ବନ ବିଭାଗ କର୍ମଚାରୀଙ୍କ କଳାବ୍ୟାଜ୍ ପରିଧାନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ବନଖଣ୍ଡ ଅନ୍ତର୍ଗତ ସାତ ଗୋଟି ରେଞ୍ଜ ପକ୍ଷରୁ ଉପ- ବନାଞ୍ଚଳ ଅଧିକାରୀ,ବନପାଳ ଏଂବ ବନରକ୍ଷୀ କର୍ମଚାରୀ ମାନେ ତିନି ଗୋଟି ନ୍ୟାର୍ଯ୍ୟ ଦାବି ନେଇ କଳାବ୍ୟାଜ୍ ପରିଧାନ କରିଛନ୍ତି । ଏହି ଅବସରରେ ଓଡିଶା ଅଣ ଗେଜେଟେଡ଼ ବନ ସେବା ସଂଘ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ବସିଥିଲା । ସେଠାରେ ଗତ ୨୪.୦୫.୨୦୨୪ ତାରିଖରେ ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ରେଞ୍ଜର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାକୁ ସଂଘ ତରଫରୁ ନିନ୍ଦା କରିବା ସହ ଦୋଷୀ ବିରୁଦ୍ଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଥିଲା । ଓଡିଶା ଅଣ ଗେଜେଟେଡ଼ ବନ ସେବା ସଂଘ ୩ ଗୋଟି ଦାବି ରଖିଛନ୍ତି । ସେ ଦାବୀ ଗୁଡ଼ିକ ହେଲା ଫାଷ୍ଟ ଟ୍ରାକ କୋର୍ଟ ରେ ସଂପୃକ୍ତ କେସ୍ କୁ ବିଚାର କରାଇ ମୃତକଙ୍କ ପରିବାରଙ୍କୁ ୧ କୋଟି ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବାକୁ ସରକାର ନିକଟରେ ଦାବୀ କରାଯାଇଛି । ସେହିପରି ଫରେଷ୍ଟ କମିଶନ ଗଠନ କରି କ୍ୟାଡ଼ର ପରିମାର୍ଜନ,ତାଲିମ ଓ ନିଯୁକ୍ତି ପ୍ରକ୍ରିୟା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ସହ ସମସ୍ତ ଉଇଙ୍ଗ ଙ୍କୁ ଦକ୍ଷତା ଭିତ୍ତିକ ବା ଇଣ୍ଟିଗ୍ରେଟ କରି ଜିଲ୍ଲା ବା ସର୍କଲ ସ୍ତରରେ ଗୋଟିଏ ଛତା ତଳେ ପରିଚାଳନାକରାଯାଉ |ପୁଣି ଭୌଗୋଳିକ ଅଞ୍ଚଳ ଓ ଜଙ୍ଗଲ ଘନତା ଅନୁସାରେ ରେଞ୍ଜସ୍ତରରେ ବିଟର ପୁନର ଗଠନ କରାଯାଉ | ବନ୍ୟପ୍ରାଣୀ ଓ ଟେରିଟୋରୀଆଲ୍ ଡ଼ିଭିଜନ ମାନଙ୍କରେ ସ୍କୋଶାଲ ଷ୍ଟ୍ରାଇକିଂ ଫୋର୍ସ (SSF) ଏବଂ ରାପିଡ୍ ରେସ୍ପଣ୍ଡ ଟିମ୍ (RRT) ପାଇଁ ସ୍ଵତନ୍ତ୍ର କର୍ମଚାରୀ ନିୟୋଜନ କରିବା ସହ ନୂତନ କେଡ଼ର ପୋଷ୍ଟ୍ ସୃଷ୍ଟି କରାଯାଉ ଏବଂ ପୋଲିସ ବିଭାଗ ଭଳି ଇନସ୍ୟୁରାନ୍ସ ପେକେଜ୍ କରାଯିବା ନିମନ୍ତେ ସରକାର ଙ୍କ ଠାରେ ଦାବୀ କରାଯାଇଛି । ସରକାର ଏହି ଦାବି ଗୁଡିକ ପ୍ରତି ଧ୍ୟାନ ନ ଦେବାରୁ ଗତ ଜୁନ ୯ ତାରିଖରେ ସର୍କିଲ କାର୍ଯ୍ୟାଳୟ କୋରାପୁଟ ରୁ ବାହାରି ସମସ୍ତ କର୍ମଚାରୀ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇ ଜୁନ ୧୪ ପର୍ଯ୍ୟନ୍ତ ସରକାରଙ୍କ ମତାମତକୁ ଅପେକ୍ଷା କରାଯାଇଥିଲା । କିନ୍ତୁ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ଆଜି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନଖଣ୍ଡ ର ସମସ୍ତ କର୍ମଚାରୀ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ । ଯଦି ଅତିଶୀଘ୍ର ଦାବି ପୂରଣ ନ ହେଲେ ଆସନ୍ତା ୨୨ ତାରିଖରୁ ସମସ୍ତ କର୍ମଚାରୀ ସାମୁହିକ ଛୁଟିରେ ରହି ଶାନ୍ତିପୂର୍ଣ୍ଣ ଭାବରେ ସର୍କିଲ ଅଫିସ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ରାୟଗଡା ବନଖଣ୍ଡ ବନ ସେବା ସଂଘର ସଭାପତି ଶ୍ରୀ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.