ଭାଜପା ସରକାରରେ ମହିଳା ଓ ଛାତ୍ରୀ ଅସୁରକ୍ଷିତ -ସମାଜବାଦୀ ପାର୍ଟି 

ନାରୀଙ୍କୁ ନ୍ୟାୟ ପାଇଁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀଙ୍କ ଇସ୍ତଫା ଦାବିକଲେ ଶିବ ହାତୀ ଯାଦବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭାଜପା ସରକାରରେ ମହିଳା ଓ ଛାତ୍ରୀମାନେ ଅସୁରକ୍ଷିତ। ବର୍ତ୍ତମାନ ଯାହା ବାଲେଶ୍ଵରରେ ହୋଇଛି ତାହା ଛାତ୍ର ସମାଜ ଓ ନାରୀ ସମାଜକୁ ଦୋହଲାଇ ଦେଇଛି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ ଆଣିଛି। ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପୀଡିତ ଛାତ୍ରୀଙ୍କ ଶୀଘ୍ର ଆସୁ ଆରୋଗ୍ୟ କାମନା କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ରାଜ୍ୟରେ ନୂଆ ସରକାର ଆସିବା ପରଠୁ ନାରୀ ସମାଜ ଉପରେ ଅତ୍ୟାଚାର ବଢିଛି। ବ୍ୟଭିଚାର, ହତ୍ୟା ଭଳି ଜଘନ୍ୟ ଖବର ରାଜ୍ୟର ଛବିକୁ ବିଶ୍ୱ ସ୍ତରରେ ନିନ୍ଦିତ କରିଛି।

ବାଲେଶ୍ବରରେ ଜଣେ ଛାତ୍ରୀ ୧୨ ଦିନ ପର୍ଯ୍ୟନ୍ତ ସଂଘର୍ଷ କରି ଆଜି ନିଜେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିବା ଭାଜପାର ‘ବେଟି ପଢ଼ାଓ ବେଟି ବଢ଼ାଓ’ ସ୍ଲୋଗାନକୁ ନିନ୍ଦିତ କରିଛି। ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ବି.ଇଡି ବିଭାଗର ବିଭାଗୀୟ ମୁଖ୍ୟ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କ ନାମରେ ଉକ୍ତ ଛାତ୍ରୀ ଜଣକ ଜୁଲାଇ ୧ ତାରିଖରେ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଅଭିଯୋଗ କରିଥିଲେ, ଯେଉଁଥିରେ ଅଧ୍ୟାପକ ଜଣକ ଶାରୀରିକ ସଂପର୍କ ପାଇଁ ତାଙ୍କୁ ବାଧ୍ୟ କରୁଥିଲେ ବୋଲି ଲିଖିତ ଅଭିଯୋଗ ହୋଇଛି।

ଏହାକୁ ନେଇ ଅନ୍ତରୀଣ ଅଭିଯୋଗ କମିଟି ଗଠନ ହୋଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ। ଏପରିକି ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଥିବା ବେଳେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପାଖରେ ମଧ୍ୟ ୭ ଦିନ ପୂର୍ବରୁ ଅଭିଯୋଗ ହୋଇଥିଲା।

ଘଟଣାକୁ ୧୨ ଦିନ ବିତିଥିଲେ ମଧ୍ୟ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି, ଯେଉଁଥିପାଇଁ ବାଧ୍ୟ ହୋଇ ଛାତ୍ରୀ ଜଣକ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ଵର ଓ ପରେ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ଲୋକ ଦେଖାଣିଆ ଭାବେ ଦୁଇଜଣ ଅଧ୍ୟାପକଙ୍କୁ ନିଲମ୍ବନ କରିଛି ଯାହା ପୀଡିତକୁ ନ୍ୟାୟ ପ୍ରଦାନ ପାଇଁ ଯଥେଷ୍ଟ ନୁହେଁ। ତେଣୁ ଭାଜପା ସରକାରରେ ଶିକ୍ଷା ବିଭାଗ ଦାଇତ୍ୱରେ ଥିବା ମନ୍ତ୍ରୀ ନାରୀଙ୍କୁ ନ୍ୟାୟ ପାଇଁ ନିଜର ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ଶିବ ହାତୀ ଯାଦବ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.