ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିପାଇଁ ଗାଁ କି ସହର ହୋଇ ଉଠିଥିଲା ଉତ୍ସବ ମୁଖର। ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ଼, ଲାଞ୍ଜିଗଡ ରୋଡ, ମୁଷାନାଳ, ରାମଚନ୍ଦ୍ରପୁର ଓ ଗନ୍ଧରବାରୁ ଠାରେ ମଧ୍ୟ ରଥଯାତ୍ରା ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି । ଲାଞ୍ଜିଗଡ଼ ସ୍ଥିତ ମନ୍ଦିରରେ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପରେ ଅପରାହ୍ନ ୪ଟାରେ ଶ୍ରୀଜୀଉଙ୍କ ଛେରାପହଁରା ଅନୁଷ୍ଠିତ ହୋଇଥିଲା ଏବଂ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ରଥକୁ ଟାଣି ଟାଣି ମାଉସୀ ମାଆ ମନ୍ଦିରକୁ ନେଇଥିଲେ । ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ ରଥ ଉପରେ ଛେରାପହଁରା କରିଥିଲେ I ଲାଞ୍ଜିଗଡ ସହର ଘଣ୍ଟ ଘଣ୍ଟା, ଶଙ୍ଖ ଓ ହୁଳହୁଳି ଧ୍ୱନିରେ ହର୍ଷୋଲ୍ଲାସରେ ଉଛୁଳି ଉଠୁଥିଲା I ଲାଞ୍ଜିଗଡ ରଥଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳ ସମେତ ନିୟମଗିରି ଅଞ୍ଚଳରେ ରହୁଥିବା ଝରଣିଆ, ଡଙ୍ଗରିଆ କନ୍ଧ ତାଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବେଶଭୂଷାରେ ସଜ୍ଜିତ ହୋଇ ଯାତ୍ରାସ୍ଥଳୀକୁ ଆସିଥିଲେ । ଅସହ୍ୟ ଗରମ ଏବଂ ଗୁଳୁଗୁଳି ସତ୍ୱେ ହଜାର ହଜାର ଭକ୍ତଙ୍କ ଭିଡ଼ ହେଇଥିଲା I ଏହି ରଥଯାତ୍ରାକୁ ଶ୍ରୀ ହରିହର ସାଂସ୍କୃତିକ ଅନୁଷ୍ଠାନ ଓ ଜଗନ୍ନାଥ ମନ୍ଦିର କମିଟି ତରଫରୁ ସୁଚାରୁ ରୁପେ ପରିଚାଳନା କରାଯାଇଥିଲା । ସେହିପରି ଲାଞ୍ଜିଗଡରୋଡ, ରାମଚନ୍ଦ୍ରପୁର, ଗନ୍ଧରବାରୁ ଓ ମୁଷାନାଳଠାରେ ମଧ୍ୟ ରଥଯାତ୍ରା ସୁରୁଖୁରୁରେ ପାଳିତ ହୋଇଯାଇଛି । ଲାଞ୍ଜିଗଡ ବ୍ଲକ ଡ୍ରାଇଭର ମହାସଂଘର ଡ୍ରାଇଭର ମାନେ ମଧ୍ୟ ଲାଞ୍ଜିଗଡ ଠାରେ ରଥ ଚାରିଆଡେ ରହି ସୁରକ୍ଷା ବ୍ୟବସ୍ଥା ଦାଇତ୍ୱ ତୁଲାଇଥିବାବେଳେ ଲାଞ୍ଜିଗଡ, ବିଶ୍ୱନାଥପୁର, ଶିକେରକୁପା ପୁଲିସ ତରଫରୁ ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି ଥାନା କର୍ମଚାରୀ ଏବଂ ସୁରକ୍ଷା ବଳ ସବୁ ଯାତ୍ରା ସ୍ଥଳରେ ମୁତୟନ କରାଯାଇଥିଲା I ଲାଞ୍ଜିଗଡ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟ ଏହି ଯାତ୍ରାରେ ସହଯୋଗ କରିଥିଲେ I