳି ମଧ୍ୟ ନଷ୍ଟ ହୋଇ ସାରିଥିବାବେଳେ ବୁଣାଧାନ ଜଳି ପାଳ ହେବାକୁ ବସିଲାଣି। ଚାଷ କାମ ଆରମ୍ଭରୁ ଏପରି ସ୍ଥିତି ଦେଖି ଚାଷି ମୁଣ୍ଡ କାମ କରୁନି । ବ୍ଲକର ଧାନଚାଷ ପୂରା ଉଜୁଡିଗଲାଣି କହିଲେ ଚଳେ । ବ୍ଳକରେ କେତେକ ପଞ୍ଚାୟତରେ ଧାନବୁଣା କାମ ସରିଥିବା ବେଳେ ପାଣି ଅଭାବରୁ ରୁଆ ଓ ବେଉଷଣ ହୋଇପାରୁନାହିଁ । ବର୍ଷାକୁ ଅପେକ୍ଷା କରି ବିଲରେ ଧାନତଳି ଏବେ ହଳଦିଆ ପଡିଗଲାଣି । ଖରାରେ ଜମି ଫାଟି ଆଁ କରିିଛି । କିଛି ବିଲରେ ତ ଗାଈଗୋରୁ ଚରିବା ଆରମ୍ଭ କଲେଣି । ଏଭଳି ସ୍ଥିତିରେ ମରୁଡିର ସଙ୍କେତ ମିଳିଥିବା ଚାଷୀ ନିଜ ଭାଗ୍ୟକୁ ଆଦିରି ବସିଛି ତଥାପି ଇନ୍ଦ୍ରଦେବଙ୍କ ଉପରୁ ଭରସା ହରେଇନି ଚାଷୀ । ଆକାଶକୁ ଚାତକ ପରି ଦେଖି ନିଜ ବିଲରେ ଦିନ ତମାମ ବସି ରହୁଥିବା ପରି ଦୃଶ୍ୟ ଦେଖିବାକୁ ମିଳୁଛି ।