ଛତିକୁଡ଼ା-ନର୍ଲା ରାସ୍ତା ପ୍ରଶସ୍ତିକରଣ ପ୍ରସଙ୍ଗ: କଟା ହେଉଛି ରାଜାରାଜୁଡ଼ା ଅମଳର ଗଛ; ସେହି ତୁଳନାରେ ଲାଗିବ ତ ନୂଆ ଗଛ ??

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଛତିକୁଡ଼ା ଛକରୁ ନର୍ଲା ଯାଏଁ ଗତ ବର୍ଷଟେ ହେଇଗଲାଣି ଚାଲିଛି ରାସ୍ତା ପ୍ରଶସ୍ତିକରଣ କାମ। ୱାନ ୱେ ରାସ୍ତା ନିର୍ମାଣ ଚାଲିଛି। ଛତିକୁଡା ପଟରୁ କାମ ଆରମ୍ଭ ହୋଇଥିବା ବେଳେ ଏହା ବୁରାଟ ପର୍ଯ୍ୟନ୍ତ ରାସ୍ତା ପ୍ରାୟତ ନିର୍ମାଣ ହୋଇଗଲାଣି। କେବଳ କେତେକ ପୋଲ କାମ ବାକି ରହିଛି।

ଏପଟେ ରାସ୍ତା ପ୍ରଶସ୍ତି କରଣ ପାଇଁ ରାସ୍ତା କଡ଼ରେ ଆବହମାନ କାଳରୁ ରହି ଆସିଥିବା ବହୁମୂଲ୍ୟ ଗଛ ଗୁଡ଼ିକୁ ଛେଦନ କାମ ଜାରୀ ରହିଛି। କଳାହାଣ୍ଡିର ରାଜା ମହାରାଜା ଅମଳରୁ ଲଗା ଯାଇଥିବା ଭୀମକାୟ ଗଛ ଗୁଡ଼ିକ ଛେଦନର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଅଟେ। ସବୁଜ ବନାନୀ ଓ ଶୀତଳ ଛାୟା ପ୍ରଦାନକାରୀ ଜନ ସମାଜ ହିତକାରୀ ଗଛ ଗୁଡ଼ିକ ଛେଦନ ଫଳରେ ଶ୍ରୀହୀନ ହୋଇ ପଡ଼ିଛି ରାଜ ରାସ୍ତା। ଏହାବାଦ ଗଛ ଆକର୍ଷିତ କରି ବର୍ଷା କରିବାରେ ସହାୟକ ହୋଇଥାଏ ବୋଲି ବୈଜ୍ଞାନିକ ମାନେ ମତ ପୋଷଣ କରିଥାନ୍ତି। ଗଛ ଗୁଡ଼ିକ କଟା ହେବା ଫଳରେ ଖାଁ ଖାଁ ଲାଗୁଛି ଏବେ ରାଜ ରାସ୍ତା।

ରାସ୍ତା ପ୍ରଶସ୍ତିକରଣ ହେଲେ ତ ଗଛ କଟିବ ହିଁ କଟିବ ଏହା ଧ୍ରୁବ ସତ୍ୟ। ହେଲେ ବର୍ତ୍ତମାନର ଗ୍ଲୋବାଲ ୱର୍ମିଂକୁ ଅନୁଧ୍ୟାନ କଲେ କଟା ଯାଇଥିବା ଗଛ ତୁଳନାରେ ସରକାର କଣ ସେହି ଅନୁପାତରେ ବୃକ୍ଷ ରୋପଣ କରୁଛନ୍ତି କି?? ଦିନକୁ ଦିନ ବ୍ୟବସାୟ ବଢୁଛି। ଗାଡି ଚାଳନା ବଢୁଛି। ମଣିଷର ବଞ୍ଚିବାର ଶୈଳୀ ବଦଳିଛି। ସବୁକିଛି ର ପରିବର୍ତ୍ତନ ଦରକାର। ଏଣୁ ରାସ୍ତା ମଧ୍ଯ ପ୍ରଶସ୍ତିକରଣ ହେବାର ଆବଶ୍ୟକତା ରହିଛି ଏହା ସ୍ଵୀକାର୍ଯ୍ୟ। ରାସ୍ତା ପ୍ରଶସ୍ତିକରଣ ପାଇଁ ଗଛ କାଟୁଛ କାଟ ମନା ନାହିଁ। ହେଲେ ସେହି ଅନୁପାତରେ ବୃକ୍ଷ ରୋପଣ କରି ପରିବେଶକୁ ସନ୍ତୁଳିତ ରଖିବାର ମଧ୍ଯ ଆବଶ୍ୟକତା ରହିଛି।

ଆଗରୁ ମଧ୍ଯ ପୂର୍ବ ଓଡ଼ିଶାର ବିଭିନ୍ନ ସହରକୁ ଯୋଡୁଥିବ ରାସ୍ତାର ପ୍ରଶସ୍ତିକରଣ କରାଯାଇଛି। ସେଇଠି ମଧ୍ଯ ଅନେକ ଗୁଡ଼ିଏ ଗଛ କଟାଯାଇଛି। ହେଲେ ଦୀର୍ଘ ବର୍ଷ ହୋଇଗଲାଣି ସେହି ତୁଳନାରେ ସେହି ଅଞ୍ଚଳରେ କିମ୍ବା ରାସ୍ତା କଡ଼ରେ କୌଣସି ବି ରାସ୍ତା କଡ଼ରେ ସରକାରଙ୍କ ତରଫରୁ ବୃକ୍ଷ ରୋପଣ କରାଯାଇଥିବା ଦୃଶ୍ୟମାନ ହୋଇନି। କେବଳ ଦିଭାଇଡର ମଝିରେ ମାଟି ଭରି କିଛି ଫୁଲ ଗଛ ଲଗେଇ ଦେଇ ସରକାର ନିଜ ଦାଇତ୍ୱ ସାରିଦେଇଥିବା ଦେଖିବାକୁ ମିଳୁଛି।

ଏହାକୁ ଦୃଷ୍ଟିରେ ରଖି ନର୍ଲା ଅଞ୍ଚଳର ବୁଦ୍ଧିଜୀବି ମାନଙ୍କ ଦାବୀ ଯେ ରାସ୍ତା ପ୍ରଶସ୍ତିକରଣ ପାଇଁ ଛତିକୁଡ଼ାରୁ ନର୍ଲା ପର୍ଯ୍ୟନ୍ତ କଟା ଯାଇଥିବା ୫୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ପ୍ରତି ବଦଳରେ ପର୍ଯ୍ୟାବରଣ ର ସନ୍ତୁଳନ ପାଇଁ ସରକାର ବୃକ୍ଷ ରୋପଣ କରନ୍ତୁ। ଫଳରେ ପରିବେଶ ସୁସ୍ଥ ରହିବ ଓ ବର୍ଷା ଠିକ ଭାବରେ ହେବ। ଚାଷୀ ମୁହଁରେ ହସ ଫୁଟିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.